
ରାଇଘର : ପତ୍ନୀଙ୍କୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଭାଲୁ ସହ ଲଢ଼ିଲେ ଯୁବକ। ଶେଷରେ ହାର ମାନି ପଛଘୁଞ୍ଚା ଦେଲା ଭାଲୁ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ମୁଣ୍ଡିବେଡ଼ା ପଞ୍ଚାୟତର ବାଲିଝରି ଗାଁ ପାଖ ଜଙ୍ଗଲର ଏହି ଘଟଣା ଘଟିଛି । ସଂଘର୍ଷରେ ଆହତ ଦମ୍ପତିଙ୍କୁ ଉମରକୋଟରେ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ ଅର୍ଥ ନଥିବାରୁ ଯୁବକ ନିଜର ସଂପୂର୍ଣ୍ଣ ଚିକିତ୍ସା କରାଇ ପାରିନାହାନ୍ତି।
ସୂଚନା ଅନୁଯାୟୀ, ବାଲିଝରି ଗାଁର ସଦାନନ୍ଦ ମାଝୀ ଏବଂ ତାଙ୍କ ପତ୍ନୀ କଂସାମଣି ମାଝୀ ଗତକାଲି ସକାଳେ କେନ୍ଦୁପତ୍ର ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଦୁହେଁ ପତ୍ର ତୋଳିବାରେ ବ୍ୟସ୍ତ ଥିବା ବେଳେ ଦୁଇ ଛୁଆ ସହ ପହଞ୍ଚି ଯାଇଥିଲା ଗୋଟିଏ ମାଈ ଭାଲୁ। ଭାଲୁ କବଳରେ ପଡ଼ି ଯାଇଥିଲେ କଂସାମଣି। ଭାଲୁର ଅତର୍କିତ ଆକ୍ରମଣରେ ସେ ଚିତ୍କାର କରିଥିଲେ। ଅଳ୍ପ ଦୂରରେ ଥିଲେ ସଦାନନ୍ଦ। ଅନ୍ୟମାନଙ୍କୁ ସହାୟତା ପାଇଁ ଡାକିଲେ କାଳେ ବିଳମ୍ବ ହେବ ଭାବି ନିଜେ ଭାଲୁ ସହ ଲଢ଼ିବାକୁ ଦୌଡ଼ି ଆସିଥିଲେ। ଏହାପରେ ପ୍ରାୟ ଅଧ ଘଣ୍ଟା ଧରି ଲଢ଼େଇ ପରେ ପତ୍ନୀଙ୍କୁ ଭାଲୁ କବଳରୁ ଉଦ୍ଧାର କରିବାରେ ସଫଳ ହେଲେ ସଦାନନ୍ଦ। ଅନ୍ୟପଟେ ହାର୍ ମାନି ଦୁଇ ଛୁଆଙ୍କୁ ନେଇ ସେଠାରୁ ଚାଲିଯାଇଥିଲା ମାଈ ଭାଲୁ।
ଭାଲୁ ଆକ୍ରମଣରେ କଂସାମଣିଙ୍କ ଶରୀରର ଅନେକ ସ୍ଥାନରେ ଗଭୀର କ୍ଷତ ହୋଇଛି। ସେହିପରି ସଦାନନ୍ଦଙ୍କ ବାମ ହାତର ଆଙ୍ଗୁଠି ଛିଣ୍ଡି ଯିବା ସହ ମୁଣ୍ଡ ଏବଂ ଗୋଡ଼ରେ ବି ଆଘାତ ଲାଗିଛି। ଗ୍ରାମବାସୀ ଗୋଟିଏ ଗାଡ଼ି ଭଡ଼ା କରି ଉମରକୋଟ ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଆଙ୍ଗୁଠି ଛିଣ୍ଡି ଯାଇଥିବାରୁ ସଦାନନ୍ଦଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ କୁହାଯାଇଥିଲା। କିନ୍ତୁ ପାଖରେ ପଇସା ନଥିବାରୁ ସେ ଘରକୁ ଚାଲିଆସିଥିବା ଜଣାପଡ଼ିଛି।
The post ପତ୍ନୀ ପାଇଁ ଭାଲୁ ସହ ଲଢ଼ିଲେ ଯୁବକ; ଛିଣ୍ଡିଯାଇଛି ଆଙ୍ଗୁଠି, ଅର୍ଥ ନଥିବାରୁ ହୋଇପାରିଲାନି ସଂପୂର୍ଣ୍ଣ ଚିକିତ୍ସା first appeared on Sambad.from ଜିଲ୍ଲା | Sambad https://ift.tt/342sssC
0 Comments