ଶ୍ରୀମନ୍ଦିରରୁ ଆଜ୍ଞାମାଳ ବିଜେ
ଦେଉଳ ପୁରୋହିତଙ୍କ ସୁନା କୁରାଢ଼ୀ ଛେଦନ
ଶାଢ଼ୀ ବନ୍ଧାଇଲେ ବିଶ୍ବକର୍ମା

ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ କଡ଼ା କଟକଣା ଭିତରେ ଘୋଷଯାତ୍ରାର ପ୍ରାରମ୍ଭିକ ପର୍ବ ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଶାସ୍ତ୍ରୀୟ ବନଯାଗ ବିଧିରେ ତିନି ରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନଙ୍କ ନିର୍ମାଣର ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ଦେଉଳ ପୁରୋହିତ ଅଭିମନ୍ତ୍ରିତ ସୁନା କୁରାଢ଼ୀରେ ତିନି ଧଉରା କାଠକୁ ଚୋଟ ମାରି ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରିଛନ୍ତି। ଏହାପରେ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ବ୍ରାହ୍ମଣଙ୍କଠାରୁ ବରଣ ଗ୍ରହଣ କରିବା ସହ ଶାଢ଼ୀ ବନ୍ଧା ପରମ୍ପରା ଅନୁଷ୍ଠିତ ହୋଇଥିଲା। ପରେ ରଥକାଠ ଛେଦନ କରାଯାଇ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ବାର ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଥିଲା। ଆଜି ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ଶେଷ ହୋଇଥିବାବେଳେ ଜନସାଧାରଣଙ୍କ ଅକୁଣ୍ଠିତ ସ‌ହଯୋଗ ବି ଦେଖିବାକୁ ମିଳିଥିଲା। କଟକଣାକୁ ମାନି କେହି ବି ଘରୁ ବାହାରକୁ ବାହାରିନଥିଲେ।

ଶାସ୍ତ୍ରୀୟ ବିଧି ଅନୁଯାୟୀ, ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପାଇଁ ବନଯାଗ ବିଧିରେ ହୋମ କାର୍ଯ୍ୟ କରାଯାଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଯାଗର ଇଷ୍ଟ ଦେବ ନୃସିଂହଙ୍କୁ ଆରାଧନା କରାଯାଇ ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ‌ଆହୁତି ଦିଆଯାଇଥିଲା। ପରେ ସ୍ବତନ୍ତ୍ର ମଣି ବିମାନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣ ଏବଂ ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ। ଅପରାହ୍ଣ ପ୍ରାୟ ୪ଟାରେ ପୂଜାପଣ୍ଡା ସେବକମାନେ ଶ୍ରୀମନ୍ଦିରରୁ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାକୁ ବିଜେ କରିବା ପରେ ପୂର୍ବପ୍ରସ୍ତୁତ ତିନି ଧଉରା କାଠରେ ଲାଗି କରାଯାଇଥିଲା। ପୂର୍ବରୁ ସ୍ୱତନ୍ତ୍ର ବିଧି ଅନୁସାରେ ଦକ୍ଷିଣକାଳୀଙ୍କ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇଥିବା ସୁନାର ତିନୋଟି ଛୋଟ କୁରାଢ଼ୀରେ ପ୍ରଥମେ ଦେଉଳ ପୁରୋହିତ ରଥଖଳାରେ ଥିବା ତିନି ଧଉରା କାଠରେ ଚୋଟ ମାରିଥିଲେ। ପରେ ବିଶ୍ୱକର୍ମାମାନେ ରଥକାର୍ଯ୍ୟରେ ନିୟୋଜିତ ହୋଇଥିଲେ।

ସୂଚନାଯୋଗ୍ୟ, ସରସ୍ୱତୀ ପୂଜାରେ ରଥକାଠ ଅନୁକୁଳ, ଶ୍ରୀରାମ ନବମୀରେ ରଥ କାଠ ଚିରଟ କାମ ପରେ ଆଜି ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାମ ଅନୁକୂଳ ହୋଇଛି। ଭଉଁରୀରେ ଚକ ଡେରା କାମ ଆରମ୍ଭ ଓ ଶୀତଳଷଷ୍ଠୀରେ ଚକଡେରା କାର୍ଯ୍ୟ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀରେ କୋଣଗୁଜ ଅନୁକୂଳ, ସ୍ନାନପୂର୍ଣ୍ଣିମାରେ ରଥ ଚାରିନାହାକା ଉଠିବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ସକାଳେ ବନଯାଗ ବିଧିରେ ରଥ ପ୍ରତିଷ୍ଠା ହେବ।

The post କଟକଣାରେ ରଥ ନିର୍ମାଣ ଅନୁକୂଳ first appeared on Sambad.

from ଜିଲ୍ଲା | Sambad https://ift.tt/3tTsTQi