
ରାଇରଙ୍ଗପୁର : ଶବ ବୋହୁଥିଲେ, କିନ୍ତୁ ନିଜେ ଶବ ପାଲଟିଗଲେ। ମହାମାରୀ କରୋନାରେ ଆଖି ବୁଜିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଆମ୍ବୁଲାନ୍ସ ଡ୍ରାଇଭର ଅଶ୍ବିନୀ ବେହେରା (୫୭)।
ଅଶ୍ବିନୀଙ୍କ ଘର ରାଇରଙ୍ଗପୁର ପୌରାଞ୍ଚଳ ୧୪ ନଂବର ୱାର୍ଡ ଇଚିଣ୍ଡା ସାହିରେ। ଗତବର୍ଷ କରୋନା କାୟା ମେଲାଇବାଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ବର୍ଷ ମଧ୍ୟରେ ସେ ୫ ଶହରୁ ଅଧିକ କରୋନା ସଂକ୍ରମିତ ରୋଗୀଙ୍କୁ ନିଜ ହାତରେ ଆମ୍ବୁଲାନ୍ସକୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କେବଳ ସେତିକି ନୁହେଁ, ଯେଉଁ କରୋନା ରୋଗୀଙ୍କର ମୃତ୍ୟୁ ହେଉଥିଲା, ସେ ଶବକୁ କେହି ଛୁଉଁନଥିବା ବେଳେ ଅଶ୍ବିନୀ ଥିଲେ ତାର ବ୍ୟତିକ୍ରମ। କୋଭିଡ୍ ମୃତଦେହକୁ ନିଜେ ଉଠାଉଥିଲେ। ତେବେ କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ କରୋନା ପରୀକ୍ଷା କରିଥିଲେ ଏବଂ ସେ ସଂକ୍ରମିତ ଥିବା ଜାଣି ରାଇରଙ୍ଗପୁର କୋଭିଡ୍ କେୟାରରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାରିପଦା ବାଙ୍କିଶୋଳସ୍ଥିତ କିମ୍ସ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଶ୍ବିନୀଙ୍କ ପରଲୋକରେ ରାଇରଙ୍ଗପୁର ଡାକ୍ତରଖାନାର ସମସ୍ତ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। କରୋନା ଯୁଦ୍ଧରେ ଅଶ୍ବିନୀଙ୍କ ଅବଦାନକୁ କେବେ ମଧ୍ୟ ଭୁଲି ହେବନି ବୋଲି କହିଛନ୍ତି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସାଗର ନାୟକ। ତାଙ୍କ ପରିବାର ଅତି ଗରିବ ହୋଇଥିବାରୁ ସରକାର କୋଭିଡ୍ ଯୋଦ୍ଧା ଭାବେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ପୌରାଞ୍ଚଳ ବାସିନ୍ଦା ଅନୁରୋଧ କରିଛନ୍ତି।
The post ଶବ ବୋହୁଥିଲେ, ଶବ ପାଲଟିଗଲେ first appeared on Sambad.from ଜିଲ୍ଲା | Sambad https://ift.tt/3omt0D6
0 Comments