ରାଉରକେଲା: କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଜାରି ରହିଛି ଲକ୍‌ଡାଉନ୍ ଓ ସପ୍ତାହାନ୍ତ ସଟ୍‌ଡାଉନ୍। ପାଦେ ପାଦେ ରହିଛି ସଂକ୍ରମଣ ଭୟ। ଏଭଳି ସଙ୍କଟ ସମୟରେ ଦୁଇଓଳି ଖାଇବାକୁ ପାଉ ନଥିବା ବେସାହାରା, ଦିନ ମଜୁରିଆ ଓ କରୋନା ଆକ୍ରାନ୍ତଙ୍କ ମୁହଁରେ ଆହାର ଦେବାକୁ ଆଗେଇ ଆସିଛନ୍ତି ଜିଲ୍ଲା କଂଗ୍ରେସର ଯୁବ ସଭାପତି ପ୍ରବୋଧ ଦାସ ଓ ତାଙ୍କ ଟିମ୍। ଦିନେ କି ଦୁଇ ଦିନ ନୁହେଁ ଗତ ୧୫ ଦିନ ଧରି ଜାରି ରଖିଛନ୍ତି ଏହି ମହତ କାର୍ଯ୍ୟ। ପ୍ରବୋଧକୁ ସହାୟତା କରୁଛନ୍ତି ଶିବୁ ଦୀପ୍, ରାଜୁ ନାୟକ, ପ୍ରସନ୍ନ କୁମାର ବଳିୟାର ସିଂ, ବାବୁ ବିଶ୍ବାଳ, ଶିବୁ ବାରିକ୍, ମୋତିଲାଲ୍ ଦୀପ, ସିଲୁ ବରାଳ ଓ ଦୁଖୁ ଦୀପ। ଆବଶ୍ୟକ ଅର୍ଥ ପାଇଁ କାହାକୁ ହାତ ପାତି ନାହାନ୍ତି। ବରଂ ନିଜ ପକେଟରୁ ଅର୍ଥ ଯୋଗାଡ କରି ଦୁଇଓଳି ରନ୍ଧାଖାଦ୍ୟ ଏମାନଙ୍କ ମୁହଁରେ ଦେଇ ହସ ଫୁଟାଉଛନ୍ତି।

କେବଳ ଦୁଇଓଳି ଖାଦ୍ୟ ଦେଉଛନ୍ତି, ତା ନୁହେଁ କରୋନା ସଂକ୍ରମଣରୁ ବର୍ତ୍ତିବାକୁ ସେମାନଙ୍କୁ ଦେଉଛନ୍ତି ସଚେତନତାର ବାର୍ତ୍ତା। ମୁହଁରେ ସର୍ବଦା ମାସ୍କ ପିନ୍ଧିବାକୁ ଅନୁରୋଧ କରୁଛନ୍ତି। ଏଥିପାଇଁ ପୁରା ଟିମ୍ ସକାଳୁ ରାତି ପର୍ଯ୍ୟନ୍ତ କାମରେ ଲାଗିଛନ୍ତି। ପ୍ରତ୍ୟେକ ଦିନ ଟିମର ସଦସ୍ୟ ପକେଟରୁ ଅର୍ଥ ଯୋଗାଡ କରି ସକାଳୁ ବାହାରି ଯାଉଛନ୍ତି ମାର୍କେଟକୁ। ମିଳିମିଶି ମାର୍କେଟିଂ କରି ଫେରୁଛନ୍ତି ରୋଷେଇଶାଳକୁ। ପରସ୍ପର ମଧ୍ୟରେ କାମ ଭାଗବାଣ୍ଟ କରି ରୋଷେଇରେ ଲାଗି ପଡୁଛନ୍ତି। ଦିନବେଳା ଭାତ୍, ଡାଲମା ତ ପୁଣି କେତେବେଳେ ଅଣ୍ଡା ଆଳୁ ତରକାରି ଓ ଭାତ। ପୁଣି ଅନ୍ୟ କେତେବେଳେ ଭାତ ସୋଆବିନ୍ ତରକାରି ଓ ଖଟା ପ୍ରସ୍ତୁତ କରୁଛନ୍ତି। ରାତି ପାଇଁ ତିଆରି କରୁଛନ୍ତି ଖେଚୁଡି। ଦୈନିକ ୨୦ କି ୩୦ ଜଣ ନୁହେଁ ପ୍ରସ୍ତୁତି କରୁଛନ୍ତି ପ୍ରାୟ ୧୫୦ରୁ ଅଧିକ ପ୍ୟାକେଟ୍ ଖାଦ୍ୟ । ଦିନ ପ୍ରାୟ ୧୨ଟା ମଧ୍ୟରେ ପ୍ୟାକେଟିଂ ସାରି ନିଜ ନିଜ ମୋଟରବାଇକରେ ଖାଦ୍ୟ ପୁଡିଆ ଧରି ଯାଉଛନ୍ତିି ନୂଆ ବସଷ୍ଟାଣ୍ଡରୁ ଷ୍ଟେସନ । ବିର୍ସା ଛକରୁ ଟ୍ରାଫିକ୍ ଗେଟ୍ ମାର୍କେଟ ଚକ୍କର କାଟୁଛନ୍ତି। ଶୂନସାନ ସହରର ରାସ୍ତା କଡରେ ଭୋକ ଉପାସ ପଡି ଖାଦ୍ୟ ପୁଡିଆକୁ ଚାତକ ପରି ଚାହିଁ ରହିଥିବା ଲୋକଙ୍କ ପାଖରେ ପହଞ୍ଚୁଛନ୍ତି।

ନୂଆ ବସଷ୍ଟାଣ୍ଡରେ ଦୈନିକ ୫୦ରୁ ଅଧିକ ବସ୍ ଡ୍ରାଇଭର, ହେଲପର ଓ ଅନ୍ୟ ଲୋକଙ୍କୁ ଖାଇବାକୁ ଦେଉଛନ୍ତି। ବାସନ୍ତୀ କଲୋନିରେ କରୋନା ଆକ୍ରାନ୍ତଙ୍କୁ ଘର ଘର ବୁଲି ମଧ୍ୟ ଦୁଇ ଓଳି ରନ୍ଧାଖାଦ୍ୟ ପହଞ୍ଚାଉଛନ୍ତି। ସଙ୍କଟ ସମୟରେ ଯେମିତି ଜଣେ ହେଲେ ବେସାହାରା ଭୋକ ଉପାସରେ ନ ରହୁ, ଏଥିପାଇଁ ପ୍ରବୋଧ ଓ ତାଙ୍କ ଟିମ୍ ଜୀବନକୁ ପାଣି ଛଡାଇ ଲାଗିଛନ୍ତି କାମରେ । ବେଳେବେଳେ ଟିମ୍‌ର ପୁରା ସଦସ୍ୟ ଭୋକ ଉପାସରେ ରହି ବେସାହାରାଙ୍କୁ ଖାଇବାକୁ ଦେଉଛନ୍ତି। ସମୟ ଅଭାବରୁ ଅନେକ ସମୟରେ ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର, ହେଲପର ଓ କୁଲିମାନଙ୍କ ସହ ବସି ଖାଉଛନ୍ତି। ସେମାନଙ୍କ ସହ ଦୁଃଖସୁଖ କଥା ମଧ୍ୟ ହେଉଛନ୍ତି। ଧୈର୍ଯ୍ୟର ସହ ଜୀଇଁବାକୁ ସେମାନଙ୍କ ମନୋବଳ ବଢ଼ାଉଛନ୍ତି। ପୁଣି ସଂଧ୍ୟା ପାଇଁ ଖାଦ୍ୟ ପ୍ରସ୍ତୁତିରେ ଲାଗି ପଡୁଛନ୍ତି।

ପ୍ରବୋଧ ଦାସ କୁହନ୍ତି,ଏଭଳି ସଙ୍କଟ ସମୟରେ ଅସହାୟଙ୍କ ମୁହଁରେ ଆହାର ଦେବା ଆମର କର୍ତ୍ତବ୍ୟ। ଆମ ପାଖରେ ଅର୍ଥ ନାହିଁ, ନିଜ ନିଜ ପକେଟରୁ କିଛି କିଛି ଟଙ୍କା ବାହାର କରି ଏଭଳି କାମ କରୁଛୁ। ଏହି କାମ ଆମମାନଙ୍କୁ ବେଶ୍ ଆତ୍ମତୃପ୍ତି ଦେଉଛି। ଆଗକୁ ବଢ଼ିବାକୁ ଆହୁରି ସାହସ ଯୋଗାଉଛି। ଯେତେ ଦିନ ପର୍ଯ୍ୟନ୍ତ କରୋନା ସଙ୍କଟ ନ ଟଳିଛି ଆମ ସମର୍ଥ ଅନୁଯାୟୀ ଭାତ ଓ ଡାଲମା ହେଉ ପଛେ, ଦୁଇ ଓଳି ଏମାନଙ୍କ ନିକଟରେ ଖାଦ୍ୟ ପହଞ୍ଚାଉଥିବୁ। କେବଳ ଆମେ ଅନେକ ସଙ୍ଗଠନ, ବ୍ୟକ୍ତିବିଶେଷ ସହାୟତାର ହାତ ବଢ଼ାଇଛନ୍ତି। ଏମିତି ଆହୁରି ଅନେକ ସଙ୍ଗଠନ ଆଗେଇ ଆସିଲେ ଭୋକରେ ଜୀବନ ଅତିବାହିତ କରୁଥିବା ବେସାହାରା, ଦିନ ମଜୁରିଆଙ୍କ ଭୋକ ଦୂର ହୋଇପାରନ୍ତା ବୋଲି କହିଛନ୍ତି ପ୍ରବୋଧ।

The post ସଙ୍କଟ ବେଳର ସାଥୀ ପ୍ରବୋଧ ଓ ତାଙ୍କ ଟିମ୍: ମେଣ୍ଟାଉଛନ୍ତି ବେସାହାରା ଓ କରୋନା ଆକ୍ରାନ୍ତଙ୍କ ଭୋକ first appeared on Sambad.

from ଜିଲ୍ଲା | Sambad https://ift.tt/3udezlK