କୋରାପୁଟ : ଆନ୍ଧ୍ରରେ ପଞ୍ଚାୟତ ନିର୍ବାଚନ ଆଇନର ଜାଲରେ ଛନ୍ଧି ହୋଇ ରଦ୍ଦ ହେବାପ‌ରେ ରୋକଚ ମୋଡ଼ ନେଇଛି। ଆନ୍ଧ୍ର ସରକାର ଆଇନଗତ ଲଢ଼େଇକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ଶୁଣିବାକୁ ମିଳୁଛି। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ଗତକାଲି ଆନ୍ଧ୍ର ହାଇକୋର୍ଟ ଦେଇଥିବା ରାୟ ପରେ ବିବାଦୀୟ କୋଟିଆ ଗ୍ରାମପୁଞ୍ଜରେ ଆଗାମୀ ଲଢ଼େଇ ପାଇଁ ପ୍ରସ୍ତୁତ ହେଲାଣି କୋରାପୁଟ ଜିଲ୍ଲା ପ୍ରଶାସନ। ପୂର୍ବଥର ଠାରୁ ଆଗାମୀ ଲଢ଼େଇ ଅଧିକ ଜୋରଦାର ହେବ ବୋଲି ଏକ ପ୍ରକାର ସଙ୍କେତ ଦେଇଛି ଜିଲ୍ଲା ପ୍ରଶାସନ। ତେଣୁ ପୂରା ସ୍ଥିତି ଏବଂ ଆନ୍ଧ୍ର ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତି ଉପରେ ନଜର ରଖିଛି ପ୍ରଶାସନ।

କୋଟିଆ ଗ୍ରାମପୁଞ୍ଜରେ ପ୍ରଥମେ ସରପଞ୍ଚ ଏବଂ ୱାର୍ଡ ସଭ୍ୟ ନିର୍ବାଚନ କରାଇଥିବା ଆନ୍ଧ୍ର ସରକାର ବେଶ ଉତ୍ସାହିତ ହୋଇଯାଇଥିଲା। ତେଣୁ ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ବି ଏହି ବିବାଦୀୟ ଅଞ୍ଚଳରେ କରାଇବାକୁ ଏପ୍ରିଲ ମାସ ୧ତାରିଖ ଦିନ ବିଜ୍ଞପ୍ତି ପ୍ରକାଶ କରିଥିଲେ। କିନ୍ତୁ ଏଥର ନିର୍ବାଚନରେ ଯେମିତି କୋଟିଆବାସୀ ନିର୍ବାଚନରେ ଅଂଶ ଗ୍ରହଣ କରିବେ ନାହିଁ ଏବଂ ଆନ୍ଧ୍ର ସରକାରଙ୍କ ସମସ୍ତ ଉଦ୍ୟମ ବିଫଳ ହେବେ ସେଥିପାଇଁ ରଣନୀତି କରିଥିଲା କୋରାପୁଟ ଜିଲ୍ଲା ପ୍ରଶାସନ। ଏଥିରେ ପ୍ରଶାସନକୁ ସହଯୋଗ କରିଥିଲେ ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ବୁଦ୍ଧିଜୀବୀ। ତେଣୁ ଆଶାନୁଯାୟୀ ମତଦାନ କରାଇବାରେ ବିଫଳ ହୋଇଥିଲା ଆନ୍ଧ୍ର। ଏହି ଧକ୍କା ପରେ ଗତକାଲି ପୁଣି ଗୋଟିଏ ଶକ୍ତ ଝଟକା ଆନ୍ଧ୍ର ସରକାରଙ୍କୁ ଲାଗିଥିଲା। ଆନ୍ଧ୍ର ହାଇକୋର୍ଟ ନିର୍ବାଚନକୁ ରଦ୍ଦ ପାଇଁ ହୋଇଥିବା ମାମଲାର ଶୁଣାଣି କରି ରାୟ ଆବେଦନକାରୀଙ୍କ ପକ୍ଷରେ ଦେଇଥିଲେ। ଯାହାଫଳରେ କୋଟିଆରେ ହୋଇଥିବା ନିର୍ବାଚନ ବି ରଦ୍ଦ ହୋଇଯାଇଛି।

ଅନ୍ୟପକ୍ଷରେ ଯଦି ସାନି ନିର୍ବାଚନ ହୁଏ ଏହାକୁ କିଭଳି ରୋକିହେବ କିମ୍ବା ଭୋଟର ମତଦାନ କରିବାକୁ ଯିବେ ନାହିଁ ‌ସେଥିପାଇଁ ପୂର୍ବ ପ୍ରସ୍ତୁତି କରିବା ଆରମ୍ଭ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ। ଯଦି ଏହି ମାମଲା ସୁପ୍ରିମକୋର୍ଟକୁ ଯାଏ ତେବେ ଏଥିପାଇଁ ପ୍ରଶାସନକୁ ପର୍ଯ୍ୟାପ୍ତ ସମୟ ପ୍ରସ୍ତୁତି ପାଇଁ ମିଳିଯିବ ବୋଲି କୁହାଯାଉଛି। ଆଉ ଆନ୍ଧ୍ର ସରକାର ଯଦି ହାଇକୋର୍ଟଙ୍କ ରାୟ ଅନୁଯାୟୀ ସାନି ନିର୍ବାଚନ କରନ୍ତି ତେବେ ପ୍ରାୟ ଏକ ମାସ ସମୟ ମିଳିବ ବୋଲି ଜଣାପଡ଼ିଛି। କାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାସକ ପରେ ହିଁ ନିର୍ବାଚନ ନିମନ୍ତେ ମତଦାନ ହୋଇପାରିବ। ଏମିତି ସ୍ଥିତିରେ ପ୍ରଶାସନ କୋଟିଆବାସୀଙ୍କ ସହ ପ୍ରଥମେ ଆଲୋଚନା କରିବ। ଆନ୍ଧ୍ର ପାଇଁ ଭୋଟ ନ ଦେବାକୁ ପ୍ରବର୍ତ୍ତାଇବ। ଲୋକଙ୍କ ଦାବି ଅନୁଯାୟୀ ପଦକ୍ଷେପ ବି ଗ୍ରହଣ କରିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଲୋକେ ଯେମିତି ସଚେତନ ହେବେ ଏବଂ ଓଡ଼ିଶା ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ଗ୍ରହଣ କରିବେ ସେ ଦିଗରେ ବି ଉଦ୍ୟମ ହେବ। ଏହି ପ୍ରକ୍ରିୟାରେ ଆଜି ପ୍ରଥମ ପଦକ୍ଷେପ ସ୍ବରୂପ ନିଜେ ଜିଲ୍ଲାପାଳ କୋଟିଆ ଯାଇଥିଲେ।

ଯଥଷ୍ଟେ ସମୟ ମିଳିଥିବାରୁ ଉନ୍ନୟନ କାର୍ଯ୍ୟକୁ କୋଟିଆରେ ତ୍ବରାନ୍ବିତ କରାଯାଇଛି। ଏହାର ସମୀକ୍ଷା କୋଟିଆ ପହଞ୍ଚି ଜିଲ୍ଲାପାଳ କରିଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ବି ଉପସ୍ଥିତ ଥିଲେ। ପୁସ୍ତିଲରେ ରହିଥିବା ସ୍ପ୍ରିଙ୍ଗ ଜଳସେଚନ ବ୍ୟବସ୍ଥା, ବସନା ଗେମଲଙ୍କ ଫାର୍ମ ପଣ୍ଡ, ମନରେଗାରେ ହୋଇଥିବା ୬୦ହଜାରୁ ଅଧିକ ବୃକ୍ଷ ରୋପଣ, ୨୪ହଜାର ତନ୍ତୁ ଚାରାରୋପଣ, ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟ‌େଲ, ଜଳ ବିଭାଜିକା ମିସନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ସହ କୋଟିଆ ପୁଲିସ ଷ୍ଟ‌େସନ ସହ ଅନ୍ୟ କାର୍ଯ୍ୟର ତଦାରଖ କରିଥିଲେ। ଏ ନେଇ ଜିଲ୍ଲାପାଳ ଅବଦ୍ଦଲ ଏମ. ଅଖତର କହିଛନ୍ତି ଯେ, କୋଟିଆକୁ ନେଇ ରଣନୀତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଆବଶ୍ୟକ ପଡ଼ିଲେ ଉଚିତ ଜବାବ ଦେବାକୁ ଅଧିକ ଶାଣିତ ଭାବେ ପଦକ୍ଷେପ ନିଆଯିବ। ସାନି ନିର୍ବାଚନ ନିମନ୍ତେ ଆଇନଗତ ପ୍ରକ୍ରିୟାକୁ ଶେଷ ହେବା ପୂର୍ବରୁ କୋଟିଆବାସୀଙ୍କୁ ଉଚିତ ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ଗ୍ରହଣ କରାଯିବ। କୋଟିଆରେ କିପରି ଆନ୍ଧ୍ର ନିର୍ବାଚନ ନ କରିବ ସେ ନେଇ ପ୍ରଶାସନ ପ୍ରସ୍ତୁତ ରହିଥିବା କହିଥିଲେ।

The post କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ସ୍ଥିତି ଉପରେ କୋରାପୁଟ ପ୍ରଶାସନର ନଜର first appeared on Sambad.

from ଜିଲ୍ଲା | Sambad https://ift.tt/3oHlJxD