ସମ୍ବଲପୁର : କରୋନାର କଠିନ ସମୟରେ କିଛି ଲୋକ ନିଜକୁ ସକରାତ୍ମକ ତଥା ଫଳପ୍ରଦ କାର୍ଯ୍ୟରେ ନିୟୋଜିତ ରଖି ଜୀବନ ଜିଇଁବା ପାଇଁ ନୂଆ ଆଶାର ସଂଚାର କରୁଛନ୍ତି। ମାଛ ଚାଷ, ଫୁଲ ଚାଷ କରିଥିବା ସମ୍ବଲପୁର ଜିଲ୍ଲାର କିଛି ସ୍ବୟଂ ସହାୟକ ଗୋଷ୍ଠୀ ନିଜ ପ୍ରୟାସ ଏହି ଲକ୍‌ଡାଉନ୍‌ ସମ‌ୟରେ ବି ନିଜ ଉତ୍ପାଦନକୁ ବିକ୍ରି କରି ବେଶ ଦୁଇ ପଇସା ଉପାର୍ଜନ କରିଛନ୍ତି।

ଜମନିକରାର ନାରୀ ଶକ୍ତି ସ୍ବୟଂ ସହାୟକ ଗୋଷ୍ଠୀ ତଥା ଯୁଯୁମୁରା ବ୍ଲକ ଗଡ଼ଲୋଇସିଂ ପଞ୍ଚାୟତ ମହାକୁଡ଼ପାଲିର ମା’ ଦୁର୍ଗା ସ୍ବୟଂ ସହାୟକ ଗୋଷ୍ଠୀ ପଞ୍ଚାୟତ ପୋଖରିରେ ମାଛ ଚାଷ କରିଥିଲେ। ଶୁକ୍ରବାର ଉଭୟ ଗୋଷ୍ଠୀ ପକ୍ଷରୁ ମାଛ ଧରା ଯାଇଥିଲା। ୧ କେଜିରୁ ନେଇ ୫ କେଜି ପର୍ଯ୍ୟନ୍ତ ମାଛ ମିଳିଥିଲେ। ଉଭୟ ଗୋଷ୍ଠୀ ୧୫୦ କେଜି ମାଛ ବିକ୍ରି କରିଥିଲେ। ସତେଜ ଦେଶୀ ମାଛ ଗୁଡ଼ିକ ତୁରନ୍ତ ଭଲ ଦାମ୍‌ରେ ବିକ୍ରି ହୋଇ ଯାଇଥିଲା।

ସେହିପରି ଯୁଯୁମୁରା ବ୍ଲକ୍ ବାହାମ ପଞ୍ଚାୟତର ପୁଡ଼ପଡ଼ା ବୃକ୍ଷ ସୁରକ୍ଷା ଉତ୍ପାଦକ ଗ୍ରୁପ୍‌ ଜୀବନଜୀବିକା ପାଇଁ ଫୁଲ ଚାଷକୁ ଆପଣାଇଛନ୍ତି। ସେମାନେ ଖରା ଦିନେ ବି ପ୍ରଚୁର ପରିମାଣରେ ଗେଣ୍ଡୁ ଫୁଲ ଉତ୍ପାଦନ କରିବାରେ ସକ୍ଷମ ହେଉଛନ୍ତି। ସେମାନେ ସପ୍ତାହକୁ ପ୍ରାୟ ୧.୫ କୁଇଣ୍ଟାଲ୍ ଫୁଲ ଉତ୍ପାଦନ କରି ୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଜିଲ୍ଲା ଜୀବିକା ମିସନ୍ ସୂତ୍ରରୁ ସୂଚନା ମିଳିଛି।

The post କରୋନା କାଳରେ ଭଲ ଖବର: ମାଛ ଓ ଫୁଲ ଉତ୍ପାଦନ କରି ସ୍ୱାବଲମ୍ବୀ ହେବାର ପ୍ରୟାସ first appeared on Sambad.

from ଜିଲ୍ଲା | Sambad https://ift.tt/33MFDxE