ପାଟପୁର : କରୋନା ମହାମାରୀର ଅଜଣା ଭୟ ସମସ୍ତଙ୍କ ଠାରୁ ମାନବିକତା ଓ ମଣିଷପଣିଆ ଯେମିତି ଛଡ଼ାଇ ନେଇଛି। ସାଧାରଣ ମୃତକଙ୍କ ଶବକୁ ମଧ୍ୟ ଚାରିକାନ୍ଧ ନମିଳିବା ଭଳି ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଧର୍ମରାୟପୁର ଗ୍ରାମରେ ମା’ ଓ ଝିଅଙ୍କ ୭ ଘଣ୍ଟା ବ୍ୟବଧାନରେ ମୃତ୍ୟୁ ହେବା ଏବଂ ସେମାନଙ୍କ ଶବକୁ ଚାରିକାନ୍ଧ ଦେବାକୁ କେହି ନଆସିବାରୁ ଶେଷରେ ପ୍ରଶାସନର ସହଯୋଗରେ ସତ୍କାର କରାଯାଇଛି।

ଧର୍ମରାୟପୁର ଗ୍ରାମର ତମାଳ ପଣ୍ଡା (୭୦) ତିନି ଦିନ ତଳେ ତାଙ୍କ ଝିଅ ନଳିନୀ ଆଚାର୍ଯ୍ୟ (୪୦)ଙ୍କ ଘର ବ୍ରହ୍ମପୁର ଆସିଥିଲେ। ଗତକାଲି ତମାଳ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଝିଅ ଓ ଜ୍ବାଇଁ ମିଶି ତମାଳଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତମାଳ ପ୍ରାଣ ହରାଇବା ପରେ ଗତକାଲି ଅପରାହ୍‌ଣ ୫ଟାରେ ତାଙ୍କ ଶବକୁ ଆମ୍ବୁଲାନ୍ସ୍ ଯୋଗେ ଧର୍ମରାୟପୁର ଗ୍ରାମକୁ ଅଣା ଯାଇଥିଲା। ହେଲେ କରୋନା ଭୟରେ ତମାଳଙ୍କ ଶବ ଦାହ କରିବା ଲାଗି ସାହି‌ପଡ଼ିଶା ସହଯୋଗ କରି ନଥିଲେ।

ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କୁ ଅବଗତ କରାଯିବା ପରେ ଚାରିଟି ପିପିଇ କିଟ୍‌ର ବ୍ୟବସ୍ଥା କରିଥିଲେ। ଜ୍ବାଇଁ ଓ ପୁଅ ସମେତ ଗ୍ରାମର ଦୁଇଜଣ ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ତମାଳଙ୍କ ଶବକୁ ଦାହ କରି ଫେରିଥିଲେ। ଏହି ଘଟଣାର ୭ ଘଣ୍ଟା ପରେ ଅର୍ଥାତ୍ ବିଳମ୍ବିତ ରାତି ୧୨ଟାରେ ତମାଳଙ୍କ ଝିଅ ନଳିନୀଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ହୋଇଥିଲା। ଆଜି ସକାଳ ୧୦ ଘଣ୍ଟା ପର୍ଯ୍ୟନ୍ତ ଶବ ସେମିତି ଘରେ ପଡ଼ି ରହିଥିଲେ ବି ଶବକୁ ଚାରିକାନ୍ଧ ଦେବା ତ ଦୂରର କଥା, କେହି ଆହା ପଦେ କହିବାକୁ ଆସି ନଥିଲେ। ଏହାପରେ ମୃତକଙ୍କ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଅବଗତ କରାଇଥିଲେ।

ସାନଖେମୁଣ୍ଡି ବିଡିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ.ଶ୍ରୀନିବାସ ବେହେରା ଏବଂ ପାଟପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ଉପସ୍ଥିତିରେ ଏରେଣ୍ଡ୍ର। ଗ୍ରାମର ଦୁଇ ସ୍ୱେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଳୁ ଜେନା ଏବଂ ଭାଇ ଓ ସ୍ବାମୀ ସମସ୍ତେ ମିଶି ପିପିଇ କିଟ୍ ପିନ୍ଧି ନଳିନୀଙ୍କ ଶବକୁ ନେଇ ଶ୍ମଶାନରେ ସଂସ୍କାର କରିଥିଲେ। ପ୍ରଶାସନର ଏଭଳି ମହାନ୍ କାର୍ଯ୍ୟକୁ ସବୁ ମହଲରେ ସ୍ଵାଗତ କରାଯାଇଛି।

୧୨ ଘଣ୍ଟା ମଧ୍ୟରେ ମା’-ପୁଅ ଆଖି ବୁଜିଲେ
ଲରମ୍ଭା : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମରେ ୧୨ ଘଣ୍ଟା ମଧ୍ୟରେ ଗୋଟିଏ ପରିବାରର ମା-ପୁଅଙ୍କ କରୋନାରେ ମୃତ୍ୟୁ ହୋଇଛି। ପ୍ରକାଶଥାଉ କି, ତମିଆଁ ହାଇସ୍କୁଲର ଅବସରପ୍ରାପ୍ତ କିରାଣି ବିରଞ୍ଚି ରଣାଙ୍କ ଧର୍ମପତ୍ନୀ ସୁଶୀଳା ରଣା (୫୯) ଓ ତାଙ୍କ ବଡ଼ପୁଅ ହେମନ୍ତ ରଣା (୪୦) କରୋନାରେ ଆକ୍ରନ୍ତ ହୋଇ ବଲାଙ୍ଗୀର କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତ ୧୩ ତାରିଖ ସନ୍ଧ୍ୟା ୫ ଟାରେ ଚିକିତ୍ସାଧୀନ ଅବସ୍ଥାରେ ହେମନ୍ତଙ୍କ ମୃତ୍ୟୁ ହୋଇଥିଲା । ସେତେବେଳକୁ ହେମନ୍ତଙ୍କ ମା ସାମାନ୍ୟ ସୁସ୍ଥ ହେବାପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ। ଘରେ ପହଞ୍ଚି ବଡ଼ପୁଅ ହେମନ୍ତର ମୃତ୍ୟୁ ଖବର ଶୁଣିବା ପରେ ମା ସୁଶୀଳା ଦୁଃଖରେ ଭାଙ୍ଗି ପଡ଼ିବା ସହ ପୁଅର ଚିନ୍ତାରେ କାନ୍ଦି କାନ୍ଦି ପରବର୍ତ୍ତୀ ଦିନ ଅର୍ଥାତ୍‌ ୧୪ ତାରିଖ ସକାଳ ୫ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ହେମନ୍ତ ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଧର୍ମଶାଳା ହାଇସ୍କୁଲରେ ଖେଳ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ। ତାଙ୍କର ପତ୍ନୀ ଓ ଦୁଇଟି ଝିଅ ଅଛନ୍ତି।

The post ମା’ ମୃତ୍ୟୁର ୭ ଘଣ୍ଟାରେ ଆଖି ବୁଜିଲା ଝିଅ; ମିଳିଲାନି ଚାରିକାନ୍ଧ, ପ୍ରଶାସନ ସହଯୋଗରେ ଶବ ସତ୍କାର first appeared on Sambad.

from ଜିଲ୍ଲା | Sambad https://ift.tt/3tSK7gN