
କାଳିଆପାଣି : ଇମ୍ଫା ସୁକିନ୍ଦା କ୍ରୋମାଇଟ୍ ଖଣିରେ ରବିବାର ରାତି ସାଢ଼େ ୮ଟା ବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାରୁ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ସହକର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ଜଣକ ସ୍ଥାନୀୟ ରାଁସୋଳ ପଞ୍ଚାୟତ ଅନ୍ତର୍ଗତ କୁସୁମୁଣ୍ଡିଆ ଗାଁର ମୁନା ଲୋହାର(୪୦) ଓ ଗୁରୁତର ଥିବା ଯୁବକ ଜଣକ କାଳିଆପାଣି ଥାନା ସମ୍ମୁଖ ଚିରିଗୁଣିଆ ଗାଁର ସୁବାସ ମୁଣ୍ଡା(୨୭) ବୋଲି ଜଣାପଡ଼ିଛି।
ଏହି ଖୋଲା ଖଣିରେ ଠିକାଦାର ଏନ୍ଏସ୍ପିଏଲ୍ କମ୍ପାନି ପକ୍ଷରୁ ବି’ ସିପ୍ଟ୍ କାମ ଜାରି ରହିଥିବା ଖଣି ମଧ୍ୟସ୍ଥ କ୍ରିୟାଶୀଳ କ୍ରସରରେ ଦୁର୍ଘଟଣା ଘଟିଥିଲା। ୨୦ ଫୁଟରୁ ଅଧିକ ଉଚ୍ଚତାରେ ଥିବା କ୍ରସରର ହପ୍ପର ହଠାତ୍ ଛିଣ୍ଡି ପଡ଼ିବାରୁ ଏହା କାର୍ଯ୍ୟରତ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। କମ୍ପାନି କର୍ତ୍ତୃପକ୍ଷ, ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଓ ସେକେଣ୍ଡ୍ ଅଫିସର ଏସ୍ଆଇ ବିଭୂତି ଭୂଷଣ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦେଢ଼ଘଣ୍ଟା ଧରି ଉଦ୍ୟମ ହୋଇଥିଲେ ମଧ୍ୟ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ୨ଜଣ ଯାକ ଶ୍ରମିକଙ୍କୁ ଉଦ୍ଧାର କରାଯାଇପାରିନି। ସଂକଟାପନ୍ନ ଅବସ୍ଥାରେ ଥିବା ସୁବାସଙ୍କ ମୁହଁରୁ କ୍ରୋମାଇଟ୍ ପଥର କଢ଼ାଯାଇ ଏକ ଆମ୍ବୁଲାନ୍ସରୁ ଅକ୍ସିଜେନ୍ ମାସ୍କ୍ ଲଗାଯାଇଥିବା ବେଳେ ମୁନାଙ୍କ ଉପରେ ପଥରଭର୍ତ୍ତି ହପ୍ପର ଚାପିହୋଇ ରହିଥିବା ନେଇ ଏକାଧିକ ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ରାତି ୧୦ଟା ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଏବଂ ଏହା ଆହୁରି ୨ ଘଣ୍ଟାରୁ ଅଧିକ ସମୟ ଲାଗିପାରେ ବୋଲି ଥାନା ଅଧିକାରୀ ଶ୍ରୀ ମୁଦୁଲିଙ୍କ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ଖଣିରେ ଦୁର୍ଘଟଣାକୁ ନେଇ ସହକର୍ମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଖଣିକାର୍ଯ୍ୟ ବନ୍ଦ୍ ରହିଥିବା ଜଣାପଡ଼ିଛି।
The post ଇମ୍ଫା ଖଣିରେ ଦୁର୍ଘଟଣା: ଜଣେ ମୃତ, ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/34bAShm
0 Comments