
ଜଗତସିଂହପୁର : କୋଭିଡ୍ ନିୟମ ଉଲ୍ଲଘଂନ କରି ବରଯାତ୍ରୀ ଦଳ ସହ ନାଗିନୀ ନୃତ୍ୟ ନାଚିବା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲ୍ର ତହସିଲ୍ଦାର୍ ବୁଲ୍ବୁଲ୍ ବେହେରାଙ୍କ ପାଇଁ ମହଙ୍ଗା ପଡ଼ିଛି। ତାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
ଗତ ୨୧ ତାରିଖ ରାତିରେ ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଜଗନ୍ନାଥପୁର ପଞ୍ଚାୟତ ବିଳାସ ଗ୍ରାମକୁ ଏହି ବରଯାତ୍ରୀ ଦଳ ଆସିଥିଲେ। ବରର ଭଉଣୀ ତଥା ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା ବରଯାତ୍ରୀ ଦଳ ସହ ନାଗିନୀ ଓ ବିଭିନ୍ନଧରଣର ନାଚ ନାଚିଥିଲେ। ନାଚିବାବେଳେ ତହସିଲଦାରଙ୍କ ସମେତ ଅଧିକାଂଶଙ୍କ ମୁହଁରେ ନା ଥିଲା ମାସ୍କ୍, ନା ଥିଲା ସେମାନଙ୍କ ଭିତରେ ସାମାଜିକ ଦୂରତା। ହାତ ଧରାଧରି ହୋଇ ବାଦ୍ୟଗୀତର ତାଳେ ତାଳେ ନିର୍ବିଘ୍ନରେ ନାଚି ଚାଲିଥିଲେ। ଏହାର ଭିଡିଓ ଭାଇରାଲ୍ ହେବା ପରେ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା।
ତିର୍ତୋଲ ଏସ୍ଡିପିଓ ଦୀପକ ରଂଜନ ଜେନା କହିଛନ୍ତି, ଭିଡିଓ ଭାଇରାଲ୍ ହେବା ପରେ ତୁରନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ନାଚଗୀତ ଶେଷ ହୋଇ ଯାଇଥିଲା ଏବଂ ସେଠାରେ କେହି ନଥିଲେ। ତେବେ ଭିଡିଓକୁ ଆଧାର କରି ତିର୍ତୋଲ ଥାନା ପୁଲିସ୍ ଏକ ମାମଲା ରୁଜୁ କରିଥିଲା ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, କୋଭିଡ୍ ମହାବିପତ୍ତି କାଳରେ ସରକାରଙ୍କ ଗାଇଡ୍ଲାଇନ୍ ପାଳନକୁ କଡ଼ାକଡ଼ି କରାଯାଇଥିବାବେଳେ ସୁକିନ୍ଦା ତହସିଲଦାର ଶ୍ରୀମତୀ ବେହେରା ଏହି ନିୟମକୁ ଉଲ୍ଲଂଘନ କରି ୨୫ରୁ ଅଧିକ ବରଯାତ୍ରୀ ନେଇ ନାଚଗୀତରେ ସାମିଲ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ରାଜ୍ୟ ସରକାରଙ୍କ ଜଣେ ଦାୟିତ୍ବସମ୍ପନ୍ନ ପ୍ରାଶାସନିକ ଅଧିକାରୀ ଏପରି ଢଙ୍ଗରେ କୋଭିଡ୍ ନିୟମକୁ ନମାନି ବିବାହ ଭୋଜିରେ ଯୋଗଦେଇଥିବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ନାପସନ୍ଦ କରାଯାଇଛି।
The post ବରଯାତ୍ରୀ ଦଳ ସହ ନାଗିନୀ ନୃତ୍ୟ ମହଙ୍ଗା ପଡ଼ିଲା, ସୁକିନ୍ଦା ତହସିଲ୍ଦାର୍ଙ୍କ ବିରୋଧରେ ମାମଲା first appeared on Sambad.from ଜିଲ୍ଲା | Sambad https://ift.tt/3ffpG9W
0 Comments