
ରାଜନଗର : ବାତ୍ୟା ୟାସ ପ୍ରଭାବରେ ୨୪ ତାରିଖ ଭୋର ଠାରୁ ରାଜନଗରରେ ଅତି ପ୍ରବଳ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ଆରମ୍ଭ ହୋଇଯାଇଛି।
ରାଜନଗର ବ୍ଲକ ବଂଗୋପସାଗର କୂଳରେ ଅବସ୍ଥିତ। ବ୍ଲକର ୪୮ଟି ଗାଁ ସମୁଦ୍ରର ୨ କିମି ମଧ୍ୟରେ ଅବସ୍ଥିତ। ବାତ୍ୟା ସହିତ ସମୁଦ୍ରରେ ୧୦ରୁ ୧୨ ଫୁଟ ଉଚ୍ଚର ଜୁଆର ଉଠିବାର ସମ୍ଭାବନା ଥିବାରୁ ସମୁଦ୍ର ଓ ନଦୀ କୂଳିଆ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି। ରାଜନଗରର କିଛି ନଦୀବନ୍ଧ ଦୁର୍ବଳ ଅବସ୍ଥାରେ ଥିବାରୁ ଏହି ଜୁଆର ଉଠିଲେ ଲୁଣା ଜୁଆର ଜନବସତି ମଧ୍ୟକୁ ମାଡି ଆସିବାର ସମ୍ଭାବନା ରହିଛି। ବାତ୍ୟାର ଗତିପଥ ମଧ୍ୟରେ ରାଜନଗର ଥିବାରୁ ତଳିଆ ଅଂଚଳ, କଚ୍ଚା ଘରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟ ସ୍ଥଳରେ ରଖିବାକୁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ବ୍ଲକର ୪୬ଟି ବାତ୍ୟା ଆଶ୍ରୟସ୍ଥଳ ସମେତ ୫୪ଟି ବିଦ୍ୟାଳୟକୁ ପ୍ରସ୍ତୁତ ରଖାଯାଇଛି। ୧୦୦ଟି ଆଶ୍ରୟ ସ୍ଥଳରେ ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀ, ଶିକ୍ଷକ, ବାତ୍ୟା ଆଶ୍ରୟସ୍ଥଳର ସଂପାଦକ ଓ ଅନ୍ୟ ସରକାରୀ ଅଧିକାରୀମାନେ ପ୍ରସ୍ତୁତ ହୋଇରହିଛନ୍ତି। ବ୍ଲକର ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରି ଆଶ୍ରୟସ୍ଥଳରେ ରଖିବା ପାଇଁ ବ୍ଲକ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ହବାଳିଖଟି, ଏକକୂଳା ଓ ବରୁଣେଇଠାରେ ନିୟୋଜିତ ବନ କର୍ମଚାରୀଙ୍କୁ ଫେରାଇ ଅଣାଯାଇଛି।
ସୋମବାର ଅପରାହ୍ନ ୫ଟା ସୁଦ୍ଧା ସାତଭାୟାବାସୀଙ୍କ ଥଇଥାନସ୍ଥଳ ବଗପାଟିଆସ୍ଥିତ ଓସଡମା ବାତ୍ୟା ଆଶ୍ରୟସ୍ଥଳୀ ଓ ପଂଚୁବରାହୀ ହାଇସ୍କୁଲରେ ୨ଶହ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି। ପୁରୁଣା ସାତଭାୟା ପଂଚାୟତର ମଗରକନ୍ଦାର ଗାଁର ୬୦ ପରିବାରକୁ ପ୍ରଥମ ଦଫାରେ ସ୍ଥାନାନ୍ତର କରାଯାଇଛି। ୬୦ ପରିବାରର ୩ଶହ ସଦସ୍ୟଙ୍କ ମଧ୍ୟରୁ ୨ଶହ ଲୋକ ଆଶ୍ରୟସ୍ଥଳରେ ପହଁଚି ସାରିଛନ୍ତି। ରାତି ସୁଦ୍ଧା ମଗରକନ୍ଦାର ସମସ୍ତ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରି ଅଣାଯିବ। ଏହି ଗାଁକୁ ଚାରିପଟୁ ନଈ ଓ ସମୁଦ୍ର ଘେରି ରହିଛି। ପ୍ରଥମ ଦଫାରେ ମଗରକନ୍ଦାର ୬୦ ପରିବାରକୁ ଲୋକଙ୍କୁ ନଈ ପାର କରି ସ୍ଥାନାନ୍ତର କରାଯାଉଛି।
ଜିଲ୍ଲା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମନ୍ଦରଧର ମହାଳିକ, ରାଜନଗର ବିଡିଓ ରବିନ୍ଦ୍ର କୁମାର ପ୍ରଧାନ ସ୍ଥାନାନ୍ତର ପ୍ରକ୍ରିୟାର ତଦାରଖ କରୁଛନ୍ତି। ବିଧାୟକ ଧ୍ରୁବ ସାହୁ କୋଇଲିପୁର, ବ୍ରାହ୍ମଣସାହି, ହାତିନା, ଡେରା, ଗୁପ୍ତି, ସାତଭାୟା ପଂଚାୟତର ବାତ୍ୟା ଆଶ୍ରୟସ୍ଥଳ ବୁଲିବା ସହ କଚ୍ଚାଘରେ ଥିବା ଲୋକଙ୍କୁ ଆଶ୍ରୟସ୍ଥଳ ଯିବାକୁ ସଚେତନ କରୁଛନ୍ତି।ତାଳଚୁଆ ସାମୁଦ୍ରିକ ଥାନା ଅଂଚଳର ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ରାଜନଗର ଥାନାର ଆଇଆଇସି ତପନ କୁମାର ନାୟକ, ତହସିଲଦାର ଭୋଳାନାଥ ସେଠୀ ପ୍ରମୁଖ ବିପନ୍ନଙ୍କୁ ଭେଟି ଆଶ୍ରୟସ୍ଥଳ ଯିବାକୁ ବୁଝାଉଛନ୍ତି।
The post ରାଜନଗରରେ ପ୍ରସ୍ତୁତି: ୩୦୦ ଲୋକଙ୍କୁ ଆଶ୍ରୟସ୍ଥଳକୁ ନିଆଗଲା first appeared on Sambad.from ଜିଲ୍ଲା | Sambad https://ift.tt/2SpPJSw
0 Comments