କୋଣାର୍କ : କୋଣାର୍କର ଏକ ସୁଉଚ୍ଚ ବାଲିବନ୍ତରୁ ବାଲି ଚୋରା ଚାଲାଣ କରାଯାଉଥିବା ବେଳେ ସେଠାରୁ ବହୁ ପୁରାତନ ବିଶାଳ ପଥରଖଣ୍ଡମାନ ବାହାରୁଛି। ଉକ୍ତ ପଥରଖଣ୍ଡ ସବୁ କୋଣାର୍କ ସୂର୍ଯ୍ୟମନ୍ଦିର‌ ନିର୍ମାଣରେ ବ୍ୟବହୃତ ହୋଇଥିବା ପୁରାତନ ପଥରଖଣ୍ଡ ସହିତ ମେଳଖାଉଛି। ଉକ୍ତ ସ୍ଥାନରେ ପଡ଼ି ରହିଥିବା ପଥରଖଣ୍ଡଗୁଡ଼ିକ ଦେହରେ ଲୁହା ଆ‌ଙ୍ଗେଲ ଲାଗିଥିବାର ଚିହ୍ନ ଥିବାରୁ ଉକ୍ତ ସ୍ଥାନରେ ପୁରାତନ ମନ୍ଦିର କିମ୍ବା ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷ ଲୁଚି ରହିଥିବାର ଅନୁମାନ କରାଯାଉଛି। ଏବେ ଯେଉଁଠାରୁ ବାଲି ତଳୁ ପଥର ବାହାରୁଛି ତାହା କୋଣାର୍କ ସୂର୍ଯ୍ୟମନ୍ଦିରଠାରୁ ପ୍ରାୟ ପାଞ୍ଚ କିମି ଦୂରରେ ଓ ପଥରଭସା ନାଳଠାରୁ ପ୍ରାୟ ଏକ କିମି ଦୂରରେ ରହିଛି। ବାଲି ଚାଲାଣ ବେଳେ ଏହି ପଥରଗୁଡ଼ିକୁ ଲୁଟି ନେଉଛନ୍ତି ମାଫିଆ।

କୋଣାର୍କ ଜୁଣେଇଁ ବଂଶୀ ବଜାର ଛକଠାରୁ କପିଳେଶ୍ବର ଯିବା ରାସ୍ତା ପାର୍ଶ୍ବରେ ରହିଛି ନଳକଣ ଦାଶ(କେଳା) ସାହି। ଉକ୍ତ ସାହି ପଛକୁ ରହିଛି ଏକର ଏକର କାଜୁ ଜଙ୍ଗଲ ଓ ବାଲିବନ୍ତ। ଉକ୍ତ ସ୍ଥାନଟି କୋଣାର୍କ ଥାନା ଅଧୀନ ବେରୁହଁ ମୌଜାରେ ରହିଛି। ପୂର୍ବରୁ ବାଲି ଚୋରାଚାଲାଣ ସମୟରେ ଉକ୍ତ ସ୍ଥାନରୁ ପଥରରେ ନିର୍ମିତ କୁଅନନ୍ଦ, ବଟାଶିଳ, କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ମୂର୍ତ୍ତି ବାହାରିଥିଲେ ମଧ୍ୟ ଉକ୍ତ ସ୍ଥାନରୁ ସେଗୁଡ଼ିକୁ ଗାଏବ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ହେଲିପ୍ୟାଡ୍‌ ଓ ମନ୍ଦିର ବେଢ଼ାରୁ ବାଲି ଚାଲାଣ ସମୟରେ ମଧ୍ୟ କାରୁକାର୍ଯ୍ୟପୂର୍ଣ୍ଣ ପଥର ବାହାରିଥିବାର ନଜିର ରହିଛି।

ମାତ୍ର ଏ ଦିଗରେ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କିମ୍ବା ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନରେ ଥିବା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ କେହି ପଦକ୍ଷେପ ନ ନେବାରୁ ଉକ୍ତ ପଥରଖଣ୍ଡସବୁ ଦିନ କେଇଟାରେ ଗାଏବ ହୋଇଯାଇଥିଲା। ନିୟମିତ ବାଲି ଚୋରାଚାଲାଣ ଯୋଗୁ ଏବେ ବାଲିବନ୍ତ ଅପସରି ଯାଇ ଉକ୍ତ ସ୍ଥାନରେ ଏକ ବିରାଟ ଗାଡ଼ିଆ ସଦୃଶ ଖାଲ ସୃଷ୍ଟି ହୋଇଛି। ମାଟିତଳେ ଆହୁରି ଅନେକ ପଥରଖଣ୍ଡ ଲୁଚି ରହିଥିବା ସ୍ଥାନୀୟ ଅଂଚଳର ବରିଷ୍ଠ ନାଗରିକମାନେ ମତ ରଖିଛନ୍ତି।

ବାଲି ଖୋଳାଯାଇଥିବା ସ୍ଥାନରେ ଏକ ସୁଉଚ୍ଚ ବାଲିବନ୍ତ ରହିଥିଲା। ସେ ସମୟରେ ପୁରୀ ରଥଯାତ୍ରାକୁ ଯେଉଁମାନେ ଯାଇ ପାରୁ ନ ଥିଲେ ସେମାନେ ଉକ୍ତ ବାଲିବନ୍ତ ଉପରକୁ ଯାଇ ପତିତପାବନ ଦର୍ଶନ କରି ଉଖୁଡ଼ାଭୋଗ କରୁଥିଲେ। ତେଣୁ ଉକ୍ତ ବାଲିବନ୍ତକୁ ଉଖୁଡ଼ାଲାଗି ଦର୍ଶନୀବନ୍ତ ବୋଲି ମଧ୍ୟ କୁହାଯାଇଥାଏ ବୋଲି ବୟସ୍କ ଲୋକମାନେ ମତ ଦେଇଛନ୍ତି। ପୁରାତନ ପଥରଖଣ୍ଡ ବାହାରୁଥିବା ଏହି ସ୍ଥାନକୁ ଯଦି ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ଖନନ କରାଯାଏ ତେବେ ଏହି ସ୍ଥାନରୁ ବହୁ ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।

The post ବାଲି ଚାଲାଣ ବେଳେ ଲୁଟୁଛନ୍ତି ପ୍ରାଚୀନ ପଥର, ମାଟିତଳେ ଥାଇପାରେ ପ୍ରାଚୀନ ସଭ୍ୟତାର ଅଂଶ first appeared on Sambad.

from ଜିଲ୍ଲା | Sambad https://ift.tt/3xUSeN0