
ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସକୁ ସୋମବାର ଏକ ବଡ଼ ସଫଳତା ମିଳିଛି। ବେଆଇନ ଭାବେ ବିପଚଳ ପରିମାଣର ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଖଡ଼ିଆଳ ବ୍ଲକ୍ ଅଧ୍ୟକ୍ଷା ନିଳାନ୍ଦ୍ରୀ ମେହେରଙ୍କ ସ୍ବାମୀ ପ୍ରେମ ସାଗର ମେହେର(୪୧)ଙ୍କୁ ଗିରଫ କରିଛି।
ନୂଆପଡ଼ା ଏସପି ରାହୁଲ ଜୈନ ଖଡ଼ିଆଳ ଥାନାରେଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏସ୍ପିଙ୍କ ସୂଚନା ଅନୁଯାୟୀ ତୁକୁଲା ଗ୍ରାମର ପ୍ରେମ ସାଗରଙ୍କ ପାଖରେ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଖଡ଼ିଆଳ ଏସ୍ଡିପିଓ ସନ୍ତକ ଜୈନଙ୍କ ନେତୃତ୍ବରେ ରବିବାର ରାତିରେ ଶ୍ରୀ ମେହେରଙ୍କ ଘରେ ଚଢ଼ଉ କରାଯାଇଥିଲା। ପୁଲିସ ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ କରିଥିଲା। ପ୍ରାୟ ୨୯୨୫ ଜିଲୋଟିନ୍ ଷ୍ଟିକ, ୨୯ଟି ସିଲ୍ ପ୍ଲାଷ୍ଟିକ ବସ୍ତା ଆମୋନିୟମ ନାଇଟ୍ରେଟ ୫୦ କେଜି, ଗୋଟିଏ କାର୍ତିନ ସିଲ ୩୪ ବଣ୍ଡଲ ହାରାହାରି ୮୪୪ ଗୋଟି ଡେଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା, ଦୁଇଟି ଟ୍ରାକ୍ଟଟର୍, ଦୁଇଟି କମ୍ପ୍ରେସର ଟ୍ରାକ୍ଟର, ୪ଟି ଲୁହା ଶାବଳ ଜବତ ହୋଇଛି। କେସ ନଂ ୧୫୭/୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମ ସାଗରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଆରକ୍ଷୀ ଅଧିକ୍ଷକଙ୍କ ବ୍ୟତୀତ ଏସ୍ଡିପିଓ ଶ୍ରୀ ଜୈନ୍, ଖଡ଼ିଆଳ ଥାନା ଅଧିକାରୀ କୈଳାସ ଚନ୍ଦ୍ର ସେଠ ଉପସ୍ଥିତ ଥିଲେ। ଏହି ଘଟଣା ବର୍ତ୍ତମାନ ଜିଲ୍ଲାରେ ଚର୍ଚ୍ଚା ବିଷୟ ହୋଇଛି। ଏତେ ପରିମାଣରେ ବିସ୍ଫୋରକ ସାମଗ୍ରୀ ଦେଲା କିଏ ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
The post ବିପୁଳ ବିସ୍ଫୋରକ ଜବତ, ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/2RKiOrr
0 Comments