
ବାରିପଦା:ଓରମାସ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ମୟୂର ଶିଳ୍ପ ସମ୍ମୁଖରେ ଆମ୍ବର ଖୁଚୁରା ଆଉଟଲେଟ ଷ୍ଟୋର ଗାଁ ଆମ୍ବ ପସରାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ସମୟରେ ସମ୍ମାନୀତ ଅତିଥି ଭାବେ ପିଡ଼ି ଡିଆରଡିଏ ଭବେଶ କୁମାର ନାୟକ, ଉଦ୍ୟାନ ଓ କୃଷି ବିଭାଗର ଉପନିର୍ଦ୍ଦେଶକ ଶିଶିର କୁମାର ଆଚାର୍ଯ୍ୟ, ଡିସିପିଓ ମମତାମୟୀ ବିଶ୍ୱାଳ, ଓରମାସର ଡେପୁଟୀ ସିଇଓ ବିମାନ ମାଲ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୟରେ ପନିପରିବା କୃଷକ ଉତ୍ପାଦନ କମ୍ପାନୀର ସିଇଓ ଶୁଭକାନ୍ତ ଜେନା ଓ ମାର୍କେଟିଂ ମ୍ୟାନେଜର ଦିପାୟନ ତ୍ରିପାଠୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।
ପ୍ରକାଶ ଥାଉକି, ୨୦୧୬ ମସିହାରେ ତତ୍କାଳୀନ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ମୟୂରଭଞ୍ଜ ଜିଲ୍ଲାରେ ଉତ୍ପାଦିତ ଫଳ ଓ ପନିପରିବା ଚାଷୀମାନଙ୍କର ଉତ୍ପାଦିତ ସାମଗ୍ରୀକୁ ଉଚିତ ମୂଲ୍ୟରେ ବିକ୍ରିବଟା କରାଇବା ସହ ସେମାନଙ୍କୁ ଅଧିକ ମୁନାଫା କମାଇବା ମହତ୍ ଉଦ୍ଦେଶ୍ୟ ନେଇ ମୟୂରଭଞ୍ଜ ଫଳ ଏବଂ ପନିପରିବା ଚାଷୀ ଉତ୍ପାଦନ କମ୍ପାନୀ ପ୍ରବ୍ୟୁସର ଗ୍ରୁପ ଗଠନ କରାଇଥିଲେ । ବିଗତ ୫ ବର୍ଷ ଧରି ଉକ୍ତ ପ୍ରଡ଼୍ୟୁସର ଗ୍ରୁପର ଉତ୍ପାଦିତ ଆମ୍ବକୁ ମଦର ଡାଇରୀ, ରିଲାଏନ୍ସ ଫ୍ରେସ, ନାଫେଡ଼ ଏବଂ ଅନ୍ୟାନ୍ୟ କମ୍ପାନୀଗୁଡ଼ିକ ଦ୍ୱାରା ମହାରାଷ୍ଟ୍ର , ଦିଲ୍ଲୀ, ୟୁପି, ବିହାର ଆଦି ରାଜ୍ୟ ସହ ସାସାରାମକୁ ପଠାଇ ଆସୁଛନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ବାହାର ରାଜ୍ୟକୁ ଆମ୍ବ ରପ୍ତାନୀ କେତେକାଂଶରେ ବାଧା ପ୍ରାପ୍ତ ହୋଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାରିପଦାରେ ଏକ ରିଟେଲ ଷ୍ଟଲ ମେ ୨୪ରୁ ଆରମ୍ଭ ହୋଇଛି ।

ଯେଉଁଥିରେ ଆମ୍ବ ଚାଷୀମାନେ ସେମାନଙ୍କର ଆମ୍ବକୁ ନିଜେ ବିକ୍ରି କରିପାରୁଛନ୍ତି ଏବଂ ଜନସାଧାରଣ ମଧ୍ୟ କୋଭିଡ଼ ନିୟମକୁ ପାଳନ କରି ଷ୍ଟଲରୁ ତଟକା ଆମ୍ବ କିଣିବାର ସୁଯୋଗ ପାଇଛନ୍ତି । ଷ୍ଟଲରେ ସୁନ୍ଦରୀ, ଆମ୍ରାପଲୀ, ଦୋଶରୀ, ଲେଙ୍ଗଡ଼ା, ଗୋପାଳଭୋଗ, ମଲ୍ଲୀକା ଆଦି ବିଭିନ୍ନ କିସମର ସ୍ୱାଦିଷ୍ଟ ଆମ୍ବ ଉଚିତ ମୂଲ୍ୟରେ ବିକ୍ରି କରାଯାଉଛି । ସେହିପରି ଜିଲ୍ଲାରେ ବାଙ୍ଗିରିପୋଷି ଓ ମୋରଡ଼ା ବ୍ଲକରେ ମଧ୍ୟ ଗାଁ ଆମ୍ବ ପସରା ନାମରେ ରିଟେଲ ଷ୍ଟଲ ଖୋଲାଯାଇଥିବା ବେଳେ ୪ ଶହ ମେଟ୍ରିକ ଟନ ଆମ୍ବ ବିକ୍ରି କରାଯିବାର ଲକ୍ଷ୍ୟ ରଖାଯାଇଛି ।
The post ଆମ୍ବର ଖୁଚୁରା ଆଉଟଲେଟ ଷ୍ଟୋର ଗାଁ ଆମ୍ବ ପସରା ଉଦଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/2SAdaZw
0 Comments