ପୁରୀ: ରଥ ନିର୍ମାଣ କାର୍ଯ୍ୟରେ ପର୍ଯ୍ୟାୟକ୍ରମେ ପ୍ରାୟ ୨ଶହ ସେବାୟତ ନିୟୋଜିତ ରହିବେ। ସେଥିରେ ମହାରଣା ସେବାୟତ, ଭୋଇ ସେବାୟତ, ଚିତ୍ରକର ସେବାୟତ, ରୂପକର ସେବାୟତ ଓ କମାର ସେବାୟତ ଆଦି ସେବା କରନ୍ତି। ତେବେ କରୋନା ଠାରୁସେମାନଙ୍କୁ ଦୂରେଇ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଥର ଥର କରି ସେବାୟତମାନଙ୍କର କୋଭିଡ଼ ପରୀକ୍ଷା କରାଇବା ପରେ ସେମାନଙ୍କୁ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କରାଯିବା ପାଇଁ ବ୍ୟବସ୍ଥା ହୋଇଛି ବୋଲି ଶ୍ରୀମନ୍ଦିର ପ୍ରଶାସକ ଅଜୟ ଜେନା କହିଛନ୍ତି।

ସେ କହିଛନ୍ତି ଯେ ପ୍ରଥମ ଗୋଷ୍ଠୀଙ୍କୁ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ କୋଭିଡ଼ ପରୀକ୍ଷା କରାଇ ସେମାନଙ୍କୁ ଗୁଣ୍ଡିଚା ଭକ୍ତ ନିବାସରେ ରଖାଯାଉଛି। ଏହାର ୪୮ ଘଣ୍ଟା ପରେ ସେମାନଙ୍କ ପରୀକ୍ଷା ରିପୋର୍ଟ ଆସିବା ପରେ ନେଗେଟିଭ ଥିବା ସେବାୟତମାନଙ୍କୁ ନିଳାଦ୍ରୀ ଭକ୍ତ ନିବାସରେ ରହି ରଥଖଳାରେ ସେବାକାର୍ଯ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି। ଯେଉଁମାନେ କୋଭିଡ଼ ସଂକ୍ରମିତ ବୋଲି ଜଣାପଡ଼ିବ ତେବେ ସେମାନଙ୍କୁ ନିଳାଚଳ ଭକ୍ତ ନିବାସରେ ସେବାୟତମାନଙ୍କ ପାଇଁ କରାଯାଇଥିବା କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।

ସେହିପରି ଆଜି ରଥଖଳାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ସେବାୟତମାନଙ୍କ ମଧ୍ୟରୁ ୮୮ ଜଣ ନୀଳାଦ୍ରୀ ଭକ୍ତ ନିବାସରେ ଅଛନ୍ତି ଆଉ ୮ ସେବାୟତ ଜଣ କୋଭିଡ଼ ସଂକ୍ରମିତ ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଭୋଇ ସେବାୟତ ଓ ୩ ଜଣ ମହାରଣା ସେବାୟତ କୋଭିଡ଼ ସଂକ୍ରମିତ ଅଛନ୍ତି। ସେହିପରି ଏପର୍ଯ୍ୟନ୍ତ ୨ ଜଣ ସେବାୟତ, ୨ ଜଣ ସେବାୟତ ପରିବାର ସଦସ୍ୟ ଏବଂ ଜଣେ ଜେଟିପି କୋଭିଡ଼ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ନେଇ ପ୍ରଶାସକ ଜେନା କହିଛନ୍ତି।

ଗତ କାଲି ସୁଦ୍ଧା ୧୭୭ ଜଣ ସେବାୟତ ଓ ତାଙ୍କର ପରିବାରବର୍ଗ କୋଭିଡ଼ ସଂକ୍ରମିତ ଥିଲେ। ସେମାନଙ୍କ ମଧ୍ୟରୁ ୧୦୯ ଜଣ ସୁସ୍ଥ ହୋଇଥିବା ବେଳେ ୬୬ ଜଣ ଏବେ ସଙ୍ଗରୋଧରେ ଅଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ୬୦ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୬ ସୁସ୍ଥ ହୋଇଥିବା ବେଳେ ବାକିି ଜଣ ସଙ୍ଗରୋଧରେ ଅଛନ୍ତି। ସେ‌ହିପରି ସେବାୟତମାନଙ୍କୁ ଟିକା ଦେବାପାଇଁ ଆଉ ଗୋଟିଏ ବାରବାଟି କଲ୍ୟାଣ ମଣ୍ଡପରେ ଟିକାକରଣ କେନ୍ଦ୍ର ଆଜିଠାରୁ ଖୋଲାଯାଇଛି। ଏହା ତୃତୀୟ ଟିକା ଗ୍ରହଣ କେନ୍ଦ୍ର ଭାବେ ଆରମ୍ଭ କରାଯାଇଛି। ବୈକୁଣ୍ଠଧାମ କେନ୍ଦ୍ର ଭଳି ଏଠାରେ ମଧ୍ୟ ୧୮ ବର୍ଷରୁ ୪୫ ବର୍ଷ ମଧ୍ୟରେ ଥିବା ସେବାୟତ ଓ ସେମାନଙ୍କ ପରିବାର ସଦସ୍ୟ, ସଦସ୍ୟାମାନେ ଟିକା ନେଇପାରିବେ।

ସୂଚନାଯୋଗ୍ୟ ଯେ ଗତ କାଲି ଜେଟିପିମାନଙ୍କୁ ମଧ୍ୟ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ଆଜି ମଧ୍ୟ ନିଳାଚଳ ଭକ୍ତନିବାସରେ କାମ କରୁଥିବା ୪୨ ଜଣଙ୍କୁ ମଧ୍ୟ ବାରବାଟି କଲ୍ୟାଣ ମଣ୍ଡପରେ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଥିଲା। ସେହିପରି ବାତ୍ୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତି ମଧ୍ୟ ଏକା ସମୟରେ ଚାଲିଛି। ରଥଖଳ‌ାରେ ଯେପରି ବର୍ଷା ପାଣି ନପଶିବ ସେଥିପାଇଁ ଅସ୍ଥାୟୀ ପ୍ଲାଟ୍‌ଫର୍ମ କରାଯିବ। ସେହିପରି ରଥଖଳା ସମେତ ଭକ୍ତ ନିବାସରେ ଜେନେରେଟର, ଡିଜେଲ ଆଦିର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସେବାୟତମାନଙ୍କ ମଧ୍ୟରୁ ଶତକଡ଼ା ୭୭ ଭାଗ ୪୫ ବର୍ଷରୁ\ ଉର୍ଦ୍ଧ୍ବ ସେବାୟତଙ୍କୁ ଟିକା ଦିଆ ସରିଲାଣି। ୩୩ ପ୍ରତିଶତ ୧୮ ବର୍ଷରୁ ଉର୍ଦ୍ଧ୍ବ ସେବାୟତଙ୍କୁ ମଧ୍ୟ ଟିକା ଦାନ ସରିଲାଣି ବୋଲି ସେ କହିଥିଲେ। ଆସନ୍ତା ପହିଲା ସୁଦ୍ଧା ୮ ହଜାର ସେବାୟତ ଓ ୮୦୦ କର୍ମଚାରୀମାନଙ୍କୁ ଟିକା ଦିଆସରିବ ବୋଲି ଉନ୍ନୟନ ପ୍ରଶାସକ ଅଜୟ ଜେନା କହିଛନ୍ତି।

The post କୋଭିଡ଼-୧୯ଠାରୁ ରଥଖଳାକୁ ଦୂରେଇ ରଖାଯିବ: ମଇ ପହିଲା ସୁଦ୍ଧା ୮ ହଜାର ସେବାୟତ, ୮ଶହ କର୍ମଚାରୀଙ୍କୁ ଟିକା first appeared on Sambad.

from ଜିଲ୍ଲା | Sambad https://ift.tt/3hIKgRC