
କଟକ: ମହାନଗର ନିଗମ ପକ୍ଷରୁ ଆଜି ପୁନର୍ବାର ଅଫ୍ଲାଇନ୍ରେ ଟିକା ଦିଆଯାଇଛି। ଏହାକୁ ନିଗମ ପକ୍ଷରୁ ଗତ ୨୭ ତାରିଖରୁ ବନ୍ଦ କରିଦିଆଯାଇଥିଲା। ମାତ୍ର ଆଜି ଆଉଥରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ଅନେକ ଏହାର ସୂଚନା ପାଇ ନଥିବା ଅଭିଯୋଗ କରିଛନ୍ତି। ବିନା ସୂଚନାରେ ସିଏମ୍ସି ପକ୍ଷରୁ ଟିକାକରଣକୁ ନେଇ ବାରମ୍ବାର ନିଷ୍ପତ୍ତି ବଦଳା ଯାଉଥିବାରୁ ଯେଉଁମାନଙ୍କ ପାଇଁ ଏହି ଯୋଜନା ହୋଇଥିଲା ସେମାନେ ଏଥିରେ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।
ସିଏମ୍ସି ପକ୍ଷରୁ ଆଜି ୩ଟି କେନ୍ଦ୍ରରେ ଅଫ୍ଲାଇନ୍ ଜରିଆରେ ମୋଟ ୧୩ଶହ ୪୩ ଜଣଙ୍କୁ ଟିକା ଦିଆଯାଇଛି। ରେଭେନ୍ସା ବିଶ୍ବବିଦ୍ୟାଳୟରେ ୪୪୩, ରାଣୀହାଟ ମାଳିସାହିରେ ୪୫୪ ଓ କେଶପୁର ଜାଗୁଲାଇ କେନ୍ଦ୍ରରେ ୪୪୬ଜଣଙ୍କୁ ଟିକା ଦିଆଯାଇଛି। ବିନା ସୂଚନାରେ ସିଏମ୍ସି ଗତ ଗୁରୁବାରରୁ ବନ୍ଦ ରଖିଥିବା ଅଫ୍ଲାଇନ୍ ଟିକାକରଣକୁ ଆଜି ୩ଟି କେନ୍ଦ୍ରରେ କରିବା ପଛରେ କି’ ଉଦ୍ଦେଶ୍ୟ ରହିଛି ତାହା କାହାରିକୁ ଜଣା ନାହିଁ। ପୂର୍ବରୁ କୌଣସି ସୂଚନା ଦିଆ ନଯାଇ ଅଫ୍ଲାଇନ୍ ଟିକା ଦିଆଯାଉଥିବାରୁ ଅନେକ ଯୋଗ୍ୟ ବ୍ୟକ୍ତି ଏହା ପାଇବାରୁ ବଞ୍ଚିତ ହୋଇଛନ୍ତି। ଟିକା ପାଇଁ ଟୋକନ୍ ବ୍ୟବସ୍ଥା କରାଯାଇଥିବା ବେଳେ ନିଗମ ପକ୍ଷରୁ ଆଜି ଅଫ୍ଲାଇନ୍ ଟିକାକରଣରେ କେଉଁ ମାନଙ୍କୁ ପୂର୍ବରୁ ସୂଚନା ଦିଆଯାଇ କେନ୍ଦ୍ରକୁ ଡକାଯାଇଥିଲା ତାହା ଏବେ ପ୍ରଶ୍ନ ହୋଇଛି। ପ୍ରିୟାପ୍ରୀତିରେ ଟୋକନ୍ ଦିଆଯାଇଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ମହାନଗର ନିଗମ ପକ୍ଷରୁ ୧୮ରୁ ୪୪ ବୟସର ଲୋକମାନଙ୍କୁ ଅଫ୍ଲାଇନ୍ରେ ଟିକା ଦେବାର ବ୍ୟବସ୍ଥା କରାଯାଇଥିଲା। ଯେଉଁମାନଙ୍କ ନିକଟରେ ମୋବାଇଲ୍ ଓ ଇଣ୍ଟରନେଟ୍ର ସୁବିଧା ନଥିବ ବା ଯେଉଁ ମାନେ ଅନ୍ଲାଇନ୍ରେ ଟିକା ପାଇଁ ସ୍ଲଟ୍ ବୁକିଂ କରିପାରୁ ନଥିବେ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ଏପରି ଲୋକଙ୍କୁ ସିଏମ୍ସି ପକ୍ଷରୁ ପୂର୍ବରୁ ଚିହ୍ନଟ କରି ଟୋକନ୍ ଦେବାକୁ କୁହାଯାଇଥିଲା। ମାତ୍ର ନିଗମର କର୍ମଚାରୀ ଚିହ୍ନା ପରିଚିୟରେ ଟୋକନ୍ ବାଣ୍ଟି ପକାଇଲେ। ଟୋକନ୍ ବାଣ୍ଟିବାରେ ପାତରଅନ୍ତର କରାଯାଉଥିବାର ଅନେକ ଅଭିଯୋଗ ଆସିଥିଲା। କେନ୍ଦ୍ରରେ ଲୋକଙ୍କ ଗହଳି ପରି ଅବ୍ୟବସ୍ଥାକୁ ଦେଖି ନିଗମ ପକ୍ଷରୁ ଗତ ଗୁରୁବାରରୁ ଅଫ୍ଲାଇନ୍ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିଲା।
ମାତ୍ର ଆଜି ନିଗମ ପକ୍ଷରୁ ବିନା ସୂଚନାରେ ୩ଟି କେନ୍ଦ୍ରରେ ଅଫଲାଇନ୍ରେ ୧୨ଶହରୁ ଅଧିକ ଟିକା ଦିଆଯାଇଥିଲା। ଏଥିରେ ଟୋକନ୍ ବାଣ୍ଟିବାରେ ନେଇ ଅନେକ ଅନିୟମିତା କରାଯାଇ ଥିବାର ଅଭିଯୋଗ ହୋଇଛି। ଆଜି ରବିବାର ଥିବାରୁ କିଛି କେନ୍ଦ୍ରରେ ଟୋକନ୍ ବାକିଥିବା ଲୋକଙ୍କୁ ଅଫ୍ଲାଇନ୍ରେ ଟିକା ଦିଆଯାଇଛି ବୋଲି ସିଏମ୍ସି କମିସନର ଅନନ୍ୟା ଦାସ କହିଛନ୍ତି। ଆହାର ପରି ଅନେକ ଅନୁଷ୍ଠାନ ପାଇଁ ଆଜି ରବିବାରରେ ଅଫ୍ଲାଇନ୍ରେ ଟିକା ଦିଆଯାଇଛି। ଆସନ୍ତା ସପ୍ତାହରେ ଅଧିକ ସଂଖ୍ୟାରେ ଟିକା ଆସିଲେ ପୁନର୍ବାର ଅଫ୍ଲାଇନ୍ ଟିକାକରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
The post ବିନା ସୂଚନାରେ ସିଏମ୍ସିର ଅଫ୍ଲାଇନ୍ରେ ଟିକାକରଣ; ଟୋକନ୍ ବଣ୍ଟନରେ ଅନିୟମିତତା ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/2SFLx1d
0 Comments