ରାଉରକେଲା : ପବନରେ ଦୋହଲୁଛି ଗେଣ୍ଡୁ, ସେବତି, ସୂର୍ଯ୍ୟମୁଖୀ, ଡାଲିଆ, ଗୋଲାପ, କୁଷ୍ଣଚୂଡା। ବିଦେଶୀ ଓ ଅନ୍ୟାନ୍ୟ ପ୍ରଜାତି ଫୁଲର ମହକରେ ମହକୁଛି ସ୍କଲ ପରିବେଶ। ସୃଷ୍ଟି କରୁଛି ପାର୍କର ଭ୍ରମ। କିଚେନ୍ ଗାର୍ଡେନରେ ଫଳିଛି ଅମୃତ ଭଣ୍ଡା, କଖାରୁ, ବାଇଗଣ, ଲେମ୍ବୁ, କଞ୍ଚାଲଙ୍କା ଆଦି ପନିପରିବା। କେବଳ ଫୁଲ, ପନିପରିବା ନୁହେଁ ରହିଛି ବିଭିନ୍ନ କିସମର ମିଠା ଆମ୍ବ, ପଣସ ଗଛ।। ଏହା କୌଣସି ପାର୍କ, ଫଳ ଓ ଫୁଲ୍ ବଗିଚା ଠାରୁ କମ୍ ନୁହେଁ।
କାନ୍ଥ ଓ ପାଚେରୀରେ ଲେଖାଯାଇଛି ନୀତି ଶିକ୍ଷା ମନ୍ତ୍ର। ‘ଗୁରୁ ବିନା ଜ୍ଞାନ ନାହିଁ, ଜ୍ଞାନ ବିନା ସମ୍ମାନ ନାହିଁ’, ‘ଶିଶୁ ସୁରକ୍ଷା, ସମାଜ ରକ୍ଷା’, ‘ଆଜିର ଆହ୍ବାନ, ସଭିଁଙ୍କୁ ଶିକ୍ଷାଦାନ’, ଏମିତି ଅନେକ କିଛି। ଚିତ୍ରିତ ହୋଇଛି ରାଜ୍ୟ କଳା ଓ ସଂସ୍କୃତିର ଝଲ୍କ। ବିଜ୍ଞାନର ପ୍ରତିଛବି। ଅଭିଭାବକ ହେଉ ଅବା କୌଣସି ସରକାରୀ ଅଧିକାରୀ ସ୍କୁଲ ବୁଲି ଆସୁଛନ୍ତି, ଘଡିଏ ଛିଡା ହୋଇଯାଉଛନ୍ତି। ସ୍କୁଲର ସୌନ୍ଦର୍ଯ୍ୟକୁ ଖୁବ୍ ମନଭରି ଉପଭୋଗ କରୁଛନ୍ତି। ଏହା ସହର କୌଣସି ଆବାସିକ ଓ ଘରୋଇ ସ୍କୁଲ୍ ନୁହେଁ ବରଂ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟ। ପିଲାଙ୍କୁ ସ୍କୁଲ୍ ମୁହାଁ କରିବା, ସେମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶ ବଢ଼ାଇବାକୁ ଏମିତି ପ୍ରୟାସ ଜାରି ରଖିଛନ୍ତି ସ୍କୁଲର ପ୍ରଧାନଶିକ୍ଷକ ସଞ୍ଜୟ ସାମଲ୍। ସ୍କୁଲରେ ୨୦୦୪ରେ ଶିକ୍ଷକ ଭାବେ ଯୋଗ ଦେଇଥିବା ସଞ୍ଜୟ ସାର୍ ୨୦୦୭ରେ ପ୍ରଧାନ ଶିକ୍ଷକ ହୋଇଥିଲେ। ସେବେଠାରୁ ସ୍କୁଲକୁ ପଶ୍ଚିମ ଓଡ଼ିଶା ତଥା ସୁନ୍ଦରଗଡ଼ ଜିଲ୍ଲାରେ ଶ୍ରେଷ୍ଠ ସ୍କୁଲର ସ୍ଥାନ ଦେବାକୁ କରି ଚାଲିଛନ୍ତି ଅହରହ ପରିଶ୍ରମ। ତାଙ୍କ ଉଦ୍ୟମ, ନିଷ୍ଠା ଯୋଗୁଁ ଆଜି ଏସବୁ ସମ୍ଭବ ହୋଇ ପାରିଛି। ନିଜସ୍ବ ଖର୍ଚ୍ଚ ଓ ସହକାରୀ ସ୍କୁଲ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉଦ୍ୟମରେ ସ୍କୁଲକୁ ଏଭଳି ସୌନ୍ଦର୍ଯ୍ୟ ଓ ଆକର୍ଷଣୀୟ କରି ପାରିଛନ୍ତି ସଞ୍ଜୟ ସାର୍।


ଯେଉଁ ସ୍କୁଲର ମାଟିରେ ଦିନେ ଗଛ ବଞ୍ଚୁନଥିଲା, ସେଠି ଏବେ ସୃଷ୍ଟି ହୋଇଛି ସବୁଜିମା ପରିବେଶ । ପାଣିର ଅଭାବ ଥିଲେ ହେଁ ନିକଟରୁ ମୋଟର ସହାୟତାରେ ପାଣି ସଂଗ୍ରହ କରି ଗଛଗୁଡ଼ିକୁ ବଞ୍ଚାଉଛନ୍ତି। ସ୍କୁଲ ପ୍ରତି ସଞ୍ଜୟ ସାରଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ଯୋଗୁ ସେ କେବଳ ସ୍ଥାନୀୟ ଅଞ୍ଚଳ ନୁହେଁ ଅନ୍ୟମାନଙ୍କ ସାଜିଛନ୍ତି ଉଦାହରଣ। ସୁନ୍ଦର ପରିବେଶ ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ ସ୍କୁଲ ଜାତୀୟ ଓ ରାଜ୍ୟସ୍ତରରେ ଅନେକ ପୁରସ୍କାର ପାଇଛି। ସ୍ବଚ୍ଛ ବିଦ୍ୟାଳୟ ପୁରସ୍କାର, ମଧ୍ୟାହ୍ନ ଭୋଜନ ପାଇଁ ଶ୍ରେଷ୍ଠ ସ୍କୁଲ, ମାଟ୍ରିକରେ ଭଲ ରେଜଲ୍ଟ ପାଇଁ ଗତ ତିନି ବର୍ଷ ଧରି ସ୍କୁଲ ପୁରସ୍କୃତ ହୋଇ ଆସୁଛି। କୁଆରମୁଣ୍ଡା କୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ଗତ ୧୯୫୮ରେ ପ୍ରତିଷ୍ଠା ହୋଇଥିଲା। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୨୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
ରିପୋର୍ଟ : ମଳୟ ରଞ୍ଜନ ସାହୁ

The post ସଞ୍ଜୟ ସାରଙ୍କ ସ୍କୁଲ ପାର୍କ: କିଚେନ ଗାର୍ଡେନରେ ତଟକା ପରିବା first appeared on Sambad.

from ଜିଲ୍ଲା | Sambad https://ift.tt/3p3B2Rz