ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ଚୂଡ଼ାନ୍ତ ନକ୍ସାରେ ପରିଚାଳନା କମିଟିର ମୋହର ବାଜିବା ପରେ ଜୁନ୍‌ ପହିଲାରୁ ଏହାର କାମ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର। ମେ ମାସ ପୂରି ଯାଇଥିଲେ ବି ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମରେ ଅନିଶ୍ଚିତତା ଦେଖାଦେଇଛି। ସେପଟେ କୋଭିଡ୍‌ କଟକଣା ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

ଶ୍ରୀ ବର୍ମା କହିଛନ୍ତି ଯେ ଶ୍ରୀମନ୍ଦିର ଐତିହ୍ୟ କରିଡର କାମ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିଲା। କିନ୍ତୁ କୋଭିଡ୍‌ କଟକଣା ଯୋଗୁ ଏଥିରେ ବାଧା ଉପୁଜିଛି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଫଳସ୍ବରୂପ ‌ବିକାଶ କାମରେ ସାମାନ୍ୟ ବିଳମ୍ବ ହୋଇଛି। କୋଭିଡ୍‌ କଟକଣା ଉଠିବାର ୧୦/୧୫ ଦିନ ଭିତରେ ଆମେ କାମ ଆରମ୍ଭ କରିଦେବୁ। କୋଭିଡ୍ କଟକଣା ଯୋଗୁ ଅନେକ ଏହି ଟେଣ୍ଡର ପ୍ରକ୍ରିୟା ଭାଗ ନେଇ ପାରିନାହାନ୍ତି। ଏଥିପାଇଁ ଏହାର ସମୟ ସୀମାକୁ ବୃଦ୍ଧି କରାଯାଇଛି। ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ସରି କାମ ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏ ଭିତରେ ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଆବଶ୍ୟକ ୭୫ ମିଟର ପରିଧିରେ ୯୦ ପ୍ରତିଶତ ଜାଗା ଅଧିଗ୍ରହଣ ସରିଛି। ବାକି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଅନ୍ୟପଟେ ଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ଏଠାରେ ଥିବା ଲୋକଙ୍କୁ ଖାଲି କରାଯାଉଛି। ବିସ୍ଥାପିତ ପରବାରଙ୍କୁ ପ୍ରଥମ କିସ୍ତି ଟଙ୍କା ବି ଦିଆସରିଛି। ପର୍ଯ୍ୟାୟକ୍ରମେ ବାକି ଟଙ୍କା ଦିଆଯିବ। ସେହିଭଳି ଶ୍ରୀସେତୁ ଓ ଅନ୍ୟାନ୍ୟ ବିକାଶ କାର୍ଯ୍ୟ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

The post ଘୁଞ୍ଚିଲା ଐତିହ୍ୟ କରିଡର ବିକାଶ କାର୍ଯ୍ୟ; କୋଭିଡ୍‌ କଟକଣା ଉଠିବା ପରେ ଆରମ୍ଭ ହେବ କାମ: ଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3wOkP5w