
ଆସିକା : ଗଞ୍ଜାମ ଆସିକା ଥାନା କଲେଜ ଛକସ୍ଥିତ ଗୋଲାପଲ୍ଲୀ ଅଞ୍ଚଳରେ ଆଜି ଏକ ବନ୍ଦ କୋଠରି ଭିତରୁ ଜଣେ ମହିଳାଙ୍କ ଶବ ସନ୍ଦେହଜନକ ଅବସ୍ଥାରେ ମିଳିବା ଆଲୋଡ଼ନ ସୃଷ୍ଟି କରିଛି। ତେବେ ତାଙ୍କର ଦୁଇ ମାସର ଶିଶୁ କନ୍ୟାକୁ ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ଉଦ୍ଧାର କରିଛନ୍ତି। ମୃତକ ଜଣକ ହେଲେ, ଝିଲି ସେଠୀ (୩୦)। ତେବେ ଝିଲିଙ୍କ କିଭଳି ପରିସ୍ଥିତିରେ ମୃତ୍ୟୁ ହେଲା, ଏ ନେଇ କିଛି ସ୍ପଷ୍ଟ ହୋଇପାରିନି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରା ଯାଇଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଏ ନେଇ କେସ୍ ନମ୍ବର ୭ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବକୁ ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନାକୁ ପଠାଯାଇଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଶିଶୁକନ୍ୟାର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ଚାଇଲଡ୍ ଲାଇନ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ସୂଚନା ଅନୁସାରେ, ଝିଲି ମାମୁଢ଼ିଅ ଗ୍ରାମର ସଞ୍ଜୟଙ୍କୁ ପ୍ରେମ ବିବାହ କରିଥିଲେ। ବାହାଘର ପରେ ଉଭୟେ ଆସିକା କଲେଜ ଛକ ନିକଟ ଗୋଲାପଲ୍ଲୀରେ ଏକ ଭଡ଼ା ଘରେ ରହୁଥିଲେ। ତେବେ ପରିବାର ପ୍ରତିପୋଷଣ ପାଇଁ ସଞ୍ଜୟ କିଛି ମାସ ତଳେ ସୁରଟ ପଳାଇଥିବା ବେଳେ ଝିଲି ତାଙ୍କର ଶିଶୁକନ୍ୟା ସହ ଏଠାରେ ରହୁଥିଲେ। ଆଜି ଅପରାହ୍ଣରେ ହଠାତ୍ ବହୁ ସମୟ ଧରି ଶିଶୁକନ୍ୟାର କାନ୍ଦ ଶୁଭିଥିଲା। ଫଳରେ ଅଞ୍ଚଳବାସୀ ଥାନାକୁ ସୂଚନା ଦେଇଥିଲେ। ଆସିକା ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ଓ ବରଗାଁ ସମିତି ସଭ୍ୟ ଶିବ ନାହାକ ପହଞ୍ଚିଲେ। ଘର ଭିତରେ ଝିଲିଙ୍କ ଶବ ପଡ଼ି ରହିଥିବା ବେଳେ ପିଲାଟି କାନ୍ଦୁଥିଲା। କିନ୍ତୁ କୋଭିଡ୍ ଭୟରେ କେହି ଗ୍ରାମବାସୀ ଶବ ପାଖକୁ ଯାଇ ନଥିଲେ। ପରେ ଶିବ ଓ କିଛି ସ୍ବେଚ୍ଛାସେବୀ ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କରିଥିଲେ ଓ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ତଦନ୍ତ ଆରମ୍ଭ ହୋଇଥିବା ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ବର୍ତ୍ତମାନ ସଞ୍ଜୟ ସୁରତରେ ଥିବା ବେଳେ ଝିଲିଙ୍କ ମୃତ୍ୟୁ ପରେ ଦୁଇ ମାସର ଝିଅଟି ମା’ ଛେଉଣ୍ଡ ହୋଇଯାଇଛି। ସିଡଡିପିଓ ଭାରତୀ ମହାପାତ୍ର ଓ ବିଡ଼ିଓ ରୋଶନ ଶତପଥୀ ପ୍ରମୁଖଙ୍କ ଉପସ୍ଥିତିରେ ଶିଶୁକନ୍ୟାକୁ ହସ୍ତାନ୍ତର କରା ଯାଇଥିଲା।
The post ବନ୍ଦ କୋଠରିରେ ମହିଳାଙ୍କ ଶବ, ଦୁଇ ମାସର ଶିଶୁକନ୍ୟା ଉଦ୍ଧାର first appeared on Sambad.from ଜିଲ୍ଲା | Sambad https://ift.tt/3xQzq1o
0 Comments