
ଆଠମଲ୍ଲିକ : କରୋନା ଯୋଗୁଁ ଦୂରେଇ ଯାଉଛନ୍ତି ଆତ୍ମୀୟ ସ୍ବଜନ, ବନ୍ଧୁବାନ୍ଧବ। କରୋନାରେ ପ୍ରାଣ ହରାଇଥିବା ଜଣେ ମହିଳାଙ୍କ ଅନ୍ତିମ ସଂସ୍କାର ନିମନ୍ତେ ଚାରିକାନ୍ଧ ମିଳିଲା ନାହିଁ। ଶେଷରେ ପ୍ରଶାସନ ପକ୍ଷରୁ ତାଙ୍କର ଦାହସଂସ୍କାର କରାଯାଇଛି। ଆଠମଲ୍ଲିକ ସହରରେ ଏହି ଘଟଣା ଘଟିଛି।
ସୂଚନା ଅନୁଯାୟୀ, ଆଠମଲ୍ଲିକ ଏନ୍ଏସି ୩ ନମ୍ବର ୱାର୍ଡ ଟାଙ୍ଗିଆନିଶା ସାହିର ଉଜ୍ଜ୍ବଳା କଅଁର(୫୫) କିଛିଦିନ ତଳେ ଡ୍ରେନ୍ରେ ପଡ଼ିଯିବାରୁ ଆହତ ହୋଇଥିଲେ। ବୁର୍ଲା ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା l ଚିକିତ୍ସାଧୀନ ଅବସ୍ଥାରେ ସେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ। ଗତମାସ ୨୨ ତାରିଖରେ ସେ ଡାକ୍ତରଖାନାରୁ ଫେରି ଘରେ ସଙ୍ଗରୋଧରେ ରହିଥିଲେ। ଗତକାଲି ରାତି ପ୍ରାୟ ୯ଟାବେଳେ ତାଙ୍କର ମୃତ୍ୟୁ ଘଟିଲା ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। କରୋନା ଭୟରେ ପରିବାର ସଦସ୍ୟ ମୃତଦେହର ପାଖ ମାଡ଼ିଲେନି। ଏପରିକି ଉଜ୍ଜ୍ବଳାଙ୍କର ଦୁଇପୁଅ ମଧ୍ୟ ମାଆ ପାଖକୁ ଯିବାକୁ ଡରିଲେ। ସ୍ଥାନୀୟ ଅଙ୍ଗନବାଡି କର୍ମୀ ଏ ସଂପର୍କରେ ଆଠମଲ୍ଲିକ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ l ନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରିଥିଲେ। ଆଜି ଅନୁଗୁଳରୁ ଆମ୍ବୁଲାନ୍ସ ଆସି ମୃତଦେହ ନେଇଥିଲା। ପ୍ରଶାସନ ପକ୍ଷରୁ କରୋନା କଟକଣା ସହିତ ଶବ ସଂସ୍କାର କରାଯାଇଛି ବୋଲି ଏନ୍ଏସି ନିର୍ବାହୀ ଅଧିକାରୀ ଶ୍ରୀମତୀ ଜେନା ସୂଚନା ଦେଇଛନ୍ତି।
The post ମହିଳାଙ୍କୁ ମିଳିଲାନି ଚାରିକାନ୍ଧ, ଶବ ନେଲା ସ୍ବାସ୍ଥ୍ୟ ବିଭାଗ first appeared on Sambad.from ଜିଲ୍ଲା | Sambad https://ift.tt/3erBIfL
0 Comments