
ବୋରିଗୁମ୍ମା: ନିଜ ସ୍ତ୍ରୀ ଏବଂ ୫ବର୍ଷର ଶିଶୁପୁତ୍ରକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସୈତାନ ସ୍ୱାମୀ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବିସିଂହପୁର ଥାନା ଅନ୍ତର୍ଗତ ହରଡ଼ାଗୁଡା ଗ୍ରାମରେ, ଯାହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି । ଗ୍ରାମବାସୀ ସମ୍ପୃକ୍ତ ହତ୍ୟାକାରୀ ସ୍ୱାମୀକୁ ପୁଲିସ ନିକଟରେ ଜିମା ଦେଇଛନ୍ତି ।
ଘଟଣାରୁ ପ୍ରକାଶ ଯେ କୌଣସି କାରଣରୁ ଗତକାଲି ରାତି ଗ୍ରାମର ଧୁବୁଲୁ ମୁଦୁଲି ନାମକ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ଡମୁଣି ମୁଦୁଲିଙ୍କ ମଧ୍ୟରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ପରେ ସ୍ତ୍ରୀ ଡମୁଣି ମୁଦୁଲି ନିଜ ୫ବର୍ଷର ପୁଅ ପବୁଲୁକୁ ଧରି ନିଜ ମାଆ ଘରକୁ ବାହାରିଥିଲେ। ଏହାକୁ ମନା କରିଥିଲା ସ୍ୱାମୀ ଧୁବୁଲୁ। ସ୍ତ୍ରୀ ନ ଶୁଣିବାରୁ ଶେଷରେ ନିଶାଗ୍ରସ୍ତ ଥିବା ସ୍ୱାମୀ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆ ଆଣି ସ୍ତ୍ରୀ ଡମୁଣି ଏବଂ ଶିଶୁପୁତ୍ରଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲା। ଘର ଭିତରେ ଗୋଟାଏ ପଟେ ମାର ଶବ ଅନ୍ୟପଟେ ପୁତ୍ରର ଶବ ଆଉ ମଝିରେ ରକ୍ତର ଝରଣା ବହୁଥିଲା।
ସେପଟେ ଗ୍ରାମବାସୀ ଘଟଣା ସମ୍ପର୍କରେ ଜାଣିବା ପରେ ହତ୍ୟାକାରୀକୁ ବାନ୍ଧି ରଖିବା ସହ ବିସିଂହପୁର ପୁଲିସକୁ ଖବର ଦେଇଥିଲେ। ପୁଲିସ ହତ୍ୟାକାରୀକୁ କାବୁ କରି ଥାନାକୁ ନେଇଛି। ଥାନା ଅଧିକାରୀ ଦାମୋଦର ବିହାରୀଙ୍କ ନେତୃତ୍ୱରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି କେଉଁ କାରଣରୁ ଦୁଇ ଜଣଙ୍କ ହତ୍ୟା ହୋଇଛି ସେନେଇ ତଦନ୍ତ ଜାରି ରହିଛି।
The post ସ୍ୱାମୀର ଉନ୍ମତ୍ତ କାଣ୍ଡ; ନିଜ ସ୍ତ୍ରୀ ଓ ୫ବର୍ଷର ଶିଶୁପୁତ୍ରକୁ ହତ୍ୟା first appeared on Sambad.from ଜିଲ୍ଲା | Sambad https://ift.tt/3tRbFmx
0 Comments