ଗାଁରେ ଉତ୍ତେଜନା, ଶବ ରଖି ରାସ୍ତା ଅବରୋଧ
ମୁଖ୍ୟ ଅଭିଯୁକ୍ତ ସମେତ ୪ ଅଟକ

ଦଶରଥପୁର : ମଦକୁ ବିରୋଧ କରିବାରୁ ସୋମମବାର ଜଣେ ମହିଳାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି। ମଦ ବେପାରୀ ପଥରରେ ଛେଚି ମହିଳାଙ୍କୁ ହତ୍ୟା କରିଛନ୍ତି। ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଅନ୍ତର୍ଗତ ବିରିପଟା ପଞ୍ଚାୟତର ବରେଇଁ ଗାଁରେ ଘଟିଥିବା ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତ ମହିଳା ହେଉଛନ୍ତି, ଲକ୍ଷ୍ମୀ ଜେନା (୩୬)। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସପ୍ତାହେ ତଳେ ମଙ୍ଗଳପୁର ଥାନାରେ ଏ ସଂକ୍ରାନ୍ତରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ପୁଲିସ ଏଥିରେ କାର୍ଯ୍ୟାନୁଷ୍ଠାନ କରିବା ପରି‌ବର୍ତ୍ତେ ଘଟଣାରେ ତାଳି ପକାଇଦେଇଥିଲା। ଫଳସ୍ବରୂପ ଲକ୍ଷ୍ମୀଙ୍କର ଜୀବନ ଚାଲିଯାଇଛି।

ଅଭିଯୋଗ ଅନୁସାରେ ଗାଁର ବିଜୟ ଜେନା ଓରଫ ମଣ୍ଟୁ ଦୀର୍ଘଦିନ ହେବ ଚୋରା ମଦ ବେପାର କରି ଆସୁଛନ୍ତି। ଗ୍ରାମବାସୀ ଏହାକୁ ବିରୋଧ କରିଆସୁଥିଲେ ମଧ୍ୟ କେହି ଶୁଣିନଥିଲେ। ଏଣୁ ମଦ ବ୍ୟବସାୟ କରୁଥିବା ୩ ଜଣଙ୍କ ନାମରେ ଗତ ୨୧ ଏପ୍ରିଲରେ ମଙ୍ଗଳପୁର ଥାନା, ଅବକାରୀ ବିଭାଗ ଓ ଯାଜପୁର ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା। ଏହାପରେ ଥାନାରେ ଉଭୟ ପକ୍ଷଙ୍କୁ ପୁଲିସ ଡକାଇ ଆପୋସ ସମାଧାନ କରାଇଥିଲା। ଗାଁରେ ମଦ ବିକ୍ରି ନକରିବାକୁ ନିଷ୍ପତ୍ତି ହୋଇଥିଲା। ବରେଇଁ ଗାଁ ବୈଠକରେ ମଦ ବିକ୍ରି କରାନଯିବାକୁ ଗତ ଶନିବାର ଆଲୋଚନା କରାଯାଇଥିଲା। ମଦ ବେପାରୀ ମଣ୍ଟୁ ଏଥିରେ ରାଜି ହୋଇନଥିଲା। ଏହାକୁ ଲକ୍ଷ୍ମୀଙ୍କ ସ୍ବାମୀ ମହେଶ୍ୱର ଜେନାଙ୍କ ସମେତ ବହୁ ବ୍ୟକ୍ତି ବିରୋଧ କରିଥିଲେ। ସେଠାରେ କଥା କଟାକଟି ପରେ ସମସ୍ତେ ନିଜନିଜ ଘରକୁ ଫେରୁଥିଲେ। ବାଟରେ ମଣ୍ଟୁ, ତା’ ଭାଇ ମଙ୍ଗୁଳି ଓ ବାପା ବଳରାମ ମହେଶ୍ୱରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ରବିବାର ସକାଳ ପ୍ରାୟ ୭ଟା ୩୦ ରେ ମହେଶ୍ୱର ଓ ତାଙ୍କ ଭାଇ କାମକୁ ବାହାରି ଯାଇଥିଲେ। ଏହାପରେ ମଣ୍ଟୁ, ମଙ୍ଗୁଳି, ମାନ ଓ ବାପା ବଳରାମ ଯୋଜନାବଦ୍ଧ ଭାବେ ମହେଶ୍ୱରଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ। ଏହାକୁ ମହେଶ୍ୱରଙ୍କ ପତ୍ନୀ ଲକ୍ଷ୍ମୀ ଓ ତାଙ୍କ ଯାଆ ବିରୋଧ କରିଥିଲେ। ଉଭୟଙ୍କୁ ସେମାନେ ଟଣାଓଟରା କରି ଧକ୍କା ଦେଇଥିଲେ। ମଣ୍ଟୁ ଏକ ଇଟାରେ ଲକ୍ଷ୍ମୀଙ୍କ ମୁଣ୍ଡକୁ ଛେଚି ଦେଇଥିଲା। ଲକ୍ଷ୍ମୀ ପଡ଼ିଯାଇଥିବା ବେଳେ ମୁଣ୍ଡ ଫାଟି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ପାଟିତୁଣ୍ଡ ଶୁଣି ଲକ୍ଷ୍ମୀଙ୍କ ଶ୍ବଶୁର କୈଳାସ ପହଞ୍ଚିବାରୁ ତାଙ୍କୁ ଧକ୍କା ମାରି ଅଭିଯୁକ୍ତମାନେ ଚାଲିଯାଇଥିଲେ। ଲକ୍ଷ୍ମୀଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ସେଠାରେ ବିଳମ୍ବିତ ରାତିରେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ଲାଗିରହିଛି। ସୋମବାର ସନ୍ଧ୍ୟାରେ ଗାଁ ଲୋକେ ଶବ ରଖି ବିରିପଟା- ଚାରବାଟିଆ ରାସ୍ତାକୁ ଅବରୋଧ କରିଛନ୍ତି। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମୃତ ମହିଳାଙ୍କ ଦୋଷ ହେଉଛି, ତାଙ୍କ ସ୍ବାମୀ ଓ ସେ ଗାଁର ମଦ ବି‌ରୋଧୀ ଅଭିଯାନରେ ସାମିଲ ହୋଇଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ରାଣ ହରାଇବାକୁ ପଡ଼ିଛି।

ଏ ସଂପର୍କରେ ମହେଶ୍ୱର ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ୪ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତିମାନେ ହେଲେ ବରେଇଁ ଗ୍ରାମର ବିଜୟ ଜେନା ଓରଫ ମଣ୍ଟୁ, ଭାଇ ମଙ୍ଗୁଳି, ମଣ୍ଟୁଙ୍କ ପତ୍ନୀ ମାନ ଓ ବାପା ବଳରାମ।

The post ମଦକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3aZtXvu