ହରିଚନ୍ଦନପୁର : ଜମିକୁ ପାଣି ମାଡ଼ୁ ନଥିବାରୁ ଚାଷ କାମ ବାଧାପ୍ରାପ୍ତ ‌ହେଉଥିଲା। କେନାଲ ମରାମତି ପା‌ଇଁ ବାରମ୍ବାର ଦାବି ସତ୍ତ୍ବେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷ‌ରେ ଚାଷୀ ଚାନ୍ଦା ଆଦାୟ କରି କେନାଲ ମରାମତି କଲେ। ଏବେ ଉକ୍ତ ସ୍ଥାନରେ ମନରେଗା ଯୋଜନାରେ ସୂଚନାଫଳକ ‌ଲଗାଯାଇ ୨ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ହରିଚନ୍ଦନପୁର ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତର ଚାଷୀମାନେ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ହରିଚନ୍ଦନପୁର୍‌ ବ୍ଲକ୍‌ ସୁନାପେଣ୍ଠ ପଞ୍ଚାୟତ ମହୁଲଗୋଡ଼ାରୁ ଧୀବରସାହି ପର୍ଯ୍ୟନ୍ତ ପୁରୁଣା କେନାଲରେ ଦୀର୍ଘ ୧୦ ବର୍ଷ ହେଲା ପାଣି ଯାଉନଥିଲା। ଏହାର ମରାମତି ପାଇଁ ଚାଷୀମାନେ ଦାବି କରିଆସୁଥିଲେ। ଏନେଇ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ହେଲେ କୌଣସି ପଦକ୍ଷେପ ନିଆଗଲା ନାହିଁ। ଗତ ସେପ୍ଟେମ୍ବର ମାସରେ ଗ୍ରାମର ୨୨ଜଣ ଚାଷୀ ଏକାଠି ହୋଇ କେନାଲ ମରାମତି ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେମାନେ ୪୮ ହଜାର ଟଙ୍କା ଚାନ୍ଦା ଆଦାୟ କରିଥିଲେ। ଜେସିବି ମେସିନ ସାହାଯ୍ୟରେ କେନାଲ ଖୋଳାଯିବା ପରେ ଜମିରେ ପାଣି ପହଞ୍ଚିଥିଲା।

କେନାଲ ମରାମତି କାମ ଶେଷ ହେବାର ଦୁଇମାସ ପରେ ପୁଣି ସେହି କେନାଲର ଉନ୍ନତୀକରଣ ପାଇଁ ମନରେଗା ଯୋଜନାରେ ୨ ଲକ୍ଷ ଟଙ୍କା ଅନୁଦାନ ଦିଆଗଲା। ଅଳ୍ପ କିଛି କାମ କରି ଏକ ସୂଚନଫଳକ ଲଗାଇ ଉକ୍ତ ଅନୁଦାନ ରାଶିକୁ ହଡ଼ପ କରାଯାଇଥିବା ଚାଷୀ କୁଳମଣି ସାହୁ, ରମେଶ ଚନ୍ଦ୍ର ସାହୁ, ତପନ ସାହୁ, ନନ୍ଦକିଶୋର ସାହୁ, ଗଣେଶ ସାହୁ, ହୃଷୀକେଶ ମହାନ୍ତ, ନିଶିକାନ୍ତ ମହାନ୍ତ, ହଳଧର ମହାନ୍ତ, ସୁବାସ ଚନ୍ଦ୍ର ମହାନ୍ତ ଓ କୈଳାସ ମହାନ୍ତ ପ୍ରମୁଖ ବ୍ଲକ୍‌ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି। ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଏବିଡିଓ ବିପ୍ରଚରଣ ପ୍ରଧାନଙ୍କୁ ପଚାରିବାରୁ, ଚାଷୀଙ୍କ ଅଭିଯୋଗ ପାଇଛନ୍ତି। ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

The post ଚାନ୍ଦା କରି ଚାଷୀ ଖୋଳିଲେ କେନାଲ, ମନରେଗାରେ ଫଳକ ମାରି ଠିକାଦାର ଉଠାଇ ନେଲେ ୨ ଲକ୍ଷ first appeared on Sambad.

from ଜିଲ୍ଲା | Sambad https://ift.tt/2PM1C4t