
ଛତ୍ରପୁର : ୩ ଦିନ ତଳେ ବାପାଙ୍କ ଶବକୁ କାନ୍ଧେଇବା ସହ ମୁଖାଗ୍ନି ଦେଇଥିଲେ। ହେଲେ ଶୁଦ୍ଧିକ୍ରିୟା ନସରୁଣୁ ଗ୍ରାସ କରିନେଲା କରୋନା ମହାମାରୀ। ଆଉ ବାପାଙ୍କ ପଛେପଛେ ପୁଅ ବି ଚାଲିଗଲେ। ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ଏଭଳି ଏକ ସମ୍ବେଦନଶୀଳ ଘଟଣା ଦୁଃଖଦ ପରିବେଶ ସୃଷ୍ଟି କରିଛି। ମୃତକ ହେଲେ, ବ୍ୟବସାୟୀ ଏସ୍.ଗୋପୀ ପଟ୍ଟନାୟକ (୪୧)। ସୋମବାର ସକାଳେ ଗୋପୀ ଆଖି ବୁଜି ଦେଇଛନ୍ତି।
ବାରାକ୍ ସାହି ବାସିନ୍ଦା ଅବସରପ୍ରାପ୍ତ ବିଦ୍ୟୁତ୍ କର୍ମଚାରୀ ଏସ୍.ଆପ୍ପା ରାଓ ପଟ୍ଟନାୟକ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ଘରେ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ତାଙ୍କର ପୋଷ୍ୟ ପୁତ୍ର ଗୋପୀ ସେବା କରି ଆସୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ଆପ୍ପାରାଓଙ୍କ ମୃତ୍ୟୁ ହେବା ପରେ ପାଲିଆଛତ୍ରପୁର ଶ୍ମଶାନରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ଆଉ ଗୋପୀ ବାପାଙ୍କୁ ମୁଖାଗ୍ନି ଦେଇ ଶେଷ ସତ୍କାର ସାରି ଘରକୁ ଫେରିଥିଲେ। ସେହିଦିନ ଠାରୁ ଗୋପୀ ଅସୁସ୍ଥତା ଅନୁଭବ କରୁଥିଲେ। ପ୍ରଥମେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲ୍କୁ ନିଆ ଯାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ଗତ ଶନିବାର ଶୀତଳାପଲ୍ଲୀସ୍ଥିତ ଟାଟା-ହାଇକେଟ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରା ଯାଇଥିଲା। ତେବେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଗୋପୀ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।
ସୋମବାର ଦିନ ୧୧ଟାରେ ପତ୍ନୀ, ଶ୍ବଶୁରଘର ଲୋକ ଓ କିଛି ସାହିବାସିନ୍ଦା ତାଙ୍କର ଶେଷଦର୍ଶନ କରିବା ପରେ ଗାଇଡ୍ଲାଇନ୍ ଅନୁସାରେ ଶବକୁ ହସ୍ପିଟାଲ୍ ନିକଟରେ ହିଁ ପୋତି ଦିଆ ଯାଇଥିଲା।
ଗୋପୀଙ୍କର ଗୋଟିଏ ପୁଅ (୧୨) ଓ ଗୋଟିଏ ଝିଅ (୮) ଅଛନ୍ତି। ଏହି ଘଟଣା ପରେ ସମଗ୍ର ଛତ୍ରପୁର ସହରରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ମେଳାପୀ ଓ ପରୋପକାରୀ ଏବଂ ଉତ୍ତମ ଯୁବ ବ୍ୟବସାୟୀ ଭାବେ ପରିଚିତ ଥିଲେ।
The post ବାପାଙ୍କୁ ମୁଖାଗ୍ନି ଦେଇଥିଲେ, ୩ ଦିନ ପରେ ଆଖି ବୁଜିଲେ ପୁଅ first appeared on Sambad.from ଜିଲ୍ଲା | Sambad https://ift.tt/3eOB0Z7
0 Comments