ବାଲିକୁଦା : ଆଖୁ କଟାହୋଇ କମ୍ପାନିକୁ ଯିବାର ୩ ମାସରୁ ଅଧିକ ସମୟ ବିତିଗଲାଣି। ହେଲେ ଚାଷୀମାନେ ଟଙ୍କା ପାଇ ପାରୁନାହାନ୍ତି। ବ୍ୟାଙ୍କରେ ସୁଧ ବଢ଼ି ଚାଲିଥିବା ବେଳେ କମ୍ପାନି କର୍ତ୍ତୃପକ୍ଷ ଧରାଛୁଆଁ ଦେଉନଥିବା ଅଭିଯୋଗ ହୋଇଛି। ବଡ଼ଚଣା ବ୍ଲକ୍‌ ଅନ୍ତର୍ଗତ କୋଲଣଗିରି, ରଇପୁର, ସାଉଡ଼ିଆ, ବରପଦା, ବଡ଼ବାଲିକୁଦା, ମଝିପଡ଼ା ଓ ଗୋପାଳପୁର ଆଦି ପଞ୍ଚାୟତରେ ଆଖୁ ଚାଷୀମାନେ ଏପରି ଅଭିଯୋଗ କରିଛନ୍ତି।

Free Press Journal

ଏହି ପଞ୍ଚାୟତରେ ଚାଷୀମାନେ ଶହଶହ ଏକର ଜମିରେ ଆଖୁ ଚାଷ କରିଥାନ୍ତି। ଢେଙ୍କାନାଳ ସ୍ଥିତ ଶକ୍ତି ସୁଗାର ଲିଃ ମାଧ୍ୟମରେ ଚାଷୀମାନେ ଆଖୁଚାଷ କରିଥାନ୍ତି। କମ୍ପାନି ସାର, କୀଟନାଶକ ଓ ବିହନ ଯୋଗାଉଥିବା ବେଳେ ବିଭିନ୍ନ ବ୍ୟାଙ୍କରୁ ଚାଷୀମାନେ ଋଣ ଆଣି ଚାଷପାଇଁ ଲାଗୁଥିବା ମଜୁରି ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରିଥାନ୍ତି। ଅମଳ ପରେ କମ୍ପାନି ବିନିଯୋଗ କରିଥିବା ଟଙ୍କା କାଟିରଖି ଲାଭାଂଶ ସଂପୃକ୍ତ ବ୍ୟାଙ୍କକୁ ପଠାଇଥାଏ। ବ୍ୟାଙ୍କ ଋଣ ଓ ସୁଧ ଟଙ୍କା ଅସୁଲ କରି ବଳକା ଅର୍ଥ ଚାଷୀକୁ ପୈଠ କରିଥାଏ। ଆଖୁ କମ୍ପାନିକୁ ଯିବାର ୨୫ ରୁ ୪୦ ଦିନ ମଧ୍ୟରେ ବଳକା ଟଙ୍କା ବ୍ୟାଙ୍କକୁ ଆସିବାର ନିୟମ କମ୍ପାନି ଘୋଷଣା କରିଛି। କିନ୍ତୁ ଇତି ମଧ୍ୟରେ ଶହେ ଦିନରୁ ଊର୍ଦ୍ଧ୍ବ ସମୟ ବିତିଗଲାଣି। ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନଥିବା ଅଭିଯୋଗ ହେଉଛି।

ଜାନୁଆରି ୧୫ ପରେ ଯାଇଥିବା ଆଖୁ ଟଙ୍କା ଏପର୍ଯ୍ୟନ୍ତ ଆସିନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ବ୍ୟାଙ୍କରେ ଋଣର ସୁଧ ବଢ଼ିବଢ଼ି ଚାଲିଛି। ବଳକା ଟଙ୍କାକୁ ଚାଷୀ ଚାହିଁ ରହିଛି। ଏନେଇ କମ୍ପାନିର ସ୍ଥାନୀୟ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ବି ସେ ଫୋନ୍ ଗ୍ରହଣ କରିନଥିଲୋ। ତୁରନ୍ତ ସେମାନଙ୍କ ଟଙ୍କା ପ୍ରଦାନ ପାଇଁ ଚାଷୀ ରଙ୍ଗାଧର ସେନାପତି, ବରଦା ପ୍ରସନ୍ନ ରାୟ, ବିଚିତ୍ରାନନ୍ଦ ଖଣ୍ଡାଇ, ତାପସ ଚନ୍ଦ୍ର ସେନାପତି, ଦଶରଥ ମହାନ୍ତି, ବିଚିତ୍ରାନନ୍ଦ ମହାନ୍ତିଙ୍କ ସମେତ ବହୁଚାଷୀ ଦାବି କରିଛନ୍ତି।

The post ଆଖୁ କାଟି ନେବାର ୩ ମାସ ପରେ ବି ମିଳୁନି ଅର୍ଥରାଶି, ଚିନ୍ତାରେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3xHtoQF