
ଭବାନୀପାଟଣା : ଗତବର୍ଷ ଲକ୍ଡାଉନ୍ ସମୟରେ ଦାଦନ ଦୁଃଖକୁ ନେଇ ରାପ୍ ସଂଗୀତ ମାଧ୍ୟମରେ ଦେଶବ୍ୟାପୀ ଚର୍ଚ୍ଚାକୁ ଆସିଥିବା କଳାହାଣ୍ଡି ଜିଲ୍ଲା ବୋର୍ଡ଼ା ଗ୍ରାମର ଡୁଲେଶ୍ବର ତାଣ୍ଡି ଓରଫ୍ ଡୁଲେ ରାପର୍ ଏବେ ଅଡ଼ୁଆରେ ପଡ଼ିଛନ୍ତି। ସେ ଗାଇଥିବା ଏକ ଅଶ୍ଳୀଳ ସଂଗୀତ ସୋସିଆଲ ମିଡିଆରେ ପୋଷ୍ଟ କରି ବିବାଦକୁ ଟାଣି ହୋଇଯାଇଛନ୍ତି। ଏହାକୁ ନେଇ ଜିଲ୍ଲାବ୍ୟାପୀ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ ତାଙ୍କ ବିରୋଧରେ ଥାନାରେ ତିନୋଟି ପୃଥକ୍ ମାମଲା ରୁଜୁ ହୋଇଛି।
ଡୁଲେ ରାପର ‘ଥ୍ରି-ଏକ୍ସ’ ଗୀତକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଗତ ୧୯ ତାରିଖ ଦିନ ସେ ‘ଥ୍ରି-ଏକ୍ସ’ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବିଭିନ୍ନ ମହଲରୁ ତୀବ୍ର ବିରୋଧ ହେବାପରେ ଏହି ପୋଷ୍ଟକୁ ହଟାଇବାକୁ ବାଧ୍ୟ ହୋଇଥିଲେ। ଏହି ଗୀତରେ ନାରୀମାନଙ୍କ ପ୍ରତି ସେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା କୁହାଯାଉଛି। ସୋସିଆଲ ମିଡିଆରେ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଆଜି କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦର ସଭାପତି ଅବିନାଶ ଠାକୁର ଏହାର ଦୃଢ଼ ନିନ୍ଦା କରିବା ସହ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିଭଳି ଭବାନୀପାଟଣା ସହରର କାଳୀମନ୍ଦିର ପଡ଼ାର ସୁନୀଲ କୁମାର ମୁଣ୍ଡ ବି ସେହି ଥାନାରେ ତାଣ୍ଡିଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି। କଳାହାଣ୍ଡି କୋଶଳ ସେନା ପକ୍ଷରୁ କୋକସରା ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଛି। ଏନେଇ କଳାହାଣ୍ଡି ଏସ୍ପି ଡା. ଶ୍ରବଣ ବିବେକ ଏମ୍ଙ୍କୁ ପଚାରିବାରୁ ‘ଆମ ପାଖକୁ ଅନ୍ଲାଇନ୍ରେ ଲିଖିତ ଅଭିଯୋଗ ଆସିଛି, ତଦନ୍ତ ପରେ ପଦକ୍ଷେପ ନିଆଯିବ’ ବୋଲି କହିଥିଲେ।
The post ଅଶ୍ଳୀଳ ଗୀତ ଗାଇ ଅଡ଼ୁଆରେ ଡୁଲେ ରାପର first appeared on Sambad.from ଜିଲ୍ଲା | Sambad https://ift.tt/3oEXT5D
0 Comments