କଟକ: କେବଳ ଜଣଙ୍କୁ ଛାଡ଼ି ସମଗ୍ର ପରିବାର ମାନସିକ ବିକୃତିର ଶିକାର। ପରିବାରର ଏକମାତ୍ର ସକ୍ଷମ ମହିଳା ଚମ୍ପାଙ୍କ ରୋଜଗାର ଉପରେ ନିର୍ଭର କରୁଥିଲେ ସ୍ବାମୀ, ୧୪ ଓ ୧୨ ବର୍ଷର ଦୁଇ ଝିଅ ଓ ୯ ବର୍ଷର ପୁଅ। ସରକାରଙ୍କ ପକ୍ଷରୁ ମିଳୁଥିବା ଭତ୍ତା ଓ ରାସନ୍‌ ସାମଗ୍ରୀ ସହ ଚମ୍ପାଙ୍କ ନିଜ ରୋଜଗାରରେ ଚଳିବା କଷ୍ଟକର ହେଉଥିଲା।

ହେଲେ, ଗତବର୍ଷ ବଡ଼ଝିଅ ଓ ବର୍ତ୍ତମାନ ସାନଝିଅ ଆତ୍ମହତ୍ୟା କରିବା ପରେ ପରିବାରଟି ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି। ପୁରୀ ଜିଲ୍ଲା ପିପିଲି ଡାଇସିପାଟଣାର ମାନସ ପାତ୍ରଙ୍କର ମାନସିକ ବିକୃତି ଥିବାବେଳେ ପୁଅ-ଝିଅଙ୍କ ଠାରେ ବି ସେଇ ପ୍ରକୃତି ଦେଖିବାକୁ ମିଳିଥିଲା। କେଇବର୍ଷ ତଳେ ମାନସ ଗଣ୍ଡଗୋଳ କରି ଜେଲ୍‌ ଯାଇଥିବା ବେଳେ ସେଠାରେ ଏକାଧିକ ବାର ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହା ପରଠାରୁ ସରକାରଙ୍କଠାରୁ ମିଳୁଥିବା‌ ଭତ୍ତା ଓ ଚମ୍ପାଙ୍କ ରୋଜଗାରରେ ପରିବାର ଚଳୁଥିଲା।

କଷ୍ଟେମଷ୍ଟେ ଚଳୁଥିବା ଏହି ପରିବାରର ୧୪ ବର୍ଷର ବଡ଼ଝିଅ ବର୍ଷକ ତଳେ ଆତ୍ମହତ୍ୟା କରିବା ପରେ ଚମ୍ପାଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା। ଚମ୍ପା ଏହି କଷ୍ଟକୁ କୌଣସି ପ୍ରକାର ସହି ଯାଇଥିବାବେଳେ ଦୁଇଦିନ ତଳେ ୧୨ ବର୍ଷର ସାନଝିଅ ଅର୍ପିତା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ, ଅର୍ପିତାର ଏଠାରେ ମୃତ୍ୟୁ ଘଟିଛି। ଦୁଇ ଦୁଇଜଣ ଝିଅଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଚମ୍ପାଙ୍କ ନିକଟରେ ଏବେ କେବଳ ୯ ବର୍ଷର ପୁଅ ଅଛି।

ଗାଁରେ ଥିବା ମାନସିକ ଭିନ୍ନକ୍ଷମ ସ୍ବାମୀଙ୍କ ଡାକିବା ଅସମ୍ଭବ। ଝିଅର ଶବଦାହ କିପରି କରିବେ ଓ ଘରକୁ କେମିତି ଫେରିବେ ସେ ନେଇ ତାଙ୍କ ମୁଣ୍ଡ କାମ କରୁ ନଥିବା ବେଳେ ତାଙ୍କ ପାଖରେ ଦେବଦୂତ ଭଳି ପହଞ୍ଚିଥିଲେ ସମାଜସେବୀ ଅଭିମନ୍ୟୁ ଦାସ। ମଙ୍ଗଳାବାଗ ପୁଲିସ ଠାରୁ ଖବର ପାଇ ଅଭିମନ୍ୟୁ ନାବାଳିକାର ଶବକୁ ନେଇ ଖାନ୍‌ନଗରସ୍ଥିତ ସ୍ବର୍ଗଧାମ ଶ୍ମଶାନରେ ଦାହ କରିଥିଲେ। ଏହାପରେ ଚମ୍ପା‌ ନିଜ ପୁଅ ସହ ପିପିଲି ଚାଲିଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଅଭିମନ୍ୟୁ ଗତ କିଛିବର୍ଷ ଭିତରେ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ମୃତ୍ୟୁ ଘଟୁଥିବା ୧୨ଶହରୁ ଅଧିକ ଅସହାୟଙ୍କ ଶବ ଦାହ କଲେଣି।

The post ମାନସକି ବିକୃତ ପରିବାରର କରୁଣ ପରିଣତି; ଗତବର୍ଷ ବଡ଼ଝିଅ ଆତ୍ମହତ୍ୟା କରିଥିଲା,ଏବେ ସାନଝିଅ first appeared on Sambad.

from ଜିଲ୍ଲା | Sambad https://ift.tt/3eYSou6