
କଟକ: ଏସ୍ସିବି ସଂପ୍ରସାରଣ ଯୋଜନା ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ପୂର୍ତ୍ତବିଭାଗ ସଚିବ ଡକ୍ଟର କିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଏସ୍ସିବି ସଂପ୍ରସାରଣ ଯୋଜନା ପାଇଁ କି କି ରୂପରେଖ ପ୍ରସ୍ତୁତ କରାଯିବ ତଥା ପୁଣି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ୧୫ରୁ ୨୦ଦିନ ମଧ୍ୟରେ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୧୫ରୁ ୨୦ଦିନ ମଧ୍ୟରେ ରେଡକ୍ରସ୍ ରକ୍ତଭଣ୍ଡାର ଓ ଏସ୍ସିବି ମେଡିକାଲ ପବ୍ଲିକ୍ ସ୍କୁଲକୁ ଭଙ୍ଗାଯିବ। ତା’ଛଡ଼ା, ତତ୍ସଂଲଗ୍ନ ଅଂଚଳରେ ଥିବା କିଛି ଘରୋଇ ସ୍ଥାନ ଓ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟାରୁ ବାଦ୍ ପଡିଥିବା ସ୍ଥାନକୁ ଉଚ୍ଛେଦ କରାଯିବାର ଯୋଜନା କରାଯାଇଛି।
ତେବେ ରେଡକ୍ରସ୍ ରକ୍ତଭଣ୍ଡାରକୁ ଅସ୍ଥାୟୀ ଭାବେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଲିନାକ୍ ବିଲଡିଂକୁ ସ୍ଥାନାନ୍ତରିତ କରାଯିବ। ପରେ ଏସ୍ସିବି ପରିସରରେ ନିର୍ମାଣ ହେବାକୁ ଥିବା ସ୍ବତନ୍ତ୍ର କୋଠାରେ ରେଡକ୍ରସ୍ ରକ୍ତଭଣ୍ଡାର କାର୍ଯ୍ୟକ୍ଷମ ହେବ। ତେବେ ଉଚ୍ଛେଦ ହେବାକୁ ଥିବା ୮ଟି ଘରୋଇ ଜମିକୁ ଉଚ୍ଛେଦ ପ୍ରକ୍ରିୟାରୁ ବାଦ୍ ଦେବା ନେଇ ସେମାନେ କୋର୍ଟର ଦ୍ବାରସ୍ଥ ହୋଇଥିବାରୁ ଏବେ ସେହି ଘରୋଇ ସ୍ଥାନରୁ ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ। ଏସ୍ସିବି ସଂପ୍ରସାରଣ ଯୋଜନା ସଂପର୍କୀୟ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ କେନ୍ଦ୍ରାଞ୍ଚଳ ଆର୍ଡିସି ଅନୀଲ କୁମାର ସାମଲ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ଓବିସିସି ଓ ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥାର ଯନ୍ତ୍ରୀମାନେ ଏହି ଭିଡିଓ କନ୍ଫରେନ୍ସରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇଥିଲେ।
The post ଏସ୍ସିବି ସଂପ୍ରସାରଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ first appeared on Sambad.from ଜିଲ୍ଲା | Sambad https://ift.tt/3ek0Mp4
0 Comments