
ବାଲେଶ୍ୱର/ଚାନ୍ଦିପୁର: ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ଓଡ଼ିଶା ପାଇଁ ନୂଆ କଥା ନୁହେଁ, କିନ୍ତୁ ଏହାର ମୁକାବିଲା ପାଇଁ ବ୍ୟାପକ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ବାଲେଶ୍ୱର ଜିଲ୍ଲାର ବାତ୍ୟା ପ୍ରଭାବିତ ଅଞ୍ଚଳ ସଦର ବ୍ଲକ ଅନ୍ତର୍ଗତ ଶ୍ରୀକୋଣା ପଞ୍ଚାୟତ ଚାରଗୋଛିଆ ଗାଁର କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମ ଜରିଆରେ ଜଣାଇଛନ୍ତି ଯେ, ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଦୀର୍ଘସୂତ୍ରୀ ଯୋଜନା ଆବଶ୍ୟକ। ସମୁଦ୍ର କୂଳ ଅଞ୍ଚଳମାନଙ୍କରେ ହେନ୍ତାଳବଣ ସୃଷ୍ଟି କରିବା, ବ୍ୟାପକ ଝାଉଁଗଛ ଲଗାଇବା, ନଦୀବନ୍ଧ ସୁଦୃଢ କରିବା, ନଦୀ ଓ ସମୁଦ୍ର ତଟରେ ବସବାସ କରୁଥିବା ଗାଁଗୁଡ଼ିକର ଲୋକଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ପକ୍କାଘର ବଣ୍ଟନ କରିବା, ସଂପୃକ୍ତ ଅଂଚଳରେ ବିଦ୍ୟୁତ ସେବା ଅବ୍ୟାହତ ପାଇଁ ମାଟିତଳେ କେବୁଲ ବିଛାଇବା, ପିଇବା ପାଣିର ଅଭାବ ଅସୁବିଧା ବୁଝିବା ଆଦି କାର୍ଯ୍ୟକ୍ରମ କଲେ ବାତ୍ୟାର ମୁକାବିଲା କରିବା ସହଜ ସାଧ୍ୟ ହୋଇପାରିବ ବୋଲି ସେ କହିଥିଲେ। କେନ୍ଦ୍ର ସରକାର ଆମ ରାଜ୍ୟ ଓଡ଼ିଶାକୁ ଆବଶ୍ୟକତା ଠାରୁ ଅଧିକ ସାହାଯ୍ୟ ଯୋଗାଇ ଦେଇଛନ୍ତି। କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚ କରିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ। ଏହାର ସଦୁପଯୋଗ ରାଜ୍ୟ ସରକାର କରିପାରିନାହାନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କ୍ଷୁଦ୍ର ଓ ଅଣୁ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର, ବିଜେପି ରାଷ୍ଟ୍ରୀୟ ଯୁବମୋର୍ଚା ଉପାଧ୍ୟକ୍ଷ ଠାକୁର ରଂଜିତ ଦାସ, ରାଜ୍ୟ ବିଜେପି ଯୁବମୋର୍ଚା ଉପସଭାପତି ମାନସ କୁମାର ଦତ୍ତଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ପରେ ଦୁଇ କେନ୍ଦ୍ରମନ୍ତ୍ରୀ ବିପନ୍ନଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ।
The post ବାଲେଶ୍ୱରରେ ବାତ୍ୟାଞ୍ଚଳରେ ସ୍ଥିତି ଅନୁଧ୍ୟାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ first appeared on Sambad.from ଜିଲ୍ଲା | Sambad https://ift.tt/2SISgay
0 Comments