କଟକ: ବର୍ଷର ସବୁ ସମୟରେ ଘ‌ର ଆଗରେ ଜମୁଛି ଦେଢ଼ଫୁଟ ଉଚ୍ଚର ଡ୍ରେନ ପାଣି। କଂକ୍ରିଟ ରାସ୍ତା ଉପରେ ମାଡ଼ିଛି ଶିଉଳି। ଏଥିରେ ଲୋ‌କଙ୍କ ଗୋଡ଼ ଓ ଗାଡ଼ି ଚକା ସ୍ଲିପ୍‌ କରି ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଘର ଆଗରେ ସବୁ ସମୟରେ ନାଳ ପାଣି ଜମିରହିବାରୁ ପରିବେଶ ଦୁର୍ଗନ୍ଧମୟ ହେବା ସହ ମଶା ଓ ଜୋକ ବଂଶ ବୃଦ୍ଧି ପାଇଛି। ଜାଇକା ଦୀର୍ଘବର୍ଷ ଧରି ଖ୍ରୀଷ୍ଟ କଲେଜ ନିକଟରେ ଡ୍ରେନ୍‌ କାମ କରୁଥିବାରୁ ତୁଳସୀପୁର ଖ୍ରୀଷ୍ଟିୟାନ ସାହିରେ ରାସ୍ତାରେ ସବୁ ସମୟ ପାଇଁ ନାଳ ପାଣି ଜମୁଛି। ପାଣି ବାହାର କରିବା ପାଇଁ ସାହିରେ ଜାଇକା ପକ୍ଷରୁ ପମ୍ପର ବ୍ୟବସ୍ଥା କରାଯାଇଛି। ମାତ୍ର ବହୁସମୟ ଧରି ପମ୍ପ୍‌ ବନ୍ଦ ରହୁଥିବାରୁ ଏପରି ସମସ୍ୟା ଦେଖାଯାଉଥିବାର ଅଭିଯୋଗ ହୋଇଛି। ଜିଲ୍ଲପାଳଙ୍କ ଘର ଆଗରେ ଥିବା ଏହି ସାହିର ଅବସ୍ଥା ଏପରି ହୋଇଥିବା ବେ‌ଳେ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

ମହାନଗର ନିଗମ ୱାର୍ଡ ନମ୍ବର-୯ ସ୍ଥିତ ତୁଳସୀପୁର ଖ୍ରୀଷ୍ଟିୟାନ ସାହି ରାସ୍ତାରେ ବର୍ଷର ସବୁ ସମୟରେ ନାଳପାଣି ଜମି ରହୁଛି। ସାହି ନିକଟ‌ ଦେଇ ଯାଇଥିବା ଡ୍ରେନର ପାଣି ନିଷ୍କାସନ ନ ହୋଇ ସାହି ମଧ୍ୟକୁ ପଶୁଛି।ଏଥିରେ ସ୍ଥାନୀୟ ଅଞ୍ଚଳର ୩୦ରୁ ଅଧିକ ପରିବାର ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ଜିଲ୍ଲପାଳଙ୍କ ଘର ପଛ ଦେଇ ଯାଇଥିବା ଉକ୍ତ ଡ୍ରେନର ସାଇଡ୍‌ୱାଲ୍‌ କାମ ଖ୍ରୀଷ୍ଟ ମହାବିଦ୍ୟାଳୟ କଲଭର୍ଟ ନିକଟରେ ଜାଇକା ପକ୍ଷରୁ କରାଯାଉଛି। ଦୀର୍ଘ ୩ ବର୍ଷ ଧରି ଡ୍ରେନର କିଛିଅଂଶକୁ ‌ପୋତି କାମ କରାଯାଉଥିବା ବେଳେ ପାଣି ନିଷ୍କାସନରେ ସମସ୍ୟା ହେଉଛି। ଅନ୍ୟପଟେ ଚଣ୍ଡୀଛକରୁ ଖଟବିନ ସାହି ପର୍ଯ୍ୟନ୍ତ ଉକ୍ତ ଡ୍ରେନରୁ ବହୁବର୍ଷ ଧରି ପଙ୍କ ସଫା କରାଯାଇ ନାହିଁ। ଏଥିରେ ଡ୍ରେନ୍‌ ପାଣି ଆଗକୁ ଯାଇ ମୁଖ୍ୟ ନାଳରେ ପଡ଼ିବା ବଦ‌ଳରେ ପଛକୁ ଫେରୁଛି। ଜାଇକାର କାମ ମନ୍ଥର ଗତିରେ ଚାଲିବା ଓ ଡ୍ରେନରୁ ପଙ୍କ ସଫା କରାଯାଉ ନଥିବାରୁ ପାଣି ନିଷ୍କାସନ ନହୋଇ ସାହି ରାସ୍ତାରେ ସବୁ ସମୟରେ ଜମି ରହୁଛି।

କଂକ୍ରିଟ ରାସ୍ତା‌ରେ ପାଣି ଜମିବାରୁ ରାସ୍ତା ଉପରେ ଶିଉଳି ହେବା ସହିତ ଏଥିରେ ‌ଲୋ‌କଙ୍କ ଗୋଡ଼ ଓ ଗାଡ଼ି ଚକା ଖସି ପ୍ରତିଦିନ ଦୁର୍ଘଟଣା ଘଟୁଛି। ପାଣି ଜମିବାରୁ ସାହିରେ ଦୁର୍ଗନ୍ଧ ହେବା ସହିତ ମଶା ଓ ଜୋକଙ୍କ ବଂଶ ବୃଦ୍ଧି ପାଇଛି। ସାହିରୁ ପାଣି ବାହାର କରିବା ପାଇଁ ଜାଇକା ପକ୍ଷରୁ ପାଣି ପମ୍ପର ବ୍ୟବସ୍ଥା କରାଯାଇଛି। ମାତ୍ର ଏହାକୁ ନିୟମିତ ଚଲା ଯାଉ ନ ଥିବାରୁ ସାହି ମଧ୍ୟରେ ପାଣି ଜମି ରହୁଛି। ଜାଇକା ଡ୍ରେନର ନିର୍ମାଣ କାମ ଶୀଘ୍ର ଶେଷ କରିବା ସହିତ ନିୟମିତ ପମ୍ପ୍‌ ଚଲାଇବାକୁ ସାହି ବାସିନ୍ଦା ଦାବି କରିଛନ୍ତି।

The post ତୁଳସୀପୁର ଖ୍ରୀଷ୍ଟିୟାନ ସାହି; ବର୍ଷତମାମ୍‌ ରାସ୍ତାରେ ନର୍ଦ୍ଦମା ପାଣି first appeared on Sambad.

from ଜିଲ୍ଲା | Sambad https://ift.tt/3fAQdi1