
ଖଡ଼ିଆଳ : ଖଡ଼ିଆଳ ବ୍ଲକ୍ ନେହେନା ପଞ୍ଚାୟତ ଚିଚେର ଗ୍ରାମରେ ଏବେ ପିଇବା ପାଣି ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପାଇଁ ଅଧକୋଟି ଟଙ୍କାର ପ୍ରକଳ୍ପ ରହିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁ ନାହିଁ। ଫଳରେ ଗ୍ରାମବାସୀ ପଥର କୋରଡ଼ରୁ ପିଇବା ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି।

ପ୍ରକାଶ ଯେ ଗ୍ରାମର ସବୁ ନଳକୂଅରୁ ଫ୍ଲୋରାଇଡଯୁକ୍ତ ପାଣି ବାହାରେ। ଫଳରେ ଜଳ ଓ ପରିମଳ ବିଭାଗ ପକ୍ଷରୁ ସେହି ନଳକୂଅଗୁଡ଼ିକର ପାଣି ପିଇବାଯୋଗ୍ୟ ନୁହେଁ ବୋଲି ଲାଲ ଛକି ଚିହ୍ନ ଦିଆଯାଇଛି। ଫ୍ଲୋରାଇଡ ପାଣି ପିଇ ଏହି ଗ୍ରାମର ଲୋକମାନେ ବିଗତ କୋଡ଼ିଏ ବର୍ଷ ତଳେ ନାନାଦି ରୋଗର ଶିକାର ହୋଇଥିଲେ। ଚିଚେର ଗ୍ରାମବାସୀଙ୍କ ଜଳକଷ୍ଟ ଦୂର କରିବା ପାଇଁ ୨୦୦୦ ମସିହାରେ ଚିଚେର ଓ ତୋରଲି ଦୁଇଟି ଗ୍ରାମକୁ ଜଳ ଯୋଗାଣ ଯୋଜନାରେ ସାମିଲ କରି ୨୫ ଲକ୍ଷ ଟଙ୍କାର ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେଲା। ହେଲେ ଖଡ଼ିଆଳ ଜଳ ଓ ପରିମଳ ବିଭାଗର ଭୁଲ ଯୋଜନା ଯୋଗୁଁ ଚିଚେର ଗ୍ରାମବାସୀ ପାଣି ପାଇ ପାରିଲେ ନାହିଁ। ଚିଚେର ଗ୍ରାମକୁ ଜଳ ଯୋଗାଣ ବ୍ୟବସ୍ଥା ଥାଇ ମଧ୍ୟ ପାଣି ପାଇ ନପାରିବାରୁ ୨୦୧୪ ମସିହାରେ ତୋରଲି ଠାରେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏକଲକ୍ଷ ଲିଟର କ୍ଷମତାବିଶିଷ୍ଟ ଓଭର ହେଡ ଟାଙ୍କି ତିଆରି କରି ନୂତନ ଭାବରେ ପାଣି ଯୋଗାଣର ବ୍ୟବସ୍ଥା ହେଲା। ସେହି ଯୋଜନା ମଧ୍ୟ ଫେଲ ମାରିଲା। ଅଧ କୋଟି ଟଙ୍କାର ଜଳ ଯୋଗାଣ ପ୍ରକଳ୍ପ ଥାଇ ମଧ୍ୟ ନଥିଲା ପରି।

ଅନ୍ୟ ବିକଳ୍ପ ନଥିବାରୁ ବର୍ଷ ବର୍ଷ ଧରି ସାତପର୍ଲିଆ ପାହାଡ଼ ପାଦ ଦେଶରେ ବହୁଥିବା ଝରଣା ପାଣି ବର୍ଷା ମାସରେ ପିଉଥିବା ବେଳେ ଗ୍ରୀଷ୍ମଋତୁରେ ଝରଣା ପାଣି ଶୁଖିଯାଏ। ଗ୍ରୀଷ୍ମ ଋତୁରେ ସେହି ଝରଣା ବହୁଥିବା ନାଳରେ ଥିବା ଦୁଇରୁ ଚାରି ଫୁଟ ପଥର କୋରଡ଼ରୁ ବହୁ କଷ୍ଟରେ ପାଣି ସଂଗ୍ରହ କରି ପିଉଥିବା ନଜରକୁ ଆସିଛି। ସେଠାରୁ କମ ପାଣି ବାହାରୁଥିବାରୁ ଭୋରରୁ ମହିଳାମାନଙ୍କ ଭିଡ଼ ଜମିରହେ। ଏନେଇ ଦାୟିତ୍ୱ ରେଥିବା ଖଡ଼ିଆଳ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ରୋବେର୍ଟ ପ୍ରଧାନଙ୍କୁ ପଚାରିବାରୁ ଚିଚେର ଓ ତୋରଲି ଗ୍ରାମ ପାଇଁ ଅଲଗା ଅଲଗା ଜଳ ଯୋଗାଣ ପାଇଁ ଟେଣ୍ଡର ହୋଇ ସାରିଛି, ତୁରନ୍ତ କାମ ଆରମ୍ଭ ହେବ ବୋଲି କହିଥିଲେ। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଗ୍ରାମବାସୀ ଭୋଦେବ ହେର୍ଣ୍ଣା, ଦୁରୁ ବାଗ, ପବିତ୍ର ବାଗ, ହୃଷୀକେଶ ହେର୍ଣ୍ଣା, ଲିଙ୍ଗରାଜ ହେର୍ଣ୍ଣା ପ୍ରମୁଖ ଦାବି କରିଛନ୍ତି।
The post ଅଧକୋଟି ଟଙ୍କାର ପ୍ରକଳ୍ପ ଥିଲେ ବି କାମରେ ଲାଗୁନି: ଚିଚେର ଗ୍ରାମବାସୀ ପିଉଛନ୍ତି ପଥର କୋରଡ଼ର ପାଣି first appeared on Sambad.from ଜିଲ୍ଲା | Sambad https://ift.tt/3cvPc8W
0 Comments