
ଛତ୍ରପୁର : ଗଞ୍ଜାମ ଜ଼ିଲ୍ଲା ଚମାଖଣ୍ଡି ଥାନା ଶ୍ରୀରାମଚନ୍ଦ୍ରପୁର ପଂଚାୟତ ରାମେୟାପଲ୍ଲୀ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ଗୁଣିଆ ସନ୍ଦେହରେ ଗ୍ରାମବାସୀ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ଜୀବନରେ ମାରିଦେଇଛନ୍ତି । ମୃତକ ଜଣକ ବ୍ରହ୍ମପୁର ଅଂଚଳ ର ଏନ୍.ଭେଙ୍କଟ ରମଣ(୫୦) ବୋଲି ଜଣାପଡିଛି । ଏହାସହ ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ଏବଂ ବ୍ରହ୍ମପୁରର ପି.ଧବଳେଶ୍ୱର ରେଡ୍ଡୀ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ ଭର୍ତି କରାଯାଇଛି ।

ମିଳିଥିବା ସୂଚନାନୁସାରେ, ରାମେୟାପଲ୍ଲୀ ଗ୍ରାମର ପି.ଭୀମରାଜୁ ରେଡ୍ଡୀ ନାମକ ଜଣେ ବ୍ୟକ୍ତି କୌଣସି କାରଣରୁ ପୂଜାପାଠ କରିବା ଲାଗି ବ୍ରହ୍ମପୁର ଅଂଚଳର ଏନ୍.ଭେଙ୍କଟ ରମଣ ଏବଂ ପି.ଧବଳେଶ୍ୱରକୁ ଗ୍ରାମକୁ ଡାକିଥିଲେ । ସେମାନେ ଭୀମରାଜୁଙ୍କ କଥାରେ ରାଜି ହୋଇ ଆଜି ଗ୍ରାମକୁ ଆସି ପୂଜାପାଠ କରୁଥିଲେ । ହେଲେ ଗ୍ରାମବାସୀ ପୂର୍ବରୁ ଭୀମରାଜୁ ତାନ୍ତ୍ରିକ ଶିକ୍ଷା କରୁଛି ବୋଲି ସନ୍ଦେହ କରି ଆସୁଥିଲେ । ଆଜି ଗ୍ରାମରେ ଅନ୍ୟ ଦୁଇଜଣଙ୍କୁ ଦେଖି ଗ୍ରାମବାସୀଙ୍କ ଆହୁରି ସନ୍ଦେହ ଜାତ ହୋଇଥିଲା । ବ୍ରହ୍ମପୁରର ୨ ଜଣ ବ୍ୟକ୍ତି ପୂଜାପାଠ କରୁଥିବା ବେଳେ ଗ୍ରାମରେ ତାନ୍ତ୍ରିକ ପୂଜା ହେଉଥିବା ନେଇ ଗ୍ରାମବାସୀ ସେମାନଙ୍କ ସହ ବଚାସା ହେବା ସହ ହାତହାତି ହୋଇଥିଲେ । ଶେଷରେ ସେମାନେ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହୋଇଥିଲେ । ସେମାନଙ୍କୁ ଗ୍ରାମବାସୀ ନିସ୍ତୁକ ମାଡମାରିଥିଲେ । ଶେଷରେ ତିନିଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଏନ୍.ଭେଙ୍କଟଙ୍କ ମୃତ୍ୟୁ ହୋଇଥିଲା ।
ସୂଚନା ପାଇ ଘଟଣା ସ୍ଥଳେ ଅତିରିକ୍ତ ଏସ୍.ପି. ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍, ଚମାଖଣ୍ଡି ଥାନା ଅଧିକାରୀ ସିତାଂଶୁ ଶେଖର ମାନ୍ଧତା, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ, ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି ।
The post ଗୁଣିଗାରେଡି ସନ୍ଦେହରେ ଜଣକୁ ହତ୍ୟା, ୨ ଆହତ first appeared on Sambad.from ଜିଲ୍ଲା | Sambad https://ift.tt/3xAg4wu
0 Comments