
ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁରେ ଶନିବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ଏହି ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ବରଗଡ଼ ଜିଲ୍ଲା ବଏପୁର ଗ୍ରାମରୁ ବିନିକା ଅଞ୍ଚଳକୁ ୨ଟି ବାଇକରେ ୫ ଜଣ ଝିଅ ଦେଖିବାକୁ ଆସିଥିଲେ। ଫେରିବା ବେଳେ ବିନିକା- ଗୋଡ଼ଭଗା ରାସ୍ତାର ଅରିଗାଁ ପାଖରେ ପାଣି ପିଇବା ପାଇଁ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ସେହି ସମୟରେ ଗୋଡ଼ଭଗା ପଟରୁ ଦ୍ରୁତ ଗତିରେ ଆସୁଥିବା ହାଇୱା (ଓଡି ୧୫ ଡି ୦୮୨୨) ୪ ଜଣଙ୍କୁ ଧକ୍କା ଦେଇଥିଲା। ଦମକଳ ବାହିନୀ ଓ ୧୦୮ ଆମ୍ବୁଲାନ୍ସରେ ତୁରନ୍ତ ସେମାନଙ୍କୁ ବିନିକା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ବଏପୁର ଗାଁର ଗୋବିନ୍ଦ ବଗର୍ତ୍ତି (୪୫), ଗୌର ମାଝୀ (୫୦) ଓ ଦନାର୍ଦ୍ଦନ ବାରିକ (୫୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ରୂପାପାଲିର ବରୁଣ ଭୁଏ (୩୦) ଗୁରୁତର ଅଛନ୍ତି। ତାଙ୍କୁ ବୁର୍ଲା ବଡ଼ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ସେମାନଙ୍କ ସହ ଥିବା ଅରୁଣ ମାଝୀ ଟିକିଏ ଦୂରରେ ଥିବାରୁ ସେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି।
ଦୁର୍ଘଟଣା ପରେ ଫେରାର୍ ହେଉଥିବା ହାଇୱା ଚାଳକ ହୀରାକୁଦର ଜୟକିଶାନ ଓରାମ (୨୦)ଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସର ଜିମା ଦେଇଥିଲେ। ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ କରୁଛି। ଏ ସମ୍ପର୍କରେ ବିନିକା ଥାନାରେ ଏକ ମାମଲା ରୁଜୁ ହୋଇଛି।
The post ହାଇୱା ଧକ୍କାରେ ୩ ମୃତ, ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3uWrFV9
0 Comments