ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ଜୁରୁଡିଠାରେ ହାଇୱା ଦୁର୍ଘଟଣାରେ ଗୁରୁତର ଆହତ ପେଣ୍ଠେଇ ବସ୍ତିର ମହିଳା ମଙ୍ଗୁଳି ପେଣ୍ଠେଇ (୬୦)ଙ୍କର ମୃତ୍ୟୁକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ ଅବହେଳା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗରେ ଏଭଳି ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ ଶବ ରଖି ଯୋଡ଼ା-ବାମେବାରୀ ରାସ୍ତା ଅବରୋଧ କରିଥିଲେ।

ଗତ ୧ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ମଙ୍ଗୁଳିଙ୍କର ଦୁଇଟି ଗୋଡ ନଷ୍ଟ ହୋଇଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଯୋଡାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ମଙ୍ଗୁଳିଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ କରି ତାଙ୍କ ପରିବାରଙ୍କୁ ଆର୍ଥିକ କ୍ଷତିପୂରଣ ଦାବି କରି ଶତାଧିକଲୋକ ଶନିବାର ଅପରାହ୍ନ ପ୍ରାୟ ୩ ଟା ବେଳେ ରାସ୍ତା ଅବରୋଧ କରିଥିଲେ । ପୁଲିସ ବିଳମ୍ବରେ ପହଂଚି ଲୋକମାନଙ୍କୁ ଥାନାରେ ଆଲୋଚନା କରାଯିବ ଏବଂ ଆର୍ଥିକ ସହାୟତା ଦେବାର ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧକୁ ହଟାଇଥିଲା । ଘଟଣାସ୍ଥଳରେ ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତ କୁମାର ଭୂୟାଁ,ଏସଆଇ ଅନୀଲ କୁମାର ସାମଲ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବୁଝାସୁଝା କରିଥିଲେ। ମଙ୍ଗୁଳିଙ୍କ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୨୦ ହଜାର ଟଙ୍କା ପ୍ରଦାନ ପରେ ଏହି ରାସ୍ତାରୋକ ହଟିବା ସହ ଉଭୟ ପାର୍ଶ୍ବରେ ଅଟକିଥିବା ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା । ଦୀର୍ଘ ୬ ଘଣ୍ଟା ଧରି ରାସ୍ତା ଅବରୋଧ ଯୋଗୁଁ ଯୋଡ଼ା- ବମେଵାରୀ ରାସ୍ତାରେ ଶତାଧିକ ଗାଡ଼ି ଅଟକି ରହିଥିଲା ।

The post ଦୁର୍ଘଟଣାରେ ଆହତ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା first appeared on Sambad.

from ଜିଲ୍ଲା | Sambad https://ift.tt/3fU32nL