
ରାୟଗଡ଼ା: ବାପା, ମାଆ ପରେ ଜେଜେଙ୍କୁ ହରାଇ ଅସହାୟ ହୋଇ ପଡିଥିବା ୬ ବର୍ଷର ଶିଶୁ ଇ. ପ୍ରଣିତ କୁମାରଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ଗୁମୁଡା ଢ଼େପସାହିରେ ପ୍ରଶାସନିକ ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜେଜେମା ନାଇଡୁ ଇସାଲୁଙ୍କ ସହ ଆଲୋଚନା କରିଛନ୍ତି। ମଧୁବାବୁ ପେନସନ୍ ଯୋଜନାରେ ମାସିକ ୫୦୦ ଟଙ୍କାର ଭତ୍ତା, ୫ କେଜି ଚାଉଳ, ଶିଶୁ ସୁରକ୍ଷା ସମିତି ଯୋଜନାରେ ଭରଣପୋଷଣ ପାଇଁ ଏକ ବର୍ଷ ପର୍ଯ୍ୟନ୍ତ ମାସିକ ୨ ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି। ରାମନାଗୁଡା ବ୍ଲକ୍ ଗୁମୁଡା ଢ଼େପସାହିରେ ରହୁଥିବା ଇ. ପ୍ରଣିତ କୁମାର ୪ ବର୍ଷ ବୟସରେ ବାପା ନାଇଡୁ ସନ୍ତୋଷ କୁମାରଙ୍କୁ ହରାଇଥିଲେ। ବାପାଙ୍କ ମୃତ୍ୟୁର କିଛି ମାସ ପରେ ମାଆ ଝାନସିଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ଶୈଶବରେ ଉଭୟ ବାପା, ମାଆଙ୍କୁ ହରାଇଥିବା ପ୍ରଣିତ ଜେଜେ ବାପା ନାଇଡୁ ନୌକୟାଙ୍କ ପାଖରେ ରହି ଆସୁଥିବା ବେଳେ ମେ ୩୧ ତାରିଖରେ ଜେଜେ ନାଇଡୁ ନୌକୟାଙ୍କ କରୋନାରେ ମୃତ୍ୟୁ ହୋଇଛି। ବାପା, ମାଆଙ୍କୁ ହରାଇବା ପରେ ପ୍ରଣିତଙ୍କ ପାଇଁ ଆଶାବାଡ଼ି ସାଜିଥିବା ଜେଜେଙ୍କ ମୃତ୍ୟୁ ପରେ ପ୍ରଣିତ ଭାଙ୍ଗି ପଡିବା ସହ ଅସହାୟ ହୋଇ ପଡିଛି। ଜେଜେମା ନାଇଡୁ ଇସାଲୁଙ୍କ ସହ ପ୍ରଣିତ ଏବେ ରହି ଆସୁଥିବା ବେଳେ ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ପ୍ରଣିତଙ୍କ ନିକଟରେ ପହଞ୍ଚିଛି।
ରାମନାଗୁଡ଼ା ବିଡ଼ିଓ ବେଣୁଧର ଶବର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସାହୁ, ଭାମିନି ପିଇଓ ସନ୍ନ୍ୟାସୀ ଟାକିରି, ଗୁମୁଡା ଆଇସିଡିଏସ୍ ସୁପରଭାଇଜର ପଦ୍ମିନୀ ବଡକୁମାର ଓ ଅଙ୍ଗନବାଡ଼ି କର୍ମୀ ପ୍ରଣିତଙ୍କ ଘରେ ପହଞ୍ଚି ସୁବିଧା, ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ପ୍ରଣିତଙ୍କ ବାପା, ମାଆଙ୍କ କରୋନା ପୂର୍ବରୁ ମୃତ୍ୟୁ ହୋଇଥିବାରୁ ଗାଇଡଲାଇନ୍ ଅନୁଯାୟୀ ପ୍ରଧାନମନ୍ତ୍ରୀ କେୟାରର୍ସ ଯୋଜନାରେ ପ୍ରଣିତ ସାମିଲ୍ ହୋଇପାରିବେ ନାହିଁ। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣିତଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ମାସିକ ୫୦୦ ଟଙ୍କାର ଭତ୍ତା ଏବଂ ଜେଜେମା ନାଇଡୁ ଇସାଲୁଙ୍କୁ ବାର୍ଧକ୍ୟ ଭତ୍ତା ଭାବେ ମାସିକ ୫୦୦ ଟଙ୍କା ମିଳିବ। ସେହିପରି ଉଭୟଙ୍କୁ ମାସିକ ୫ କେଜି ଲେଖାଁଏ ଚାଉଳ ମିଳିବ। ଶିଶୁ ସୁରକ୍ଷା ଯୋଜନାରେ ପ୍ରଣିତର ଭରଣପୋଷଣ ପାଇଁ ମାସିକ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ ସୁପାରିଶ କରାଯିବ। ଯାହା ପ୍ରଣିତଙ୍କ ପାଠପଢ଼ାରେ ସହାୟକ ହେବ। ଏବେ ପ୍ରଣିତ ଗୁମୁଡାସ୍ଥିତ ଅଭ୍ୟାସ ଟେକ୍ନୋ ସ୍କୁଲରେ ଷ୍ଟାଣ୍ଡାର୍ଡ ୧ ରେ ପଢ଼ୁଛନ୍ତି। ପ୍ରଶାସନ ଏହି ଅସହାୟ ପରିବାରକୁ ସହାୟତାର ହାତ ବଢ଼ାଇଥିବା ବେଳେ କିଛି ବଦାନ୍ୟ ବ୍ୟକ୍ତି ମଧ୍ୟ ସହାୟତା ପାଇଁ ଆଗେଇ ଆସିଥିବା ସୂଚନା ମିଳିଛି।
The post ବାପା, ମାଆ ପରେ ଜେଜେଙ୍କୁ ହରାଇବା ଘଟଣା ପ୍ରଣିତଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/35gJfsl
0 Comments