ବରଗଡ଼ : ବରଗଡ଼ ଜିଲ୍ଲା ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ସହରରେ କଫ୍‌ ସିରପ୍‌ ବନ୍ୟା ବୋହୁଛି। ଏକଥା ପୁନର୍ବାର ପ୍ରମାଣିତ ହୋଇଛି। ଟାଉନ୍‌ ପୁଲିସ୍‌ ବିପୁଳ କଫ୍‌ ସିରପ୍‌ ଏବଂ ନିଶା ସାମଗ୍ରୀ ସହ ୪ଜଣଙ୍କୁ ଗିରଫ କରିଛି। ସମ୍ବଲପୁରରୁ ଏମାନେ ଦୁଇଟି ଦାମୀ କାର୍‌ରେ ବରଗଡ଼ ଅଭିମୁଖେ ଆସୁଥିବାବେଳେ ସମସ୍ତଙ୍କୁ ପୁଲିସ୍‌ ଧରିଛି। ଗିରଫ ୪ଜଣଙ୍କ ମଧ୍ୟରେ ଜଣେ ମହିଳା ସମିମ ବେଗମ୍‌ ବି ଅଛନ୍ତି। ଅନ୍ୟ ତିନିଜଣ ଅଭିଯୁକ୍ତ ହେଲେ ବରଗଡ଼ ପୌରାଞ୍ଚଳ ନୂଆପଡ଼ାର ସରୋଜ ଭୋଇ, ଆଦେଶ ତ୍ରିପାଠୀ, ଓ ରାଧାକାନ୍ତ ଭୋସାଗର। ସେମାନଙ୍କ ପାଖରୁ ୧୯୨୦ ବୋତଲ ସିରପ୍‌, ନିଶା ବଟିକା, ପାଣିମିଶା କଫ୍‌ ସିରପ୍, ଦୁଇଟି କାର, ୩ଟି ମୋବାଇଲ, ନଗଦ ୫ ହଜାର ଟଙ୍କା ଜବତ ହୋଇଥିବା ଏସ୍‌ଡିପିଓ ଦୀପକ ଗୋଚ୍ଛାୟତ, ଥାନା ଅଧିକାରୀ ସଦାନନ୍ଦ ପୂଜାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଆଶ୍ଚର୍ଯ୍ୟର କଥା, ଜବତ ଗୋଟିଏ କାର୍‌ରେ ‘ପ୍ରେସ୍‌’ ବୋଲି ବଡ଼ବଡ଼ ଅକ୍ଷରରେ ଲେଖା ହୋଇଛି। ପ୍ରେସ୍‌ ଷ୍ଟିକର୍‌ ମାରି ପୂର୍ବରୁ ବି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ଚୋରା ଚାଲାଣ ଘଟଣା ଘଟିଛି। ତେଣୁ ଜିଲ୍ଲାରେ କୌଣସି ଗାଡ଼ିରେ ‘ପ୍ରେସ୍‌’ ଲେଖାଯିବା ଉପରେ କଟକଣା ଲଗାଇବାକୁ ସାମ୍ବାଦିକମାନେ ଉଭୟ ଜିଲ୍ଲା ଓ ପୁଲିସ୍‌ ପ୍ରଶାସନ ପାଖରେ ଦାବି କରିଛନ୍ତି।

The post ୧୯୨୦ ବୋତଲ ସିରପ୍‌ ଜବତ, ଜଣେ ମହିଳା ସମେତ ୪ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/3hcEPIS