ଅତାବିରା : ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧିନସ୍ଥ କ୍ରୟ କେନ୍ଦ୍ର(ପିସି) ଗୁଡ଼ିକ ବନ୍ଦ ହେଲାଣି। ୧୯ଟି ମାର୍କେଟ୍ ୟାର୍ଡରୁ ୮ଟି ମଧ୍ୟ ବନ୍ଦ ହୋଇଗଲାଣି। ଆଉ ୫ ଦିନ ପରେ ଚଳିତ ମାସ ସମସ୍ତ ମାର୍କେଟ ୟାର୍ଡ ବନ୍ଦ ହେବ। ଗୌରଟିକ୍ରା, ଅତାବିରା, ରେଶମ, ଅରେଇଗୁଡ଼ି, ଭେଡ଼େନ, ସାଲେପାଲି, ତେତେଲଟିକ୍ରା, ଝରାପାଲି, ସହଁରାଟିକ୍ରା, ପପଙ୍ଗା, ରୁଷୁଡ଼ା ମାର୍କଟେ ୟାର୍ଡ ମଧ୍ୟରୁ କେବଳ ରେଶମ, ଅରେଇଗୁଡ଼ି, ସାଲେପାଲିରେ ଟୋକନ୍‌ ଥିବାରୁ ଧାନ ସଂଗ୍ରହ ହେଉଛି। ବାକି ୟାର୍ଡରେ ଟୋକନ ଅବଧି ନଥିବାରୁ ମଣ୍ଡି ବନ୍ଦ ଅଛି। ଯଦି ପୁନଃ ଟୋକନ ଜାରି ହେଲେ ହିଁ ଧାନ ସଂଗ୍ରହ ହେବ। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଛି। ବାଧ୍ୟ ହୋଇ ଚାଷୀ କ୍ବିଣ୍ଟାଲ ପ୍ରତି ୮ଶହରୁ ହଜାରେ ଟଙ୍କାରେ ବିକ୍ରି ଆରମ୍ଭ କଲେଣି। ଅସାଧୁ ବେପାରୀ, ମିଲ ମାଲିକ ଏହାରୁ ସୁଯୋଗ ନେଇ ମାଲେମାଲ ହେଉଛନ୍ତି। କିନ୍ତୁ ପ୍ରଶାସନ ପକ୍ଷରୁ କିଛି ତତ୍ପରତା ନାହିଁ।

ଗତ ଦୁଇ ଦଶନ୍ଧି ମଧ୍ୟରେ ଏଭଳି ଅବ୍ୟବସ୍ଥା କେବେ ଦେଖିବାକୁ ମିଳିନଥିଲା। ଗତ ଥର ଭାଗ ଚାଷୀ ଚାଷ କରି ଧାନ ବିକ୍ରି କରୁଥିଲା। ଜମି ମାଲିକ କେବଳ ଆଖି ସ୍କେନିଂ କରୁବାକୁ ଆସୁଥିଲେ। କିନ୍ତୁ ଚଳିତ ଥର ଟୋକନର ସୀମା କଟିବା, ଜଟିଳ ବ୍ୟବସ୍ଥା ଯୋଗୁଁ ଜମି ମାଲିକ କାମ ଧନ୍ଦା ଛାଡ଼ି ଦିନ ଦିନ ଧରି ଲାଇନ ଧରି ଧାନ ବିକ୍ରି କରିଛନ୍ତି। କେତେ ବେଳେ ଟାର୍ଗେଟ ସରିଯାଉଛି ତ ଆଉ କେତେବେଳେ ମିଲ୍‌ର ଗାଡ଼ି ଆସୁ ନାହାନ୍ତି। ଅତାବିରା ଆର୍‌ଏମ୍‌ସି ଅଧିନସ୍ଥ ପାଖାପାଖି ୫/୭ଶହରୁ ଅଧିକ ଟୋକନ ଉଡ଼ିଯାଇଥିବା କୁହାଯାଉଛି। ପୁନଃ ଜାରି ପାଇଁ ସରକାରଙ୍କୁ ତଥ୍ୟ ପଠାଯାଇଥିବା ଅଧିକାରୀ କହୁଛନ୍ତି। ଚଳିତ ଥର ବମ୍ପର ଫସଲ ହୋଇଥିଲା। ବହୁ ଚାଷୀ ଏକର ପିଛା ୪୨ରୁ ୪୫ ବସ୍ତା ପର୍ଯ୍ୟନ୍ତ ଅମଳ କରିଛନ୍ତି। ଭଲ ଦି’ ପଇସା ପାଇବା ଆଶା ଥିଲା। କିନ୍ତୁ ଅଦିନିଆ ବର୍ଷା ଏବଂ ଟୋକନ୍‌ ଖେଳ ଯୋଗୁଁ ବହୁ ଚ‌ାଷୀଙ୍କ ଧାନ ଜମିରେ ହିଁ ପଚି ଯାଇଛି। ଯଦି ସବୁ ଧାନ ମଣ୍ଡିକୁ ଆସିଥାନ୍ତା ତେବେ ଆହୁରି ଶୋଚନୀୟ ସ୍ଥିତି ହୋଇଥାନ୍ତା।

ମେ’ ମାସର ଧାନ ପାକେଟ୍‌ ପ୍ରତି ୨/୩ କେଜି କଟ୍‌ନି ହେଉଥିଲା। ଜୁନ ମାସ ପ୍ରଥମାର୍ଦ୍ଧରେ ଏହା ୮/୧୦ କେଜି ଯାଏଁ ପହଂଚିଲା। ଅର୍ଥାତ କ୍ବିଣ୍ଟାଲ ପ୍ରତି ୨୦ କେଜିରୁ ଅଧିକ କଟ୍‌ନି ହୋଇଛି। ଚାଷୀ ଦୀର୍ଘ ୬ ମାସର ପରିଶ୍ରମ ପରେ ବହୁ କଷ୍ଟରେ ଫସଲ ଅମଳ କରୁଛି। ଅଥଚ କ୍ବିଣ୍ଟାଲ ପିଛା ଧାନ ହଜାରେ ଟଙ୍କା ତଳେ ବିକ୍ରି କରିବା ଘୋର ଅବ୍ୟବସ୍ଥାକୁ ସୂଚାଉଛି।

The post ବନ୍ଦ ହେବାକୁ ବସିଲାଣି ମଣ୍ଡି, ଧାନ କ୍ବିଣ୍ଟାଲ ୮ଶହ ଟଙ୍କାରେ ବିକ୍ରି first appeared on Sambad.

from ଜିଲ୍ଲା | Sambad https://ift.tt/3jfVQ7i