ବ୍ରହ୍ମଗିରି : ପୁରୀ ଜିଲ୍ଲା ବ୍ରହ୍ମଗିରି ବନବିଭାଗ ଅଧୀନରେ ଥିବା ବାଲିହରଚଣ୍ତି ବିଟ୍‌ରେ ଅସ୍ଥାୟୀ ହାଚେରିରୁ ଅଣ୍ତା ଫୁଟି କଇଁଚ୍ଛ ଛୁଆ ସମୁଦ୍ରକୁ ଯାଇଛନ୍ତି। କିନ୍ତୁ ଅନେକ ଅଣ୍ତା ହାଚେରିରେ ହିଁ ନଷ୍ଟ ହୋଇଯାଇଛି। ବନ ବିଭାଗ ହାଚେରି କରି ବିରଳ ଅଲିଭ୍‌ ରିଡ୍‌ଲେ କଇଁଚ୍ଛଙ୍କ ଅଣ୍ତାକୁ ରଖିଥିଲା। ଗୋଟିଏ ବସାରୁ ୧୧୦ଟି ଛୁଆ ଫୁଟି ପ୍ରଥମ ପର୍ଯ୍ୟାୟରେ ସମୁଦ୍ରକୁ ଛଡ଼ାଯାଇଥିଲା। ହାଚେରିରେ ରହିଥିବା ବାକି ୧୭ଟି ବସାର ଅଣ୍ତା ଫୁଟିବାରେ ବିଳମ୍ବ ହେଲା। ଏହାରି ମଧ୍ୟରେ ହାଚେରିରେ ଥିବା ୧୭ଟି ବସା ମଧ୍ୟରୁ ୧୨ଟି ବସାର ଅଣ୍ତା ଫୁଟି ସେଥିରୁ ଛୁଆ ସମୁଦ୍ରକୁ ଯାଇଥିବା ବନ ବିଭାଗ କହିଛି।

ଏହି ୧୨ଟି ବସାରେ ୧୨୪୦ଟି ଅଣ୍ତା ବନ ବିଭାଗ ସଂଗ୍ରହ କରି ରଖି ଥିଲା। ସେଥି ମଧ୍ୟରୁ ୧୦୪୦ଟି ଛୁଆ ଫୁଟି ସମୁଦ୍ରକୁ ଯାଇଥିବା ବନ ବିଭାଗ କହିଛି। କିନ୍ତୁ ୨ଶହ ଅଣ୍ତା ନଷ୍ଟ ହୋଇଯାଇଛି। ଏତେ ପରିମାଣରେ ଅଣ୍ତାଗୁଡିକ ନଷ୍ଟ ହେବାର କାରଣ ବନ ବିଭାଗ ଖୋଜୁଛି। ଅନ୍ୟପଟେ ହାଚେରିରେ ଆହୁରି ୭ଟି ବସାର ଅଣ୍ତା ରହିଛି। ଯେଉଁଥିରେ କି ୮ଶହରୁ ଅଧିକ ଅଣ୍ତା ରହିଛି। ଏହି ସବୁ ଅଣ୍ତା କାଞ୍ଜିଆ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଚଳିତ ବର୍ଷ ବ୍ରହ୍ମଗିରି ବନ ବିଭାଗ ପକ୍ଷରୁ ମଙ୍ଗଳା ନଈ ଠାରୁ ଅରଖକୁଦା ମୁହାଣ ପର୍ଯ୍ୟନ୍ତ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ତା ସଂଗ୍ରହ କରି ବାଲିହରଚଣ୍ତି ବିଟ୍‌ ରେ ଅସ୍ଥାୟୀ ହାଚେରି କରି ରଖାଯାଇଛି। ଏବେ ଅନେକ ଅଣ୍ତା ହାଚେରିରେ ନଷ୍ଟ ହୋଇ ଯାଇଥିବାରୁ ସ୍ଥାନୀୟ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି। ଅଣ୍ତାଗୁଡିକ ସଠିକ ଭାବରେ ସଂଗୃହିତ କରା ଯାଇ ହାଚେରିରେ ରହିଥିଲା ନା କିଛି କାରଣ ପାଇଁ ଏତେ ଅଣ୍ତା ନଷ୍ଟ ହେଲା ଏବେ ବନ ବିଭାଗ ତାର କାରଣ ଖୋଜୁଛି।

The post ସମୁଦ୍ରକୁ ଗଲେ ୧୦୪୦ କଇଁଚ୍ଛ ଛୁଆ first appeared on Sambad.

from ଜିଲ୍ଲା | Sambad https://ift.tt/3fWYjBO