
କଣ୍ଟାମାଳ : ଧାନବିକ୍ରି କରି ନ ପାରିବା ପ୍ରତିବାଦରେ ଚାଷୀ ନିରଞ୍ଜନ କର୍ଣ୍ଣ ଶନିବାର ଯୋଗୀନ୍ଦ୍ରପୁର ପେକ୍ସ ସମ୍ମୁଖରେ ଧାରଣା ଦେଇଛନ୍ତି। ଶନିବାର ଦ୍ବିତୀୟ ଦିନ ବିତି ଯାଇଥିଲେ ହେଁ କୌଣସି ଅଧିକାରୀ ଧାରଣାସ୍ଥଳକୁ ଆସି ନ ଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ନିରଞ୍ଜନଙ୍କ ଯୋଗୀନ୍ଦ୍ରପୁର ପେକ୍ସ ଅଧୀନ ଦମାମୁଣ୍ଡା ଗ୍ରାମରେ ଚାଷ ଜମି ରହିଥିବା ବେଳେ ମନମୁଣ୍ଡା ପେକ୍ସ ଅଧୀନ ରତାଖଣ୍ଡି ଗ୍ରାମରେ ମଧ୍ୟ ଚାଷଜମି ରହିଛି। ତେବେ ଧାନବିକ୍ରି ପାଇଁ ପଞ୍ଜୀକରଣ ପାଇଁ ଯୋଗୀନ୍ଦ୍ରପୁର ପେକ୍ସକୁ ନିରଞ୍ଜନ ଆସିବାରୁ ପେକ୍ସ ସମ୍ପାଦକ ମନମୁଣ୍ଡା ପେକ୍ସକୁ ଯିବାକୁ କହିଥିଲେ। ମନମୁଣ୍ଡା ପେକ୍ସରେ ପଞ୍ଜୀକରଣ ପାଇଁ ସମସ୍ତ କାଗଜାତ ଦେଇ ଫେରିଥିଲେ। ହେଲେ ପରବର୍ତ୍ତୀ ସମୟରେ ତାଙ୍କ ଆଧାର ଜମାବହିରେ ଲିଙ୍କ ହୋଇ ନ ଥିବାରୁ ତାଙ୍କ ପଞ୍ଜୀକରଣ ନାକଚ ହୋଇ ଯାଇଛି ବୋଲି ମନମୁଣ୍ଡା ସମ୍ପାଦକ କହିଥିବା ନିରଞ୍ଜନ କହିଛନ୍ତି। ତେବେ ଯୋଗୀନ୍ଦ୍ରପୁର ପେକ୍ସ ସମ୍ପାଦକ ପ୍ରତାପ ପ୍ରଧାନ ଓମ ଶାନ୍ତି ମିଲର୍ସ ସହିତ କଥା ହୋଇଛି, ସେଠାକୁ ଧାନ ନେଇ ଦେଇ ଦେବାକୁ ନିରଞ୍ଜନଙ୍କୁ କହିଥିଲେ। ସେଠାକୁ ଏକ ଟ୍ରାକ୍ଟର ଯୋଗେ ତାଙ୍କ ଧାନ ନେବାରୁ ମିଲର୍ସ ନେବାକୁ ମନା କରି ଦେଇଛନ୍ତି। ଫଳରେ ୨ ଦିନ ହେଲା ଧାନ ବୋଝେଇ ଟ୍ରାକ୍ଟର ମିଲ ପରିସରରେ ରହିଛି।
ପେକ୍ସ ସମ୍ପାଦକ ଓ ମିଲର୍ସଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ମନମୁଣ୍ଡା ଥାନାରେ ଗତକାଲି ଲିଖିତ ଅଭିଯୋଗ କରି ଗତକାଲି ଠାରୁ ଯୋଗୀନ୍ଦ୍ରପୁର ପେକ୍ସ ସମ୍ମୁଖରେ ନିରଞ୍ଜନ ଧାରଣାରେ ବସିଛନ୍ତି। ୨ ଦିନ ହେଲା ଧାରଣାସ୍ଥଳକୁ କୌଣସି ଅଧିକାରୀ ଆସି ନ ଥିବା ଜଣାପଡିଛି।ଏ ସମ୍ପର୍କରେ ପେକ୍ସ ସମ୍ପାଦକ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ମିଲ୍କୁ ଧାନ ନେବାକୁ ନିରଞ୍ଜନଙ୍କୁ ସେ କହି ନଥିବା କହିଛନ୍ତି।
The post ଧାନବିକ୍ରି କରି ନ ପାରିବା ପ୍ରତିବାଦରେ ପେକ୍ସ ସମ୍ମୁଖରେ ଚାଷୀଙ୍କ ଧାରଣା ଦ୍ବିତୀୟ ଦିନରେ first appeared on Sambad.from ଜିଲ୍ଲା | Sambad https://ift.tt/3dgcv72
0 Comments