ବଲାଙ୍ଗୀର : ଓଡ଼ିଶା ତଥା ପଶ୍ଚିମଓଡ଼ିଶା ପାଇଁ ଗୌରବ ଆଣିଛି ଲୁପ୍ତପ୍ରାୟ ବାଗଡ଼ିଖେଳ। ବହୁବର୍ଷ ପୂର୍ବରୁ ଏହି ଖେଳକୁ ପଶ୍ଚିମଓଡ଼ିଶାର ପୁଅ ଝିଅମାନେ ଖେଳିଆସୁଛନ୍ତି। କିନ୍ତୁ ଏବେ ଆଧୁନିକତାର ଛାପରେ ଏହି ଖେଳ ଲୁପ୍ତପ୍ରାୟ ହୋଇଗଲାଣି। ମୋବାଇଲ, ଟିଭିର ପ୍ରଭାବରେ ଏହି ଅଞ୍ଚଳର ପାରମ୍ପରିକ ଖେଳକୁଦ ସବୁ ଲୋପ ହେବାକୁ ବସିଲାଣି। ଏଭଳି ସମୟରେ ବଲାଙ୍ଗୀରର ଜଣେ ବୋହୂ ଏହି ଖେଳକୁ କେନ୍ଦ୍ରସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ଆୟୋଜିତ ଟୟକାଥନ ପ୍ରତିଯୋଗିତାକୁ ନେଇ ବିଜୟୀ ହୋଇଛନ୍ତି।

ବଲାଙ୍ଗୀରର ବୋହୂ ତଥା ବଙ୍ଗାଇଗାଓଁ ଜବାହର ନବୋଦୟ ବିଦ୍ୟାଳୟରେ କାର୍ଯ୍ୟରତ ଇତିସ୍ମିତା ମିଶ୍ରଙ୍କ ଟିମ୍‌ ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ପକ୍ଷରୁ ପାରମ୍ପରିକ ଜ୍ଞାନକୌଶଳ, ଖେଳକୁଦ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ବୈଷୟିକ ଶିକ୍ଷା କାଉନସିଲ, ମହିଳା ଓ ଶିଶୁକଲ୍ୟାଣ ବିଭାଗ, ବାଣିଜ୍ୟ ଓ ଶିଳ୍ପ ବିଭାଗ, ଏମ୍‌ଏସ୍‌ଏମ୍‌ଇ, ଟେକ୍ସଟାଇଲ, ସୂଚନା ଓ ପ୍ରସାରଣ ବିଭାଗର ସହଯୋଗିତାରେ ଦେଶର ସବୁ ଅଞ୍ଚଳରୁ ପ୍ରକଳ୍ପ ଆହ୍ୱାନ କରାଯାଇଥିଲା। ଡିଜିଟାଲ ମୋଡରେ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମେ ନୋଡାଲ ସ୍ତରୀୟ, ଫିନାଲେ ଓ ଗ୍ରାଣ୍ଡଫିନାଲେ ପର୍ଯ୍ୟନ୍ତ ଦେଶର ଅନେକ ପ୍ରତିଯୋଗୀଙ୍କ ପ୍ରକଳ୍ପ ଯାଇଥିଲା। ଶେଷରେ ବାଗଡ଼ି ଖେଳ ପ୍ରକଳ୍ପକୁ ଶ୍ରେଷ୍ଠ ତାଲିକାରେ ସ୍ଥାନିତ କରାଯାଇଛି।

ଏକ ବୋର୍ଡରେ ଗାର ଟଣାଯାଇ ବାଘ ଓ ଛେଳିକୁ ନେଇ ଛକାପଞ୍ଝାର ଖେଳକୁ ପଶ୍ଚିମାଞ୍ଚଳରେ ବାଗଡ଼ି ଖେଳ ଖେଳାଯାଏ। ଏବେ ପ୍ରାୟ ଏହା ଲୁପ୍ତହେବାକୁ ବସିଛି। ତେଣୁ ଏହି ପ୍ରକଳ୍ପକୁ ପଠାଇ ଦେଶର ଏକ ସ୍ୱତନ୍ତ୍ର ଖେଳର ପରିଚୟ ଦେବାକୁ ଚେଷ୍ଟା କରାଯାଇଛି ବୋଲି ପ୍ରକଳ୍ପର ମୁଖ୍ୟ ମେଣ୍ଟର ଇତିସ୍ମିତା ମିଶ୍ର କହିଛନ୍ତି। ଆସାମର ବଙ୍ଗାଇଗାଓଁ ଜବାହର ନବୋଦୟ ବିଦ୍ୟାଳୟରୁ ଯାଇଥିବା ଟିମ୍‌ କ୍ରିଏଟିଭ ମାଷ୍ଟରଙ୍କ ଏହି ପ୍ରକଳ୍ପର ମେଣ୍ଟର ଟିଜିଟି ଶିକ୍ଷୟିତ୍ରୀ ଇତିସ୍ମିତା ମିଶ୍ର ଥିବା ବେଳେ ଲିଡର ଭାବରେ ଛାତ୍ର ଦିବ୍ୟେନ୍ଦୁ ଦାସ ଓ ସଭ୍ୟ ଭାବରେ ରବିଶଙ୍କର, କଲ୍ୟାଣ ବ୍ରହ୍ମା ରହିଥିଲେ। ବଲାଙ୍ଗୀରର ଜଣେ ଜଣାଶୁଣା ଯୁବକ ତଥା ବଙ୍ଗାଇଗାଓଁରେ ଶିକ୍ଷକତା କରୁଥିବା ମନୋରଂଜନ ପାଢ଼ୀଙ୍କ ସ୍ତ୍ରୀ ହେଉଛନ୍ତି ଶିକ୍ଷୟିତ୍ରୀ ଇତିସ୍ମିତା।

The post ପଶ୍ଚିମଓଡ଼ିଶାର ‘ବାଗଡ଼ି ଖେଳ’ ପ୍ରକଳ୍ପ ଟୟକାଥନ ବିଜୟୀ, ମୁଖ୍ୟ ମେଣ୍ଟର୍‌ ବଲାଙ୍ଗୀର ବୋହୂ ଇତିସ୍ମିତା first appeared on Sambad.

from ଜିଲ୍ଲା | Sambad https://ift.tt/3A85LCe