ଜିଲ୍ଲାପାଳଙ୍କୁ ଭେଟିଲେ ଛାତ୍ରଛାତ୍ରୀ ଓ ଅଭିଭାବକ
ଅଧ୍ୟକ୍ଷଙ୍କ ବିରୋଧରେ ତଦନ୍ତ ଦାବି କଲେ ଚିତ୍ରଶିଳ୍ପୀ
ବିବାଦୀୟ ଚିତ୍ରକୁ ନେଇ ପୂର୍ବତନ ଛାତ୍ରଙ୍କ ସଙ୍ଗିନ ଅଭିଯୋଗ

ବାଲେଶ୍ବର : ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟ‌ାଳୟର କେଳେଙ୍କାରୀ ଘଟଣା ନୂଆ ମୋଡ଼ ନେଇଛି। ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଦାସ ଓ କିଛି ଅଧ୍ୟାପକଙ୍କ ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇଛି ଜିଲ୍ଲା ପ୍ରଶାସନ। ସବୁଠୁ ବଡ଼ କଥା ହେଲା, ସୋମବାର ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାରଙ୍କ ସମେତ ଏକ ତିନିଜଣିଆ ଟିମ୍‌ ବାଲେଶ୍ବରରେ ପହଞ୍ଚି ଓଟିରୋଡ୍‌ସ୍ଥିତ ଚାରୁ ଓ କାରୁକଳା ମହାବିଦ୍ୟାଳୟକୁ ଯାଇଥିଲେ। ପୂର୍ବାହ୍ନ ସାଢ଼େ ୧୧ଟାରୁ ପ୍ରାୟ ୨ଟା ପର୍ଯ୍ୟନ୍ତ ଏହି ଟିମ୍‌ କଲେଜର ‌ରେକର୍ଡ, ଆକାଉଣ୍ଟ ଖାତା ଏବଂ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ୍‌ କରି ରିପୋର୍ଟ ସଂଗ୍ରହ କରିବା ପରେ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଭୁବନେଶ୍ବର ଫେରିଯାଇଛନ୍ତି। ସେଠାରେ ଉକ୍ତ ଟିମ୍‌ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସେପଟେ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଭାରପ୍ରାପ୍ତ ସଭାପତି ଭାବେ ବିଷ୍ଣୁପ୍ରସାଦ ମହାନ୍ତି ଦାୟିତ୍ବ ଗ୍ରହଣ କରିବା ପରେ କଲେଜ ଅଧ୍ୟକ୍ଷଙ୍କ ବିରୋଧରେ ଉଠିଥିବା ସମସ୍ତ ଅଭିଯୋଗ ଉପରେ ଆଲୋଚନା ପାଇଁ ଆସନ୍ତା ୨ ତାରିଖରେ ସାଧାରଣ ପରିଷଦ (ଜିବି) ବୈଠକ ଡାକିଛନ୍ତି। ଅନ୍ୟପକ୍ଷରେ ଅଧ୍ୟକ୍ଷ ଓ ଅଧ୍ୟାପକଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସହ କଲେଜରେ ଶୈକ୍ଷିକ ପରିବେଶ ଫେରାଇ ଆଣିବାକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

ସେହିପରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବାଲେଶ୍ବର ଜିଲ୍ଲାର ଚିତ୍ରଶିଳ୍ପୀମାନେ ଏହି ପ୍ରସଙ୍ଗରେ ଜିଲ୍ଲାପାଳଙ୍କ ଜରିଆରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗକୁ ଏକ ସ୍ମାରକପତ୍ର ପଠାଇଛନ୍ତି।

The post ବାଲେଶ୍ବର ଆର୍ଟ କଲେଜ କେଳେଙ୍କାରୀ ଘଟଣାରେ ନୂଆମୋଡ଼: ତଦନ୍ତ କଲେ ସଂସ୍କୃତି ବିଶ୍ବବିଦ୍ୟାଳୟର ୩ ଜଣିଆ ଟିମ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/35Y1Wl1