ଚାନ୍ଦବାଲି/ଚାନ୍ଦିପୁର : ବଙ୍ଗୋପସାଗର ଉପକୂଳ ଡ.ଅବଦୁଲ କଲାମ୍‌ ଦ୍ବୀପରୁ ସୋମବାର ଅଗ୍ନି-‘ପି’ (ପ୍ରାଇମ୍) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆଇଟିଆର୍‌ର ୪ ନମ୍ବର ଲଞ୍ଚପ୍ୟାଡ୍‌ରୁ ଦିନ ୧୦.୫୫ରେ ପରୀକ୍ଷା କରାଯାଇଥିବା ବେଳେ ନିର୍ଦ୍ଧାରିତ ସମୟରେ ଏହା ଲକ୍ଷ୍ୟଭେଦ କରିଥିଲା। ବାଲିଷ୍ଟିକ୍ ମିସାଇଲ୍‌ ଅନ୍ତର୍ଗତ ଅଗ୍ନି-୧ର ଏହା ହେଉଛି ବିକଶିତ ସଂସ୍କରଣ। ଅଗ୍ନି-‘ପି’ ଅଧିକ ବିଧ୍ବଂସକ ଓ ପ୍ରଭାବଶାଳୀ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ‘ଅଗ୍ନି’ର ସଫଳ ପରୀକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରି ଡିଆରଡିଓର ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଏହାଦ୍ବାରା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି।

ଡିଆରଡିଓ ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ହେଉଛି ୧୦୦୦ରୁ ୨୦୦୦ କିଲୋମିଟର। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ଅଗ୍ନି-‘ପି’ କ୍ଷେପଣାସ୍ତ୍ରର ଲମ୍ବ ୪.୮ମିଟର, ଗୋଲେଇ ୧.୩ ମିଟର ଏବଂ ଓଜନ ୧୨ ଶହ କିଲୋଗ୍ରାମ। ଏଥିରେ ୨ ଟନ୍‌ ଓଜନ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ମଧ୍ୟ ବହନ କରାଯାଇପାରିବ। ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଏହି କ୍ଷେପଣାସ୍ତ୍ରକୁ ପୂର୍ବରୁ ଭାରତୀୟ ସେନାର ଷ୍ଟ୍ରାଟେଜିକ୍‌ କମାଣ୍ଡ ଫୋର୍ସ ଏକାଧିକ ଥର ବ୍ୟାବହାରିକ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରକୁ ସ୍ଥଳଭାଗରେ କୌଣସି ଓଜନଦାର ଟ୍ରକ କିମ୍ବା ରେଳ ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍‌କ୍ଷେପଣ କରାଯାଇପାରିବ। ଅଗ୍ନି-‘ପି’ର ଲକ୍ଷ୍ୟଭେଦ କ୍ଷମତା ଭିତରେ ପାକିସ୍ତାନ ଓ ଚୀନର ଅଧିକାଂଶ ସହର ଆସୁଛି।

The post ଅଗ୍ନି-‘ପି’ର ସଫଳ ପରୀକ୍ଷା first appeared on Sambad.

from ଜିଲ୍ଲା | Sambad https://ift.tt/3h9ua1q