
ବଲାଙ୍ଗୀର: ଲୋୟର ସୁକତେଲ ଡ୍ୟାମ ସାଇଟ୍ ଗାଁ ପରଧିଆପାଲିରୁ ଆଜି ଠାରୁ ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ପ୍ରଥମ ଦିନରେ ପ୍ରକଳ୍ପ ଦ୍ବାରା ବିସ୍ଥାପନ ହେବାକୁ ଥିବା ୭୦ ପରିବାରର ଘରକୁ ପ୍ରଶାସନ ଅକ୍ତିଆର କରିବା ସହ ୩୦ ପରିବାରର ଘରକୁ ଡୋଜର୍ ଲଗାଇ ଭାଙ୍ଗି ଦିଆଯାଇଛି।
ଏଥି ପାଇଁ ସକାଳୁ ପରଧିଆପାଲି ଗାଁରେ ପୁଲିସ ଫୋର୍ସ ପହଞ୍ଚିଥିଲେ। ପରେ ପରେ ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନିରଞ୍ଜନ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ନିର୍ଦ୍ଦେଶକ (ଆର୍ଆର୍) ମହେନ୍ଦ୍ର ମହାପାତ୍ର, ଏସ୍ଡିପିଓ ତୁଫାନ ବାଗ ପ୍ରମୁଖ ପହଞ୍ଚିଥିଲେ। ଯେଉଁ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ଗ୍ରହଣ କରି ସାରିଛନ୍ତି ସେମାନଙ୍କ ଘରଙ୍କୁ ଯାଇ ଏହି ଅଧିକାରୀଗଣ ଆସବାବପତ୍ର କାଢ଼ିବାକୁ କହିଥିଲେ। ବିସ୍ଥାପିତ ଅନେକ ଦିନରୁ ଗାଁ ଛାଡ଼ିବେ ବୋଲି ମାନସିକ ସ୍ତରରେ ପ୍ରସ୍ତୁତ ହୋଇସାରିଥିଲେ ବି ଘର ଛାଡ଼ିଲା ସମୟରେ ଆଖିରୁ ଲୁହ ଝରାଇଥିଲେ। ପ୍ରଥମେ ଗାଁର ଶେଷଦେବ ଗଡତ୍ୟାଙ୍କ ଘର ଭଙ୍ଗାଯାଇଥିଲା।
ଘର ଛାଡ଼ିବାକୁ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଗତକିଛି ଦିନ ତଳେ ନୋଟିସ ଦିଆଯାଇଥିଲା। ୨୪ ଘଣ୍ଟା ଭିତରେ ଘର ଛାଡ଼ିବାକୁ ଗତକାଲି ଡାକାବାଜି ଯନ୍ତ୍ରରେ ଘୋଷଣା କରାଯାଇଥିଲା। ଯେଉଁମାନେ କ୍ଷତିପୂରଣ ନେଇ ସାରିଛନ୍ତି ସେମାନଙ୍କୁ ବିସ୍ଥାପିତ କରାଯାଇ ଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ କହିଛନ୍ତି। ଗାଁରେ ୨୨୦ ପରିବାର ଦ୍ୱିତୀୟ କିସ୍ତି ଟଙ୍କା ନେଇସାରିଥିବା ପ୍ରକଳ୍ପ ନିର୍ଦ୍ଦେଶକ (ଆର୍ଆର୍) ସୂଚନା ଦେଇଛନ୍ତି। ପ୍ରକଳ୍ପ ଦ୍ବାରା ବିସ୍ଥାପିତ ହେବାକୁ ଥିବା ଲୋୟର୍ ସୁକତେଲ ନଦୀର ଡାହାଣ ପଟେ ଥିବା ୧୫ଟି ଗ୍ରାମରେ ପ୍ରଶାସନ ୨୦୦୪ ମସିହାରୁ କ୍ଷତିପୂରଣ ବଣ୍ଟନ କରିଚାଲିଛି। ଗତ ୧୭ ବର୍ଷ ଭିତରେ ପ୍ରଶାସନ ଓ ବିସ୍ଥାପିତଙ୍କ ମଧ୍ୟରେ ଅନେକଥର ବିବାଦ ହୋଇଥିଲା। ରାଜ୍ୟରେ ପୂର୍ବରୁ ହୋଇଥିବା ପ୍ରକଳ୍ପମାନଙ୍କର ବିସ୍ଥାପିତଙ୍କୁ ଉଚିତ କ୍ଷତିପୂରଣ ନଦେଇ ବିତାଡ଼ିତ କରାଯାଇଥିବା ବିଷୟ କହି ପ୍ରଥମେ ଏକକାଳୀନ କ୍ଷତିପୂରଣ ଓ ଥଇଥାନ ରାଶି ଦେବାକୁ ଦାବି କରୁଥିଲେ। ୨୦୧୩ କ୍ଷତିପୂରଣ ଓ ଥଇଥାନ ଆଇନ ଲାଗୁ କରିବାକୁ ଆନ୍ଦୋଳନ କରି ଡ୍ୟାମ୍ କାମକୁ ବନ୍ଦ ମଧ୍ୟ କରାଯାଇ ଥିଲା। ଶେଷରେ ଗତ ୨୦୨୧ ମସିହା ଫେବ୍ରୁଆରି ମାସରୁ ବିସ୍ଥାପିତଙ୍କୁ ଏକ୍ସଗ୍ରାସିଆ ସମେତ ଅନ୍ୟାନ୍ୟ କ୍ଷତିପୂରଣ ରାଶି ବଣ୍ଟନ ଚାଲିଛି।
The post ଲୋୟର ସୁକତେଲ: ବିସ୍ଥାପିତଙ୍କୁ ସ୍ଥାନାନ୍ତରଣ ଆରମ୍ଭ, ୭୦ ବିସ୍ଥାପିତଙ୍କ ଘର ଅକ୍ତିଆର କଲା ପ୍ରଶାସନ first appeared on Sambad.from ଜିଲ୍ଲା | Sambad https://ift.tt/3dttcfh
0 Comments