
ଭୁବନେଶ୍ବର: ରବି ଧାନ କ୍ରୟ ସମୟ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅାଜି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ସରକାର ରବିର ୧୭ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପରେ ଚାଷୀଙ୍କର ଆଉ ଯେତେ ବଳକା ଧାନ ଅଛି ତାକୁ କିଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୩୫ଲକ୍ଷ ମେଟ୍ରିକ୍ ଟନ୍ ବଳକା ଧାନରୁ ଆଜି ସୁଦ୍ଧା ମାତ୍ର ୧୪ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣାଯାଇଛି। ଯେଉଁଥିପାଇଁ ବହୁ ଚାଷୀ ଧାନକୁ ଧାର୍ଯ୍ୟ ମୂଲ୍ୟରେ ବିକି ପାରୁନାହାନ୍ତି। ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ିଥିବାବେଳେ ଧାନ କିଣିବା ପାଇଁ ଆଉ ଗୋଟିଏ ଦିନ ସମୟ ଅଛି। ତେଣୁ ରାଜ୍ୟ ସରକାର ଧାନ କିଣା ଅବଧି ଆଉ ଦେଢ଼ ମାସ ବଢ଼ାନ୍ତୁ।
ଅପରପକ୍ଷେ ରବି ଧାନ ବିକିବା ପାଇଁ ୧୭ଟି ଜିଲ୍ଲାରେ ୨ଲକ୍ଷ ୩୨ହଜାର ୬୦୧ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ସେଥିରୁ ୨ଲକ୍ଷ ୩ହଜାର ୭୦୦ ଚାଷୀଙ୍କ ଠାରୁ ଧାନ କିଣାଯାଇଛି। ଏବେବି ବାକି ୨୯ହଜାରରୁ ଉର୍ଦ୍ଧ୍ବ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯାଇନି। ବୁଧବାର ଟୋକନ୍ ଅବଧି ଲାପ୍ସ କରିଯିବ। ତେଣୁ ରାଜ୍ୟ ସରକାର ଏବେ ବିଭିନ୍ନ କାରଣରୁ ମଣ୍ଡିକୁ ଧାନ ଆଣିପାରିନଥିବା ଚାଷୀଙ୍କୁ ଟୋକନ୍ ଇସ୍ୟୁ କରିବା ସହ ଟୋକନ୍ ଅବଧି ବଢ଼ାନ୍ତୁ। ଏମ୍ଏସ୍ପି ସହ କ୍ବିଣ୍ଟାଲ ପିଛା ୫୦୦ଟଙ୍କା ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
The post ରବି ଧାନ କ୍ରୟ ସମୟ ଜୁଲାଇ ୧୫ ପର୍ଯ୍ୟନ୍ତ ବଢ଼ାଯାଉ: କଂଗ୍ରେସ first appeared on Sambad.from ଜିଲ୍ଲା | Sambad https://ift.tt/2TdUlMC
0 Comments