ବରଗଡ଼/ଗୋଡ଼ଭଗା : ଚା‌ଷୀ ହାତରେ ଆଉ ଟୋକନ୍‌ ନାହିଁ। ମଣ୍ଡିରେ ହଜାର ହଜାର ବସ୍ତା ଧାନ ପଡ଼ିଛି। ଟୋକନ୍‌ ପୁନଃ ଜାରି ହେବା ବି କିଛି ସମ୍ଭାବନା ନାହିଁ। ପୂର୍ବରୁ ହୋଇଥିବା ବିଭିନ୍ନ ଆନ୍ଦୋଳନ ବେଳେ ଧାନ ବିକ୍ରି ହେବ, ଟୋକନ୍‌ ଆସିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଧାନ କିଣିବା ତ ଦୂରର କଥା, ପ୍ରାୟତଃ ସବୁ ମଣ୍ଡି ଏବଂ କ୍ରୟକେନ୍ଦ୍ର ବନ୍ଦ ହୋଇ ସାରିଲାଣି। ଶେଷରେ ହତାଶ ଚାଷୀମାନେ ଜିଲ୍ଲାପାଳ ଏବଂ ଯୋଗାଣ କାର୍ଯ୍ୟାଳୟରେ ଧାନ ଗଦା କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୫୩ ନମ୍ବର ଜାତୀୟ ରାଜପଥକୁ ଗୋଡ଼ଭଗାଠାରେ ଅବରୋଧ ବି କରିଛନ୍ତି।

ଚାଷୀ ହାତରେ ଟୋକନ୍‌ ନଥିବା ବେଳେ ୩୦ ତାରିଖ ସବୁ ମଣ୍ଡି ବନ୍ଦ ହେବ। ତେଣୁ ଟୋକନ୍‌ ପୁନଃ ଜାରି ସମେତ ୬ଦଫା ଦାବି ନେଇ ଚାଷୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଭେଡ଼େନ ବ୍ଲକ୍‌ ରେଶମ ମାର୍କେଟୟାର୍ଡ ଅଧୀନରେ ଥିବା ଚାଷୀମାନେ ଟ୍ରାକ୍ଟର ଯୋଗେ ଧାନ ଆଣି ପ୍ରଥମେ ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ତାଲା ମାରି ଧାନ ଗଦା କରିଦେଇଥିଲେ। ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଗଦା କରି ଧାରଣା ଦେଇଥିଲେ। ମାର୍କେଟୟାର୍ଡରେ ପଡ଼ିଥିବା ସବୁ ଧାନ ସରକାରୀ ଦରରେ କ୍ରୟ କରିବାକୁ ଚାଷୀ ଦାବି କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ ନେତାମାନେ ଚେତାବନୀ ଦେଇଥିଲେ। ଚାଷୀ ନେତା ରମେଶ ମହାପାତ୍ର, ଜୟ କିଶାନ ଆନ୍ଦୋଳନର ସାଧାରଣ ସଂପାଦକ ହର ବଣିଆ, ସୁଦାମ ପାତ୍ର, ସଂଖ୍ୟାକାରୀ ଖମାରୀ, ନରେନ୍ଦ୍ର ଭୋଇ ସମେତ ବହୁ ଚାଷୀ ଆନ୍ଦୋଳନରେ ସାମିଲ ଥିଲେ। ରିପୋର୍ଟ ଲେଖାଯିବା ଯାଏ ଚାଷୀ ଆନ୍ଦୋଳନ ଜାରି ରହିଥିଲା। କୌଣସି ପ୍ରାଶାସନିକ ଅଧିକାରୀ ମଧ୍ୟ ଚାଷୀଙ୍କ ସହ ଆଲୋଚନା ପାଇଁ ଆସିନଥିଲେ। ଦାବି ପୂରଣ ନହେଲେ ଆସନ୍ତା ୩୦ ତାରିଖ ମଧ୍ୟରାତ୍ର ଯାଏ ଧାରଣା ଜାରି ରହିବ। ପରେ ଏହାକୁ ଆହୁରି ତୀବ୍ର କରାଯିବ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି।

ସେହିପରି ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ସହ ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଅତାବିରା ବ୍ଲକ୍‌ ଗୋଡ଼ଭଗା ଛକରେ କୋଶଳ ସେନା ପକ୍ଷରୁ ସୋମବାର ସକାଳ ୭ଟାରୁ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ସଂଗଠନର କର୍ମକର୍ତ୍ତାମାନ ବିଭିନ୍ନ ସ୍ଲୋଗାନ ଦେଇ ରାଜପଥରେ ବସି ରହିବା ସହ ଲହଣ୍ଡା, ମହୁଖଣ୍ଡ ରାସ୍ତା ବି ଅବରୋଧ କରିଥିଲେ। ଦାବିଗୁଡ଼ିକ ମଧ୍ୟରେ ୟସ୍‌ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଟୋକନ୍‌ ଲାପ୍‌ସ କରିଥିବା କିଂବା ଆସି ନଥିବା ଚାଷୀଙ୍କୁ ତୁରନ୍ତ ତାହା ପ୍ରଦାନ, ଚାଷୀଙ୍କ ବଳକା ଧାନ ଶୀଘ୍ର ବିକ୍ରି ଅନୁମତି ପ୍ରଦାନ ଆଦି ରହିଛି। ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ବରେ ବହୁ ସଂଖ୍ୟକ ଗାଡ଼ି ଅଟକି ରହିଥିଲା। ପ୍ରଚଣ୍ଡ ଖରାରେ ଆନ୍ଦୋଳନକାରୀମାନେ ବସି ରହିଥିଲେ ହେଁ କୌଣସି ଅଧିକାରୀ ନ ଆସିବାରୁ ଅସନ୍ତୋଷ ଦେଖା ଦେଇଥିଲା। ଅପରାହ୍ଣ ୩ ଘଣ୍ଟା ପରେ ଅତାବିରା ତହସିଲଦାର ଦୁର୍ଯ୍ୟୋଧନ ଭୋଇ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ଦାବିପତ୍ର ଗ୍ରହଣ କରିଥିଲେ। କିନ୍ତୁ, ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ। ଏଥିରେ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ସାମିଲ ହୋଇଥିବା ବେଳେ ଅତାବିରା ଓକିଲ ସଂଘ ସଭାପତି ଉନ୍ନିକ୍ରିଷ୍ଣନ ନାୟାର ସମର୍ଥନ ଜଣାଇଥିଲେ। ଅପରାହ୍ଣ ସାଢ଼େ ୪ଟା ବେଳେ ବରଗଡ଼ ଏଏସ୍‌ପି ସନ୍ତୋଷ ମିଶ୍ର ପହଞ୍ଚିଥିଲେ। ଏହା ପରେ ପୁଲିସ ଆନ୍ଦୋଳନକାରୀମାନଙ୍କୁ ଉଠାଇ ନେଇଥିଲା। ସାଢ଼େ ୯ ଘଣ୍ଟା ଧରି ରାସ୍ତାରୋକ ଫଳରେ ରାଜପଥରେ ଟ୍ରାଫିକ୍‌ ସମସ୍ୟା ଦେଖା ଦେଇଥିଲା।

The post ଟୋକନ୍‌ ନାହିଁ, ଧାନ ଉଠୁନି: ପୁଣି ତାତିଲେ ଚାଷୀ first appeared on Sambad.

from ଜିଲ୍ଲା | Sambad https://ift.tt/3A7PQU9