
ବରଗଡ଼: ବରଗଡ଼ ସହରରେ କଫ୍ ସିରପ୍ର ବନ୍ୟା ବହୁଛି। ଯେଉଁଠି ପୁଲିସ୍ ଚଢ଼ଉ କରୁଛି ବ୍ୟାପକ କଫ୍ ସିରପ୍ ଜବତ ହେଉଛି। ସିରପ୍ କାରବାରରେ ଅଭିଯୁକ୍ତମାନେ ଧରାପଡ଼ୁଛନ୍ତି। କୋର୍ଟ ଚାଲାଣ ହେବା ପରେ ଜେଲ୍ ଯାଉଛନ୍ତି। ହେଲେ ଜାମିନରେ ଫେରିବା ପରେ ଅଭିଯୁକ୍ତମାନେ ପୁଣି ବେପାର ଆରମ୍ଭ କରୁଛନ୍ତି। ଯଦ୍ବାରା କଫ୍ ସିରପ୍ କାରବାରରେ ଲଗାମ ଲାଗୁନାହିଁ। ଚୋରା ମଦ ବିକ୍ରି ହେଲା ଭଳି ଗଳିକନ୍ଦିରେ କଫ୍ ସିରପ୍ ବିକ୍ରି ହେଉଛି। କେତେକ ପରିତ୍ୟକ୍ତ କୋଠାରେ କଫ୍ ସିରପ୍ ରଖାଯାଉଛି। କଫ୍ ସିରପ୍ରେ ପାଣି ମିଶାଇ ପୁଣି ବୋତଲରେ ଭର୍ତି କରାଯାଇଛି।
ପାଣିମିଶା କଫ୍ ସିରପ୍କୁ ଗଳିଗଳିରେ କାଉଣ୍ଟର ଖୋଲିବା ଭଳି ବିକ୍ରି କରାଯାଉଛି। ବେପାରୀମାନେ ବାହାର ଜିଲ୍ଲାରୁ କଫ୍ ସିରପ୍ ଆଣୁଛନ୍ତି। ଛତିଶଗଡ଼, ବଲାଂଗୀର ଏବଂ ବୌଦ୍ଧ ଜିଲ୍ଲାରୁ ବରଗଡ଼କୁ ବ୍ୟାପକ କଫ୍ ସିରପ୍ ଚାଲାଣ ହେଉଛି। ବର୍ତମାନ ଲକ୍ଡାଉନ୍ ଯୋଗୁଁ ଛତିଶଗଡ଼ରୁ କଫ୍ ସିରପ୍ ଆସୁନାହିଁ। ତେଣୁ ସ୍ଥାନୀୟ ବେପାରୀମାନେ ମାଲବାହୀ ଗାଡ଼ିରେ ପଡ଼ୋଶୀ ଜିଲ୍ଲାରୁ ସିରପ୍ ଆମଦାନୀ କରୁଛନ୍ତି। ଲକ୍ଡାଉନ୍ ସମୟରେ ବି ଏହି କାରବାର ବ୍ୟାପକ ରହିଛି। ବର୍ତମାନ ଆଗଭଳି କାରବାର ହେଉନଥିବାରୁ ବେପାରୀମାନେ ଗୋଟିଏ ସିରପ୍ ବୋତଲ ପିଛା ୩ଶହ ଟଙ୍କା ଯାଏଁ ବିକ୍ରି କରୁଛନ୍ତି। ବରାଦ ହେଲେ ଗ୍ରାହକଙ୍କ ପାଖକୁ ସିରପ୍ ନେଇ ପହଂଚାଇ ଦେଉଛନ୍ତି। ଏହାବାଦ ଜିଲ୍ଲାରେ ବ୍ରାଉନସୁଗାର ରୢାକେଟ୍ ମଧ୍ୟ ସକ୍ରିୟ ରହିଛି। ଦୁଇ ଦିନ ତଳେ ସମ୍ବଲପୁର ପୁଲିସ୍ ବରଗଡ଼ ଆସି ବ୍ରାଉନସୁଗାର୍ ବେପାରରେ ଲିପ୍ତ ୨ଜଣଙ୍କୁ ଉଠାଇ ନେଇଥିଲା। ଅନୁରୂପ ଭାବେ ଏପ୍ରିଲ୍ ମାସରେ ମଧ୍ୟ ସମ୍ବଲପୁର ପୁଲିସ୍ ବରଗଡ଼ରୁ ଦୁଇ ଜଣଙ୍କୁ ଉଠାଇ ନେଇ ପଳାଇଥିଲା। ସ୍ଥାନୀୟ କିଛି ପୁଲିସ୍ କର୍ମଚାରୀଙ୍କ ଜାଣତରେ ଏହି କାରବାର ଚାଲୁଥିବାରୁ ନିଶା ବେପାରୀଙ୍କ ସାମ୍ରାଜ୍ୟରେ ଲଗାମ ଲାଗି ପାରୁନଥିବା ଚର୍ଚ୍ଚା ହେଉଛି।
The post ସହରରେ ନିଶା କାରବାର ଜୋର୍, ଜିଲ୍ଲା ବାହାରେ ସପ୍ଲାୟର first appeared on Sambad.from ଜିଲ୍ଲା | Sambad https://ift.tt/3zbzIAx
0 Comments