
ବରଗଡ଼ : କୌଣସି ଆର୍ଥିକ ବର୍ଷ ବରଗଡ଼ ଜିଲ୍ଲାରେ ମନରେଗା ପ୍ରକଳ୍ପ ଟାର୍ଗେଟ୍ ଛୁଇଁ ପାରୁନାହିଁ। ଯେତିକି କାମ ହେଉଛି, ସେଥିରେ ପ୍ରବଳ ଦୁର୍ନୀତି। ଜବ୍କାର୍ଡ ଜାଲିଆତି କରି ମେସିନ୍କୁ କାମରେ ଲଗାଇବା। ମିଥ୍ୟା ମଷ୍ଟରୋଲ୍ ପ୍ରସ୍ତୁତ କରି ଟଙ୍କା ହଡପ୍ କରିବା ଭଳି ସାଂଘାତିକ ମାମଲା ସାମନାକୁ ଆସିଛି। ବିଶେଷକରି ପଦ୍ମପୁର ଉପଖଣ୍ଡ ଏହି ଦୁର୍ନୀତିର ପେଣ୍ଠସ୍ଥଳୀ ପାଲଟିଛି। କରୋନାଜନିତ ଲକ୍ଡାଉନ୍ ଯୋଗୁଁ ପ୍ରବାସୀ ବିନା କାମଧନ୍ଦାରେ ଘରେ ବସିଛନ୍ତି। ଅଥଚ ଲକ୍ଷଲକ୍ଷ ଟଙ୍କାର କାମ ଭୁତ କରି ଦେଉଛି। ପଦ୍ମପୁର ବ୍ଲକ୍ ଦେବାନଡିହି ଓ ବରିକେଲ ପଞ୍ଚାୟତର ଚାରପାଲି, ଝାରବନ୍ଧ ବ୍ଲକ୍ ପୁଟୁକା, ପାଇକମାଳ ବ୍ଲକ୍ ଖର୍ସିଂବାଂଜିରେ ମନରେଗାରେ ଚାଲିଥିବା ବନ୍ଧ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ଜଣାପଡ଼ିଛି।
ବର୍ଷା ଆଗମନ ଯୋଗୁଁ ଜୁନ୍ ୧୫ ତାରିଖରୁ ମନରେଗାରେ ମାଟିକାମ ବନ୍ଦ ରହିଛି। ଠିକ୍ ଏହାର ଦୁଇତିନି ଦିନ ପୂର୍ବରୁ ଜେସିବିରେ ବିଭିନ୍ନ ବନ୍ଧ ସାମାନ୍ୟ ଖୋଳା ଯାଉଛି। ଫଳରେ ମୌସୁମୀ ବର୍ଷା ହେଲେ ବନ୍ଧ ଜଳଭର୍ତି ହେବ। ସେତେବେଳେ ବନ୍ଧ ଖେଳା ହୋଇଛି ନା ନାହିଁ କେହି ଠଉରାଇ ପାରିବେ ନାହିଁ। ଲକ୍ଷାଧିକ ଟଙ୍କା ଭାଗବଣ୍ଟା କରି ଗିଳି ଦେଉଛନ୍ତି। ପୋଖରୀ ଖୋଳା କାମରେ ଯେଉଁ ଫଳକ ଲାଗୁଛି, ସେଥିରେ ପ୍ରକଳ୍ପ ଟଙ୍କା ବି ଉଲ୍ଲେଖ ହେଉନାହିଁ। କିଛି ସ୍ଥାନରେ ସରପଞ୍ଚ ଏବଂ ଜିଆର୍ଏସ୍ମାନେ ଗାଁ ସାଥୀଙ୍କ ସହ ମିଶି ଏହି ଆତ୍ମସାତ୍ କରୁଛନ୍ତି। ଗ୍ରାମ୍ୟ କମିଟିରେ ଏମାନଙ୍କୁ ସୁହାଇଲା ଭଳି ଲୋକଙ୍କୁ ଡକାଯାଇ ଜବରଦସ୍ତ ଦସ୍ତଖତ କରାଯାଉଛି। ସରପଞ୍ଚ ଏବଂ ଜିଆର୍ଏସ୍ଙ୍କ ପାଖରେ ହିତାଧିକାରୀଙ୍କ ଜବ୍କାର୍ଡ ରହୁଛି। ଟଙ୍କା ଆସିବା ପରେ ହିତାଧିକାରୀଙ୍କୁ ୨/୩ ହଜାର ଟଙ୍କା ଦେଇ ବାକିତକ ହଡପ୍ ହେଉଛି।
ଚାରପାଲି ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏଠାରେ ଚଳିତ ବର୍ଷ କୌଣସି ମାଟି କାମ ହୋଇନାହିଁ। ଯାହା ହୋଇଥିଲା, ସେସବୁ ଗତବର୍ଷର। ସ୍ଥାନୀୟ ମୁଷ୍ଟିମେୟ ଲୋକେ ହିତାଧିକାରୀଙ୍କ ଜବ୍କାର୍ଡ ନିଜ ପାଖରେ ରଖିଛନ୍ତି। ଚଳିତବର୍ଷ କୌଣସି କାମ ହୋଇନଥିଲେ ମଧ୍ୟ ହିତାଧିକାରୀଙ୍କୁ ଗତବର୍ଷର କାମର ପାଉଣା ଦେଇ ଭୁତାଇ ଦେଇଛନ୍ତି। କିଛି ହିତାଧିକାରୀଙ୍କ ଏଟିଏମ୍ ଦଲାଲଙ୍କ ପାଖରେ ରହୁଛି। ଯେଉଁ ବ୍ୟକ୍ତି କିଛି ଆପତ୍ତି କଲା, ତାକୁ ଧମକଚମକ ଦେଇ ଏଟିଏମ୍ରୁ ଟଙ୍କା ଉଠାଯାଉଛି। କିଛି ଟଙ୍କା ଦେଇ ହିତାଧିକାରୀର ମୁହଁ ବନ୍ଦ କରି ସିଂହଭାଗ ଟଙ୍କା ଦଲାଲଙ୍କ ହାତକୁ ଚାଲିଯାଉଛି। ବିନା କାମରେ କିିଛି ବି ଟଙ୍କା ମିଳୁଥିବାରୁ ହିତାଧିକାରୀ ଚୁପ୍ ରହୁଛନ୍ତି। ଏଣେ ବିଭାଗୀୟ କର୍ତୃପକ୍ଷ କ୍ଷେତ୍ର ପରିଦର୍ଶନ କରିବା ପୂର୍ବରୁ ପୋଖରୀରେ ପାଣି ଭରି ଯାଉଛି।
The post ବର୍ଷା ଧୋଇଲା ମନରେଗା ଦୁର୍ନୀତି କାହାଣୀ first appeared on Sambad.from ଜିଲ୍ଲା | Sambad https://ift.tt/3pZ2Mau
0 Comments