
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ବିଭାଗର ମଧ୍ୟାହ୍ନ ଭୋଜନ ଟଙ୍କାରୁ ୪୯ ଲକ୍ଷ ୧୩ ହଜାର ଟଙ୍କା ଭୋପାଳର ଜଣେ ଯୁବକ ପ୍ରତାପ ସିଂ ଚାୱାଲାଙ୍କ ଆକାଉଣ୍ଟରେ ଜମା ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯୁବକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ୩୬ ଲକ୍ଷ ୨ ହଜାର ୪ ଶହ ଟଙ୍କା ଟଙ୍କା ଫେରସ୍ତ ଆଣିବାରେ ସକ୍ଷମ ହୋଇଥିବା ବେଳେ ୧୩ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରି ଦେଇଥିଲା ଯୁବକ। ଏହା ମଧ୍ୟରେ ସମ୍ପୃକ୍ତ ଯୁବକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସରକାରୀ କର୍ମଚାରୀଙ୍କ ବେପରୱା କାରଣରୁ ସରକାରୀ ଟଙ୍କା ଜଣେ ଅଜଣା ଯୁବକଙ୍କ ଆକାଉଣ୍ଟକୁ ଚାଲି ଯାଇଥିଲା। ଏବେ ବି ୭ ଲକ୍ଷ ଟଙ୍କା ଭରଣା ହୋଇ ନାହିଁ। ଏହି ଘଟଣାରେ ସମ୍ପୃକ୍ତ କର୍ମଚାରୀଙ୍କ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନା ଚୁପ୍ ବସିଯିବ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅଭିଯୋଗ ଅନୁସାରେ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦପ୍ତରର ଜଣେ କିରାଣି ମଧ୍ୟାହ୍ନ ଭୋଜନ ପାଇଁ ସୁନ୍ଦରଗଡ଼ ସାଧାରଣ ଯୋଗାଣ ବିଭାଗର ୟୁବିଆଇ ଆକାଉଣ୍ଟ (୭୧୭୮୦୧୦୧୦୦୫୦୧୦୩)ରେ ଇ-ଟ୍ରାନ୍ସଫର ମାଧ୍ୟମରେ ଦୁଇଟି ଚେକ୍ରେ ୪୯ ଲକ୍ଷ ୧୩ ହଜାର ୭୯୦ ଟଙ୍କା ଜମା କରିଥିଲେ। କିନ୍ତୁ ଭୁଲକ୍ରମେ ତାହା ଭୋପାଳର ୟୁବିଆଇ ସାଲ୍ଲାଇୟା ଶାଖାରେ ଥିବା ପ୍ରତାପ ସିଂ ଚାୱାଲାଙ୍କ ଆକାଉଣ୍ଟ (୭୦୭୮୦୧୦୧୦୦୫୦୧୦୩)କୁ ଚାଲିଯାଇଥିଲା। ତେବେ ଏହି ଟଙ୍କା ଯୋଗାଣ ବିଭାଗ ଆକାଉଣ୍ଟରେ ନପହଞ୍ଚିବାରୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଆସି ପାରି ନଥିଲା। ଏହା ପରେ ଶିକ୍ଷା ଅଧିକାରୀ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ ତନାଘନା କରିବା ପରେ ଟଙ୍କା ଅନ୍ୟ ଆକାଉଣ୍ଟରେ ଜମା ହୋଇଥିବା ଜଣାପଡ଼ିଥିଲା। ଏହା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଯୁବକଙ୍କ ଆକାଉଣ୍ଟକୁ ଫ୍ରିଜ୍ କରି ଦୁଇଟି ପର୍ଯ୍ୟାୟରେ ୩୬ ଲକ୍ଷ ୨ ହଜାର ୪ ଶହ ଟଙ୍କା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଆକାଉଣ୍ଟକୁ ଫେରସ୍ତ କରିଥିଲେ। ତେବେ ଏହା ପୂର୍ବରୁ ଯୁବକ ୧୩ ଲକ୍ଷ ୩୧ ହଜାର ୭୮ ଟଙ୍କା ଉଠାଇ ନେଇ ଯାଇଥିଲା। ଏ ସମ୍ପର୍କରେ ଗତ ଜୁନ ୨୦ରେ ଜିଲ୍ଲା ଶିକ୍ଷାଧିକାରୀ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ନିର୍ଦ୍ଦେଶରେ ଟାଉନଥାନାର ଏକ ଟିମ୍ ଭୋପାଳ ଯାଇ ୨୫ ତାରିଖରେ ଯୁବକଙ୍କୁ ଗିରଫ କରି ସୁନ୍ଦରଗଡ଼ ଆଣିଥିଲା। ତା’ ଠାରୁ ୬ ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା।
The post ଭୋପାଳ ଆକାଉଣ୍ଟକୁ ଏମଡିଏମ୍ ଟଙ୍କା ଟ୍ରାନ୍ସଫର ଘଟଣା : ସରକାରୀ କର୍ମଚାରୀ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ ତ ! first appeared on Sambad.from ଜିଲ୍ଲା | Sambad https://ift.tt/3y3J3JC
0 Comments