ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ୍‌ ଟାଙ୍ଗିରିଆପାଳ ପଞ୍ଚାୟତ ଶୁଆକାଠି ଗ୍ରାମର ବଗିରା ନାଳ ପୋଲ ଉପରେ ନିର୍ମାଣ ହୋଇଥିବା ୨୭ ଲକ୍ଷ ଟଙ୍କାର ପୋଲ ଲୋକଙ୍କ କାମରେ ଆସୁନି। ପୋଲର ଗୋଟିଏ ପାର୍ଶ୍ବରେ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇ ନଥିବାରୁ ଲୋକେ ପୂର୍ବ ଭଳି ନାଳ ଭିତରେ ପଶି ଯାତାୟାତ କରୁଛନ୍ତି। ବର୍ଷାଦିନେ ନାଳରେ ପାଣି‌ ଆସିଲେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ଗ୍ରାମର ଯୁବକମାନେ ପୋଲକୁ ଲଗାଇ ଏକ କାଠଭାଡ଼ା ନିର୍ମାଣ କରିଛନ୍ତି। ଯାହା ବର୍ଷାଦିନେ ଲୋକଙ୍କୁ ଯାତାୟାତ କରିବାରେ ସହାୟକ ବୋଲି କହିଛନ୍ତି।

୨୦୦୨ ମସିହା ପୂର୍ବରୁ ଏହି ଗ୍ରାମଟି ରେବଣାପଳାଶପାଳ ପଞ୍ଚାୟତରେ ଥିଲା। ଯାହା ଗ୍ରାମରୁ ୧୧ କିଲୋମିଟର ଦୂର। ୨୦୦୨ ମସିହାରେ ପଞ୍ଚାୟତ ପୁନର୍ଗଠନ ସମୟରେ ଏହାକୁ ମାତ୍ର ୨ କିଲୋମିଟର ଦୂର ଗୌଣିଘଷା ପଞ୍ଚାୟତରେ ସାମିଲ ନ କରି ୨୫ କିଲୋମିଟର ଦୂର ଟାଙ୍ଗିରିଆପାଳ ପଞ୍ଚାୟତରେ ସାମିଲ କରାଗଲା। ଗ୍ରାମର ୮୪ଟି ଆଦିବାସୀ ପରିବାର ପିଡିଏସ୍‌ ଚାଉଳ ପାଉଛନ୍ତି ଗୌଣିଘଷାରୁ। ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ରେବଣାପଳାଶପାଳରୁ। ଶୁଆକାଠିରୁ ଗୌଣିଘଷା ଆସିବା ରାସ୍ତାରେ ପଡ଼ିଥାଏ ବଗିରା ନାଳ। ନାଳ ଉପରେ ବ୍ଲକ୍‌ ପ୍ରଶାସନ ପକ୍ଷରୁ ୨୦୧୩ ମସିହାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ପୋଲ ନିର୍ମାଣ କରାଯାଇଥିଲା। କିନ୍ତୁ ପୋଲର ଉଭୟ ପାର୍ଶ୍ବରେ ସଂଯୋଗୀକରଣ ରାସ୍ତା ନଥିବାରୁ ଏହା କୌଣସି କାମରେ ଆସିଲା ନାହିଁ। ୨୦୧୬ ମସିହାରେ ପୁଣି ବ୍ଲକ୍‌ ପ୍ରଶାସନ ପକ୍ଷରୁ ୧୨ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଦିଆଗଲା। ସେଥିରେ ପୋଲର ଉତ୍ତରପାର୍ଶ୍ବ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଗଲା। ଦକ୍ଷିଣପାର୍ଶ୍ବରେ ସଂଯୋଗୀକରଣ ରାସ୍ତା ନଥିବାରୁ ଗ୍ରାମବାସୀ ପୂର୍ବ ପରି ନାଳ ଭିତରେ ପଶି ଯାତାୟାତ କରୁଛନ୍ତି।

ବର୍ଷାଦିନେ ନାଳର ପାଣି ଆସିଲେ କୂଳ ଖାଇଯାଉଛି। ଯାତାୟାତ ବାଧାପ୍ରାପ୍ତ ‌ହେଉଛି। ଏନେଇ ପ୍ରଶାସନକୁ ଅବଗତ କରାଯିବା ସତ୍ତ୍ବେ ସଂଯୋଗୀକରଣ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ। ଗ୍ରାମର ସାରନା ଚମ୍ପା ୟୁଥ୍‌ ବ୍ଲକ୍‌ର ସଦସ୍ୟମାନେ ପୋଲର ଦକ୍ଷିଣ ପାର୍ଶ୍ବରେ କାଠଭାଡ଼ା ନିର୍ମାଣ କରିଛନ୍ତି। କରୁଣାକର ହାଁସଦା , କାହ୍ନୁଚରଣ ଟୁଡୁ, ରାମ ଟୁଡୁ, ଜିତେନ୍ଦ୍ର ହେମ୍ବ୍ରମ, ନନ୍ଦଲାଲ ସିଙ୍କୁ, ରାମଚନ୍ଦ୍ର ଟୁଡୁ, ଦୁର୍ଯ୍ୟୋଧନ ହେମ୍ବ୍ରମ, ଜିତୁରାମ ମୁର୍ମୁ, ରାଜେନ୍ଦ୍ର ଟୁଡୁ , ସକିଲା ଟୁଡୁ ପ୍ରମୁଖ ଶ୍ରମଦାନ କରି କାଠଭାଡ଼ା ନିର୍ମାଣ କରିଛନ୍ତି।

The post ୨୭ ଲକ୍ଷ ଟଙ୍କାର ପୋଲ କାମରେ ଆସୁନି; ସଂଯୋଗୀକରଣ ରାସ୍ତା ନାହିଁ, କାଠଭାଡ଼ା ନିର୍ମାଣ କଲେ ଯୁବକ first appeared on Sambad.

from ଜିଲ୍ଲା | Sambad https://ift.tt/3dkeO91