ଚମ୍ପୁଆ : ଚମ୍ପୁଆ ମହାବୀର ଛକରେ ମାସ୍କ ଯାଞ୍ଚବେଳେ ପୁଲିସ ଓ ଜନସାଧାରଣ ମୁହାଁମୁହିଁ ହୋଇଛି। ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଜରିମାନା ଆଦାୟ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଥାନା ଅଧିକାରୀ ଏବଂ ଜଣେ ଏଏସ୍‌ଆଇଙ୍କ ସହ ଲୋକେ ଯୁକ୍ତିତର୍କ ଓ ଟଣାଓଟରା କରିଥିବା ଅଭି‌ଯୋଗ ହୋଇଛି।

କରୋନା ସଂକ୍ରମଣ ରୋକିବା ପାଇଁ ମାସ୍କ ବ୍ୟବହାର କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହାସତ୍ତ୍ବେ କିଛି ଅମାନିଆ ମାସ୍କ ନ ପିନ୍ଧି ବୁଲାବୁଲି କରୁଛନ୍ତି। ଶୁୁକ୍ରବାର ପୂର୍ବାହ୍ନ ୧୦ଟାବେଳେ ଚମ୍ପୁଆ ଥାନା ଏଏସ୍‌ଆଇ ରାମଚନ୍ଦ୍ର ମହାନ୍ତ ଏବଂ ଅନ୍ୟ କର୍ମଚାରୀମାନେ ଚମ୍ପୁଆ ମହାବୀର ଛକରେ ମାସ୍କ ଯାଞ୍ଚ କରୁଥିଲେ। ଜରିମାନା ଆଦାୟ ନେଇ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ କର୍ମଚାରୀ ଓ ଲୋକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଲୋକେ ଏଏସ୍‌ଆଇ ଶ୍ରୀ ମହାନ୍ତଙ୍କୁ ଟଣାଓଟରା କରି ତଳେ ପକାଇ ଦେଇଥିଲେ। ଖବର ପାଇ ଚମ୍ପୁଆ ଥାନା ଅଧିକାରୀ ଗଗନ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ମଧ୍ୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ତାଙ୍କୁ ମଧ୍ୟ ଲୋକେ ଟଣାଓଟରା କରିଥିଲେ। ଏସ୍‌ଡିପିଓ ରାମରାୟ ମୁର୍ମୁ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

The post ଚମ୍ପୁଆ: ଥାନା ଅଧିକାରୀଙ୍କୁ ଟଣାଓଟରା first appeared on Sambad.

from ଜିଲ୍ଲା | Sambad https://ift.tt/2SJkna8