
ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ନରଣଗଡ଼ ପଂଚାୟତରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମାଂଚଳ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ରେ ଚାଲୁଥବା ଏକ ଖେଳପଡ଼ିଆରେ ବ୍ୟାପକ ଦୁର୍ନୀତି ହୋଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ଏନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଗାଁ ଲୋକଙ୍କ ଅଭିଯୋଗ ହେଲା, ହାଡ଼ପଦା ଗାଁରେ ମନରେଗା ଯୋଜନାରେ ୪ ଏକର ସ୍ଥାନରେ ଏକ ଗାଁ ଖେଳ ପଡ଼ିଆର ଉନ୍ନତୀକରଣ ପାଇଁ ୫ ଲକ୍ଷ ଟଙ୍କା ମଂଜୁର ହୋଇଥିଲା। ଏହା ପରେ ଗତ ମାର୍ଚ୍ଚ ୧୨ ତାରିଖ ଠାରୁ ଏହାର କାମ ଆରମ୍ଭ ହେଲା। ତେବେ ଗାଁ ଲୋକଙ୍କୁ ମଜୁରୀରେ ନିୟୋଜିତ କରିବା ପରିବର୍ତେ ଜେସିବି, ହାଇୱାରେ ମାଟି ଖୋଳି ଓ ମାଟି ପକାଇବା କାମ କରାଯାଉଛି। ଏପରିକି କାମ ସ୍ଥାନରେ କୌଣସି ଫଳକ ଲଗାଯାଇନଥିଲା, ଏନେଇ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିବାର ୨୫ ଦିନ ବିତିଯାଇଛି, କିନ୍ତୁ ତଥ୍ୟ ଦିଆଯାଇନାହିଁ।
ତେବେ ହଠାତ୍ ଗତକାଲି ଏନେଇ ସମ୍ପୃକ୍ତ ଠିକାଦାର କାମ ନିକଟରେ ସୂଚନା ଫଳକ ଲଗାଯାଇଛି। କେବଳ ଏହାନୁହେଁ, ଖେଳପଡ଼ିଆରେ ଏହାର ଉପରସ୍ତର ନମନୀୟ ରହିବ ଓ ଘାସ ଉଠିବ ସେଥିପାଇଁ ସ୍ୱତନ୍ତ୍ର ମାଟି ପକାଇବା ନିୟମ ରହିଛି। କିନ୍ତୁ ନିକଟରେ ଏକ ଖୋଳା ଯାଇଥିବା ମୁଣ୍ଡିଆରୁ କାଙ୍କରା ମାଟି ଆଣି ପଡ଼ିଆରେ ପକାଯାଇଛି। ଏହି ମାଟି ପାଇଁ କୌଣସି ଦେୟ ଦେବାକୁ ପଡ଼ୁନଥିବା ବେଳେ ମାଟି କିଣା ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହୋଇଛି। ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଖୋର୍ଦ୍ଧା ବିଡିଓଙ୍କୁ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ କୌଣସି ପଦକ୍ଷେପ ନିଆ ଯାଇନାହିଁ। ଘଟଣାରେ ଲକ୍ଷାଧିକ ଟଙ୍କା ଦୁର୍ନୀତି ହୋଇଥିବାରୁ ଏହାର ବିଧିବଦ୍ଧ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।
The post ମନରେଗା ଯୋଜନାରେ ଖେଳପଡ଼ିଆ ନିର୍ମାଣରେ ଦୁର୍ନୀତି ଅଭିଯୋଗ first appeared on Sambad.from ଜିଲ୍ଲା | Sambad https://ift.tt/3vRsuyY
0 Comments